ଏଥର ଅକ୍ଷୟ ତୃତୀୟାରେ ସୁନା ବ୍ୟବସାୟକୁ ମାନ୍ଦା ପକାଇଲା ମହମ ଓ ବିଞ୍ଚଣା ବେପାର

ଭୁବନେଶ୍ୱର: ଆଜି ପବିତ୍ର ଅକ୍ଷୟ ତୃତୀୟା। ଆଜିର ଦିନରେ ଚାଷୀ ଭାଇମାନେ ଅଖି ମୁଠି ଧରି ନିଜ ନିଜ ବିଲକୁ ଯାଇଥାନ୍ତି ମାଟିମାଆର ପୂଜା କରି ଭଲ ଫସଲ ପାଇଁ ଆଶୀର୍ବାଦ ମାଗିବାକୁ। ଅକ୍ଷୟ ତୃତୀୟାରେ ସୁନା କିଣିବା ପ୍ରଥା ରହିଥିବା ହେତୁ ଅନେକ ଲୋକ ଏହି ଦିନକୁ ଅପେକ୍ଷା କରି ରହିଥାନ୍ତି। ଏହି ଦିନରେ ସୁନା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି ବୋଲି ଲୋକଙ୍କ ଭିତରେ ବିଶ୍ୱାସ ରହିଛି। ଏହି ସ୍ୱତନ୍ତ୍ର ଦିନରେ ସୁନା ବେପାରୀମାନଙ୍କର ବି ଖୁସି କହିଲେ ନ ସରେ। ଗ୍ରାହକଙ୍କୁ ମିଳିଥାଏ ଭଳିକି ଭଳି ଅଫର୍‌। ମାତ୍ର ଏଥର ରାଜଧାନୀର ସୁନା ବେପାରକୁ ମାନ୍ଦା ପକାଇ ଦେଇଛି ସାମୁଦ୍ରିକ ଝଡ଼ ‘ଫନି’।

ଏ ଅକ୍ଷୟ ତୃତୀୟାରେ ଭୁବନେଶ୍ୱର ରାଜଧାନୀର ସୁନା ଦୋକାନଗୁଡ଼ିକ ଫାଙ୍କା ପଡ଼ିଛି ତ କେତେକ ଦୋକାନ ବନ୍ଦ ରହିଛି। କେଉଁଠି ଆଲୋକ ନାହିଁ ତ କେଉଁଟି କର୍ମଚାରୀ ନାହାନ୍ତି। ଏଟିଏମ୍‌ ସେବା ବାଧାପ୍ରାପ୍ତ। ବିଜୁଳି ନ ଥିବା ହେତୁ କାର୍ଡ ସ୍ୱାଇପ୍‌ ବି ପ୍ରାୟ  ଅଧିକାଂଶ ଦୋକାନରେ ହୋଇପାରୁନାହିଁ। ଯେଉଁଟି ମୌଳିକ ଆବଶ୍ୟକତା ପୂରା କରିବାରେ ଲୋକେ ସମର୍ଥ ହେଉନାହାନ୍ତି ସେଠି ସୁନା ବା କ’ଣ କିଣିବେ!

ତେବେ, ଏହି ଅକ୍ଷୟ ତୃତୀୟାରେ ସୁନା ବଦଳରେ ଲୋକେ ଘରକୁ ବୋହି ନେଉଛନ୍ତି ମହମବତୀ ଓ ବିଞ୍ଚୁଣି। ପାଞ୍ଚ ଦିନ ହେବ ଭୁବନେଶ୍ୱରରେ ବିଜୁଳି ନାହିଁ। ଇନ୍‌ଭର୍ଟର୍‌ରେ ଚାର୍ଜ ନାହିଁ। ଜେନେରେଟର୍‌ ତ ଆକାଶଛୁଆଁ। ଏହି ପରିସ୍ଥିତିରେ ଲୋକଙ୍କ ସାହାଭରସା ପାଲଟିଛି ମହମବତୀ। ମହମବତୀ ବେପାରୀଙ୍କ ଭାଉ କହିଲେ ନ ସରେ। ୧୫ ଟଙ୍କିଆ ମହମ ବଜାରରେ ୨୫ ଟଙ୍କାରେ ବିକ୍ରି ହେଉଛି। ବଜାରରେ ଯାହା ପାଖରେ ଯେମିତି ମହମବତୀ ଅଛିସେମାନେ ତାକୁ ଚଢ଼ା ଦରରେ ବିକ୍ରି କରୁଛନ୍ତି।

ଖାଲି ମହମ କାହିଁକି, ରାଜଧାନୀର ବିଞ୍ଚୁଣି ଦୋକାନରେ ବି ଅସଂଖ୍ୟ ଲୋକ ଭିଡ଼। ବିନା ଏସି ଓ ଫ୍ୟାନ୍‌ରେ ଦଣ୍ଡେ ରହିପାରୁନଥିବା ରାଜଧାନୀ ବାସିନ୍ଦା ଗରମ ମେଣ୍ଟେଇବାକୁ ଏବେ ବିଞ୍ଚୁଣିକୁ ଆଶ୍ରା କରିଛନ୍ତି। ରାଜଧାନୀର ବିଞ୍ଚଣା ଦୋକାନରେ ଅଧିକାଂଶ ମହିଳାଙ୍କୁ ଦେଖିବାକୁ ମିଳୁଛି। ମହିଳାମାନେ ପଲ ପଲ ଆସି ନିଜ ପସନ୍ଦ ମୁତାବକ ବିଞ୍ଚଣା ବୋହି ନେଉଛନ୍ତି।

ସମ୍ବନ୍ଧିତ ଖବର