ଦୃଷ୍ଟିଶକ୍ତି ନ ଥିଲେ ବି ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାରରେ ସୁଆଦିଆ ଚା’ ବନାଇ ଗୁଜୁୁରାଣ ମେଣ୍ଟାଉଛନ୍ତି ପ୍ରସନ୍ନ

ବିଶେଷ ରିପୋର୍ଟ-ରୀନା ରାମ୍‌

ପୁରୀ: ବେଳେବେଳେ ଆମେ ଭାବୁ ଜଣେ ଯଦି ଦୃଷ୍ଟିଶକ୍ତି ହରାଇ ବସେ ତେବେ ସେ ଅକାମୀ ହୋଇଯାଏ। ମାତ୍ର ଏହା ଆଦୌ ସତ ନୁହେଁ। ଦୃଷ୍ଟିଶକ୍ତି ନ ଥାଇ ବି ପୁରୀର ପ୍ରସନ୍ନ କୁମାର ମହାପାତ୍ର ବ୍ୟବସାୟ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି। ସେ ଦଶମ ଶ୍ରେଣୀରେ ପଢ଼ିବା ବେଳେ ହରାଇଥିଲେ ଦୃଷ୍ଟିଶକ୍ତି, କିନ୍ତୁ ଏଥିରେ ଭାଙ୍ଗି ନ ପଡ଼ି ଦୃଢ଼ ମନୋବଳ ସହକାରେ ନିଜ ଗୋଡ଼ରେ ଠିଆ ହେବାକୁ ଉଦ୍ୟମ କଲେ। ସୁଆଦିଆ ଚା’ବନାଇ ନିଜ ଗୁଜୁରାଣ ମେଣ୍ଟାଉଛନ୍ତି ସେ।

ଭାଗ୍ୟ ଯେ କେତେବେଳେ କାହାକୁ କେଉଁ ସ୍ଥାନରେ ନେଇ ପହଞ୍ଚାଇବ ତାହା ବିଧାତାଙ୍କୁ ହିଁ ଜଣା। ଭାଗ୍ୟ ପ୍ରସନ୍ନ କୁମାର ମହାପାତ୍ରଙ୍କୁ ଏକ କଠିନ ପରୀକ୍ଷା ଭିତରେ ପକାଇ ଦେଲା। କିନ୍ତୁ ନିଜର ଆତ୍ମବିଶ୍ୱାସ ହେତୁ ଆଜି ସେ ହାର ମାନି ନାହାନ୍ତି, ନିଜ ଗୋଡରେ ନିଜ ଛିଡା ହୋଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି।

ପୁରୀ ଜିଲ୍ଲାର ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାରରେ ମଣିକନିକା ସାହିରେ ପ୍ରସନ୍ନ କୁମାର ମହାପାତ୍ର ତାଙ୍କ ପତ୍ନୀ ମମତାଙ୍କ ସହ ବସବାସ କରନ୍ତି। ପ୍ରସନ୍ନଙ୍କୁ ଶ୍ରଦ୍ଧାରେ ତାଙ୍କ ପରିବାର ଲୋକ ଲିଟୁ ବୋଲି ଡାକନ୍ତି।

ପ୍ରସନ୍ନ ୧୦ମ ଶ୍ରେଣୀରେ ପଢ଼ୁଥିବା ସମୟରେ ଧୀରେଧୀରେ ତାଙ୍କ ଦୃଷ୍ଟିଶକ୍ତି ହ୍ରାସ ପାଇବାକୁ ଲାଗିଥିଲା। କିଛିଦିନ ପରେ ସେ ତାଙ୍କ ଦୃଷ୍ଟିଶକ୍ତିକୁ ସମ୍ପୂର୍ଣ୍ଣ ଭାବେ ହରାଇ ବସିଥିଲେ। ପରିବାରର ଆର୍ଥିକ ଅବସ୍ଥା ସେତେଟା ଭଲ ନ ଥିବାରୁ ସେ ନିଜ ଚିକିତ୍ସା ବି କରାଇ ପାରି ନ ଥିଲେ। ଶେଷରେ ବାଧ୍ୟ ହୋଇ ପାଠପଢ଼ା ଛାଡ଼ି ଦେଇ ମାଉସୀ ଘରେ ଆସି ରହିଥିଲେ। ଏମିତି କିଛିଦିନ ଗଲା ପରେ ମାଉସୀ ଘରର ଥିବା ଏକ ମିଲ୍‌ରେ କାମ କରି ଦି’ପଇସା ରୋଜଗାର କରୁଥିଲେ। ପରେ ମଣିକନିକା ସାହିରେ ରାସ୍ତାପାର୍ଶ୍ୱରେ ଏକ ଛୋଟିଆ ଚା’ ଦୋକାନ କରିବାକୁ ସ୍ଥିର କରିଥିଲେ। କିନ୍ତୁ ଦୃଷ୍ଟିଶକ୍ତି ନଥିବାରୁ ପ୍ରଥମେ ପ୍ରଥମେ ତାଙ୍କୁ ଏସବୁ କରିବାରେ ବହୁତ ଅସୁବିଧା ହୋଇଥିଲା। କିନ୍ତୁ ନିଜ ଉପରେ ଥିବା ଆତ୍ମବିଶ୍ୱାସ ହେତୁ ପ୍ରସନ୍ନ ଅସମ୍ଭବକୁ ସମ୍ଭବ କରି ଦେଖାଇଥିଲେ। ଆଜକୁ ୨୦ବର୍ଷ ହେବ ସେ ଏହି ଦୋକନରେ ସକାଳେ ଓ ସନ୍ଧ୍ୟାରେ ଚା’ ବନାଇ ନିଜର ଗୁଜୁରାଣ ମେଣ୍ଟାଉନ୍ତି। ଏହାରି ଭିତରେ ତାଙ୍କର ବିବାହ ହୋଇଯାଇଥିଲା।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି ପ୍ରସନ୍ନ ଜୀବନସାଥୀ ଭାବେ ମମତାଙ୍କ ହାତ ଧରିଥିଲେ, ତାଙ୍କ ଧୈର୍ଯ୍ୟ ଓ ବିଶ୍ୱାସ ଆଗରେ ସବୁକିଛି ହାର ମାନିଥିଲା। ବିବାହ ପୂର୍ବରୁ ମମତା କୁମାରୀ ପ୍ରସନ୍ନଙ୍କ ବିଷୟରେ ସବୁ ଜାଣିଥିଲେ। ଏସବୁ ସତ୍ତ୍ୱେ ସେ ସବୁଦିନ ପାଇଁ ପ୍ରସନ୍ନ ସାଥୀରେ ବାଟ ଚାଲିବାକୁ ସ୍ଥିର କରିଥିଲେ। ଦୁହିଁଙ୍କ ବିବାହକୁ ୧୫ବର୍ଷ ବିତି ସାରିଲାଣି। ୧୫ବର୍ଷ ଭିତରେ ଦୁହିଁଙ୍କ ଜୀବନରେ ବି ଆସିଛି ଅନେକ ବାଧାବିଘ୍ନ। ଏସବୁକୁ ଦୁହେଁ ସାଥୀ ହୋଇ ସାମ୍ନା କରିଛନ୍ତି। ଜଗନ୍ନାଥଙ୍କ କୃପାରୁ ଏହି ଛୋଟିଆ ଚା’ ଦୋକାନରୁ ଦୁହେଁ ଆୟ କରୁଛନ୍ତି ସେଥିରେ ଦୁହେଁ କଷ୍ଟରେ ଚଳି ଯାଉଥିବା କହିଛନ୍ତି। ସରକାରୀ ସାହାଯ୍ୟ ବି ପ୍ରସନ୍ନଙ୍କ ପାଖରେ ଏତେଟା କିଛି ପହଞ୍ଚି ପାରି ନାହିଁ ।

ଜୀବନରେ ଏତେ ଦୁଃଖ ଥାଇ ବି ପ୍ରସନ୍ନ କହନ୍ତି…ମହାପ୍ରଭୁ ଯେତିକି ଦେଇଛନ୍ତି ସେତିକିରେ ସେ ଖୁସି ଅଛନ୍ତି। କଷ୍ଟ ହେଲେ ମଧ୍ୟ କେବେ ଅଭାବରେ ରଖି ନାହାନ୍ତି।

ଆପଣ ବି ପ୍ରସନ୍ନଙ୍କ ଚା’ ବନାଇବାର ଶୈଳୀ ଦେଖିବା ସହିତ ଚା’ର ସ୍ୱାଦ ଚାଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। ସେ ଯେପରି ଶୈଳୀରେ ସ୍ୱାଦିଷ୍ଟ ଚା’ ବନାଉଛନ୍ତି ତାହା ହୁଏତେ ସାଧାରଣଲୋକଟିଏ ଏତେ ସହଜରେ ବନାଇ ପାରିବ ନାହିଁ।

ସମ୍ବନ୍ଧିତ ଖବର