ସାଙ୍ଗିଆ ପାଇଁ ତିନିବର୍ଷରେ ଥରେ ଛାଡ଼ପତ୍ର!

ଆମ ସମାଜରେ ପ୍ରଚଳିତ ପ୍ରଥା ଅନୁଯାୟୀ ବିବାହ ପରେ ସ୍ତ୍ରୀମାନେ ସ୍ବାମୀଙ୍କର ସାଙ୍ଗିଆ ଗ୍ରହଣ କରିଥାନ୍ତି। ତେବେ ଜାପାନର ଜଣେ ମହିଳା ବିବାହ ପରେ ନିଜ ସାଙ୍ଗିଆ ପରିବର୍ତ୍ତନ କରିବାକୁ ଅମଙ୍ଗ ହେବାରୁ ସ୍ବାମୀଙ୍କ ସହିତ ଏକ ଅବିଶ୍ବସନୀୟ ବୁଝାମଣା କରିଛନ୍ତି। ଜାପାନର ଆଇନ ଅନୁସାରେ ବିବାହ ପରେ ଦମ୍ପତିଙ୍କର ସାଙ୍ଗିଆ ସମାନ ହେବା ଦରକାର। ତେଣୁ ୨୦୧୬ ମସିହାରେ ବିବାହ ପୂର୍ବରୁ ସାଙ୍ଗିଆ ପରିବର୍ତ୍ତନକୁ ନେଇ ଭାବୀ ଦମ୍ପତିଙ୍କ ମଧ୍ୟରେ ଝଗଡ଼ା ସୃଷ୍ଟି ହୋଇଥିଲା। ସ୍ବାମୀଙ୍କ ଶେଷ ନାମ ଅନୁସାରେ ନିଜ ନାମ ପରିବର୍ତ୍ତନ କରିବାକୁ ମହିଳା ଜଣକ ରୋକଠୋକ ମନା କରିଦେଇଥିଲେ। ଶେଷରେ ସେମାନେ ଏକ ବିରଳ ଚୁକ୍ତି କରିଥିଲେ। ତାହା ହେଲା ବିବାହର ପ୍ରଥମ ତିନି ବର୍ଷ ମହିଳା ସ୍ବାମୀଙ୍କର ସାଙ୍ଗିଆ ଏବଂ ତା ପର ତିନି ବର୍ଷ ସ୍ବାମୀ ସ୍ତ୍ରୀଙ୍କର ସାଙ୍ଗିଆ ଗ୍ରହଣ କରିବେ। ଜାପାନ‌ରେ ବାରମ୍ବାର ନାମ ପରିବର୍ତ୍ତନ କରିବାରେ କଟକଣା ଥିବାରୁ ସେମାନେ ୨୦୧୯ରେ ପରସ୍ପରଙ୍କୁ ଛାଡ଼ପତ୍ର ଦେଇ କିଛି ମାସ ପରେ ପୁନର୍ବିବାହ କରିଥିଲେ। ପୂର୍ବ ବୁଝାମଣା ଅନୁସାରେ ସ୍ବାମୀ ନିଜ ସ୍ତ୍ରୀଙ୍କ ସାଙ୍ଗିଆ ଧାରଣ କରିଥିଲେ। ଏବେ ଦ୍ବିତୀୟ ବିବାହକୁ ୩ ବର୍ଷ ପୂରିବା ପରେ ସେମାନେ ପୁଣି ଥରେ ଛାଡ଼ପତ୍ର ଦେଇଛନ୍ତି। ୨୦୨୨ ଜୁନ୍ ମାସରେ ସେମାନେ ତୃତୀୟ ଥର ଲାଗି ପରସ୍ପରଙ୍କୁ ବିବାହ କରିବେ। ଏଥର ମହିଳାଙ୍କ ସାଙ୍ଗିଆ ପରିବର୍ତ୍ତନର ପାଳି!

ସମ୍ବନ୍ଧିତ ଖବର