୮ବର୍ଷର ବାଳକଙ୍କ କାମକୁ ସଲାମ, ମାଗଣାରେ ପିଲାଙ୍କୁ ପଢ଼ାଉଛନ୍ତି ପାଠ

ନୂଆଦିଲ୍ଲୀ: କୋଭିଡ ମାହମାରୀ ଦେଶରେ ଅନେକ କିଛି ବଦଳାଇ ଦେଇଛି। କରୋନା କାଳରେ ଲୋକଙ୍କ ଜୀବନଶୈଳୀ ବଦଳି ଯାଇଥିଲା, କାରଣ କଟକଣା ଭିତରେ ସେମାନଙ୍କୁ ରହିବାକୁ ପଡ଼ିଥିଲା। ଏହି କ୍ରମରେ ଦେଶରେ ଶିକ୍ଷାଦାନର ପ୍ରକ୍ରିୟା ବି ବଦଳି ଯାଇଥିଲା। କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ପିଲାଙ୍କୁ ଅନଲାଇନରେ ପାଠପଢ଼ା ଯାଉଥିଲା। କାରଣ କରୋନା ସଂକ୍ରମଣ କେବେ ଶେଷ ହେବ ତାହା ଠିକ ନଥିଲା, ସେଥିପାଇଁ ପିଲାଙ୍କ ପାଠପଢ଼ାରେ ଯେମିତି ବାଧା ନସୃଷ୍ଟି ହେଉ ସେଥିପାଇଁ ଏଭଳି ପଦକ୍ଷେପ ନିଆଯାଇଥିଲା।

ତେବେ ମୁମ୍ବାଇରେ ଅଧିକ କରୋନା ସଂକ୍ରମଣର ପ୍ରଭାବ ଥିଲା। ଏଠାକାର ଲୋକମାନେ କରୋନା ସମୟରେ ଅନେକ ବାଧାବିଘ୍ନ ଦେଇ ଗତି କରିଛନ୍ତି। ଅନେକ ଲୋକ ଏହି ମହାମାରୀ ସମୟରେ ଆଗକୁ ଆସିଥିଲେ। ଏଥିମଧ୍ୟରୁ ଜଣେ ହେଉଛନ୍ତି ପ୍ରଣୀତ। ଯାହାଙ୍କ ବୟସ ହେଉଛି ୮ବର୍ଷ। ପିଲାଙ୍କୁ ଶିକ୍ଷାଦାନ ପାଇଁ ସେ ଏକ ଅଦ୍ଭୁତ ଉପାୟ ଆପଣାଇଥିଲେ।  ଯାହା ଜରିଆରେ ଆଜି ପର୍ଯ୍ୟନ୍ତ ଅନେକ ପିଲା ଉପକୃତ ହେଉଛନ୍ତି।

କରୋନା ମହାମରୀ ସମୟରେ ଅନଲାଇନ କ୍ଲାସ ତ ଚାଲୁଥିଲା, କିନ୍ତୁ ଏମିତି ବି କିଛି ପିଲା ଥିଲେ ଯେଉଁମାନଙ୍କ ପାଖରେ ଅନଲାଇନ କ୍ଲାସ ପାଇଁ ସାଧନ ନଥିଲା। ଏଭଳି ପରିସ୍ଥିତିରେ ପ୍ରଣୀତ ଏହି ପିଲାଙ୍କୁ ପାଠପଢ଼ାଇବା ଆରମ୍ଭ କରି ଦେଇଥିଲେ।

ସର୍ବପ୍ରଥମେ ପ୍ରଣୀତ ସ୍କୁଲରୁ ନାମ କାଟି ଦେଇଥିବା ପିଲାଙ୍କୁ ଖୋଜି ବାହାର କରିଥିଲେ। ଏହାପରେ ସେମାନଙ୍କୁ ଅନଲାଇନ ମାଧ୍ୟମରେ ପଢ଼ାଓ ଇଣ୍ଡିଆ ପହଲ ଜରିଆରେ ପାଠ ପଢ଼ାଇବା ଆରମ୍ଭ କରିଥିଲେ। ଧୀରେଧୀରେ ତାଙ୍କ ସହିତ ଅନେକ ପିଲା ଯୋଡ଼ି ହୋଇଯାଇଥିଲେ। ଏଥିରେ ପ୍ରଭାବିତ ହୋଇ ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂହ କୋଶିୟାରୀ ତାଙ୍କୁ ସମ୍ମାନୀତ କରିଥିଲେ।

ପ୍ରଣୀତ ଇଂରାଜୀ ବ୍ୟାକରଣ, ଗଣିତ, ସାଧାରଣ ଜ୍ଞାନ ଓ ଇଭିଏସରେ ତାଙ୍କର ଯେତିକି ଜ୍ଞାନ ଅଛି ତାହା ଦ୍ବାରା ସେ ୩୫ଜଣ ପିଲାଙ୍କ ସହିତ ୪୦୦ଘଣ୍ଟାରୁ ଅଧିକ ଅନଲାଇନ ସେସନ ଆୟୋଜିତ କରିଛନ୍ତି। ସେ ଏଦିଗରେ ଆଗକୁ ବଢ଼ିବା ସହିତ ଅଧିକରୁ ଅଧିକ ପିଲାଙ୍କୁ ଶିକ୍ଷା ଦେଇ ପାରୁଛନ୍ତି।

ସମ୍ବନ୍ଧିତ ଖବର