ସରକାରଙ୍କ ଆରୋଗ୍ୟ ସେତୁ ଆପ୍

କୋଭିଡ୍–୧୯ ବିରୋଧରେ ବିଭିନ୍ନ ସ୍ତରରେ ଚାଲିଥିବା ଲଢେ଼ଇକୁ ଆହୁରି ଶାଣିତ କରିବା ପାଇଁ ସରକାର ଆରୋଗ୍ୟ ସେତୁ ନାମକ ଏକ ମୋବାଇଲ୍ ଆପ୍ଲିକେସନ୍ ବିକଶିତ କରାଇ ଏଥିରେ ସମସ୍ତେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି। ନାସନାଲ୍ ଇନ୍ଫମେର୍ଟିକ୍ସ ସେଣ୍ଟର(ଏନ୍ଆଇସି)ର ନିଜସ୍ବ ଜ୍ଞାନକୌଶଳରେ ବିକଶିତ ଏହି ଆପ୍‌ର ପ୍ରୟୋଗ ଦ୍ବାରା ସାମଗ୍ରିକ ଭାବେ କୋଭିଡ୍–୧୯ର ସଂକ୍ରମଣକୁ ଠାବ ସହ ନିୟନ୍ତ୍ରଣ ମଧ୍ୟ କରାଯାଇପାରିବ। ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ, ରେଳ ମନ୍ତ୍ରଣାଳୟ ସମେତ ଦେଶର ଛାତ୍ରଛାତ୍ରୀ, ଶିକ୍ଷକ, କର୍ମଚାରୀ ଏବଂ ସେମାନଙ୍କ ପରିବାରବର୍ଗ ଏହି ଆପ୍‌କୁ ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଯାଇଛି। ତେବେ ଦେଶର ପ୍ରାୟ ୫୦ ପ୍ରତିଶତ ଲୋକ ଏଥିରେ ସାମିଲ ହୋଇପାରିଲେ କିଛି ପରିଣାମ ମିଳିପାରିବ ବୋଲି ଆଶା କରାଯାଉଛି। ଏହାର ପ୍ରମୁଖ ବିଶେଷତ୍ବ ହେଉଛି ଆତ୍ମ ମୂଲ୍ୟାୟନ ବା ସେଲ୍ଫ ଆସେସ୍‌ମେଣ୍ଟ୍। ଏଥିରେ ପଚରାଯାଇଥିବା ପ୍ରଶ୍ନ ମାଧ୍ୟମରେ ଜଣେ ନିଜର ବୟସ, ବୃତ୍ତି, ଅନ୍ତର୍ଜାତୀୟ ଯାତ୍ରା ବିବରଣୀ, କୌଣସି କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ ସେ ସଂକ୍ରାନ୍ତ ସୂଚନା, ଶରୀରର ଲକ୍ଷଣ ଏବଂ ପୂର୍ବରୁ କିଛି ରୋଗ ରହିଥିଲେ ତାହାର ବିବରଣୀ ମଧ୍ୟ ପ୍ରଦାନ କରିବାକୁ କୁହାଯାଇଛି। ଏହିସବୁ ତଥ୍ୟ ଯୋଗାଇ ଦେବା ପରେ ଆପ୍‌ଟି ତତ୍କାଳ ବ୍ୟବହାରକାରୀର ବିପଦ ଆକଳନ କରି ଜଣାଇଦେବା ସହ ଆଖପାଖରେ କେହି କରୋନା ଆକ୍ରାନ୍ତ ରହିଥିଲେ ସେସମ୍ପର୍କରେ ମଧ୍ୟ ସତର୍କ କରାଇଦେବ।

ସମ୍ବନ୍ଧିତ ଖବର