‘ଗେମ୍ ଚେଞ୍ଜର୍’ ରାଫେଲ୍

ବାୟୁସେନା ଇତିହାସରେ ନୂଆ ଫର୍ଦ୍ଦ ଯୋଡ଼ିଲା ଜୁଲାଇ ୨୯

ଇତିହାସ କହେ, ଏକଦା ସ୍ବାଧୀନ ଭାରତର ସେନାକୁ ବିନା ଜୋତା ଓ ହେଲମେଟରେ, ବିନା ବନ୍ଧୁକ ଓ ଗୁଳିରେ, ଭୋକଉପାସରେ ଶତ୍ରୁ ସହ ଯୁଦ୍ଧ ଲଢ଼ିବାକୁ ପଡ଼ିଥିଲା। ତଥାପି ପଛକୁ ହଟି ନ ଥିଲେ ଯବାନ, ପ୍ରତିକୂଳ ପରିସ୍ଥିତିରେ ଅପୂର୍ବ ବୀରତ୍ବ ପ୍ରଦର୍ଶନ କରିଥିଲା ଭାରତୀୟ ସେନା। ଆଜି କିନ୍ତୁ ସ୍ଥିତି ସେପରି ନାହିଁ, ସମୟ ସହ ତାଳ ଦେଇ ବଦଳିଛି ପରିସ୍ଥିତି। ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସୁସଜ୍ଜିତ ଭାରତୀୟ ସେନା ଏବେ ଶତ୍ରୁପକ୍ଷର ରଣହୁଙ୍କାରକୁ ମୁହଁତୋଡ଼ ଜବାବ ଦେବାକୁ ସଂପୂର୍ଣ୍ଣ ଭାବେ ସମର୍ଥ। ସଂପ୍ରତି ଭାରତର ସେନାଶକ୍ତିକୁ ଆଉ ପାଦେ ଆଗେଇ ନେଇଛି ଅତ୍ୟାଧୁନିକ ଯୁଦ୍ଧ ବିମାନ ରାଫେଲ୍ ଜେଟ୍।

Al Jajeera

ବାୟୁସେନା ଇତିହାସରେ ନୂଆ ଫର୍ଦ୍ଦ ଯୋଡ଼ିଲା ଜୁଲାଇ ୨୯
ଭାରତ ଓ ଚୀନ ଭିତରେ ଲଦାଖ ସୀମାନ୍ତରେ ଯୁଦ୍ଧ ଭଳି ପରିସ୍ଥିତି ଲାଗି ରହିଥିବା ବେଳେ ଜୁଲାଇ ୨୯ ତାରିଖ ଦିନ ଅମ୍ବାଲା ଏୟାରବେସରେ ଭାରତୀୟ ବାୟୁସେନାରେ ସାମିଲ୍ ହୋଇଥିଲା ପାଞ୍ଚଟି ଅତ୍ୟାଧିନିକ ରାଫେଲ୍ ଲଢୁଆ ବିମାନ। ଅମ୍ବାଲାରେ ‘ଗୋଲ୍ଡେନ୍ ଆରୋଜ୍ ସ୍କ୍ବାଡନ- ୧୭’ର କମାଣ୍ଡିଙ୍ଗ୍ ଅଫିସର୍ ଗ୍ରୁପ୍ କ୍ୟାପ୍ଟେନ୍ ହରକିରାତ ସିଂହଙ୍କ ନେତୃତ୍ବରେ ଏୟାର୍ ଚିଫ୍ ମାର୍ସାଲ୍ ଆରକେଏସ୍ ଭଦୌରିଆ ଏବଂ ୱେଷ୍ଟର୍ଣ୍ଣ ଏୟାର୍ କମାଣ୍ଡ କମାଣ୍ଡର୍ ଇନ୍ ଚିଫ୍ ଏୟାର୍ ମାର୍ସାଲ୍ ବି. ସୁରେଶ ରାଫେଲ୍ ଜେଟକୁ ସ୍ବାଗତ କରିଥିଲେ। ଏଥିରୁ ଦୁଇଟି ଦୁଇ ଆସନବିଶିଷ୍ଟ ରାଫେଲକୁ ଉଡ଼ାଇ ଆଣିଥିଲେ ଚାରି ଜଣ ଭାରତୀୟ ପାଇଲଟ୍। ବାକି ତିନିଟିକୁ ଉଡ଼ାଇ ଆଣିଥିଲେ ଅନ୍ୟ ତିନିଜଣ ପାଇଲଟ୍। ବାଟରେ ଫ୍ରାନ୍ସ୍-ୟୁଏଇ ଏବଂ ୟୁଏଇ-ଭାରତ ବିମାନରୁ ଏଥିରେ ଆକଶମାର୍ଗରେ ଇନ୍ଧନ ଭରାଯାଇଥିଲା।ଜୁଲାଇ ୨୭ ତାରିଖ ଦିନ ପାଞ୍ଚଟିଯାକ ରାଫେଲ୍ ଫ୍ରାନ୍ସର ବୋଡାଓ ମେରିଙ୍ଗନ୍ୟାକ୍ ବିମାନଘାଟିରୁ ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ଯାତ୍ରାକାଳୀନ ବୈଷୟିକ ସହାୟତା ପାଇଁ ଇଞ୍ଜିନିୟର୍, ଟେକ୍ନିସିଆନ୍ ଏବଂ ଯନ୍ତ୍ରାଂଶ ନେଇ ସେମାନଙ୍କ ସାଙ୍ଗରେ ଆସିଥିଲା ସି-୧୭ ନାମକ ଗୋଟାଏ ବିଶାଳ ପରିବହନ ବିମାନ। ବାଟରେ ମାତ୍ର ଗୋଟିଏ ସ୍ଥାନ ଆବୁଧାବିର ଅଲ୍ ଧଫ୍ରା ବିମାନଘାଟିରେ ଏହି ପାଞ୍ଚଟିଯାକ ରାଫେଲ ଅଟକି ଥିଲେ। ଦୁଇ ଦିନ ବିଶ୍ରାମ ପରେ ପୁଣି ସେମାନେ ରାଫେଲ୍ ଉଡ଼ାଣ ଆରମ୍ଭ କରି ସିଧା ଆସି ଭାରତରେ ପହଞ୍ଚିଥିଲେ। ଭାରତ ଏବଂ ଉପସାଗରୀୟ ଅଞ୍ଚଳ ମଧ୍ୟରେ ପାଟ୍ରୋଲିଙ୍ଗ୍ କରୁଥିବା ଭାରତୀୟ ନୌସେନାର ଯୁଦ୍ଧପୋତ ସମୁଦ୍ର ମଧ୍ୟରୁ ପ୍ରଥମେ ସେମାନଙ୍କୁ ସ୍ବାଗତ କରିଥିଲା। ଭାରତ ଆସୁଥିବା ରାଫେଲ୍ ବିମାନର ନିରାପତ୍ତା ସଂକ୍ରାନ୍ତରେ ସୁନିଶ୍ଚିତ ହେବାକୁ ସେ ଅଞ୍ଚଳରେ ଭାରତୀୟ ବାୟୁସେନା ଓ ନୌସେନାଙ୍କୁ ମୁତୟନ କରାଯାଇଥିଲା। ଅଧିକ ସୁରକ୍ଷା ଲାଗି ସେଠାରେ ପ୍ରସ୍ତୁତ କରି ରଖାଯାଇଥିଲା ବାୟୁସେନାର ଦୁଇଟି ‘ସୁଖୋଇ ୩୦ ଏମକେଆଇ’ ଲଢୁଆ ବିମାନ ।

ସମ୍ବନ୍ଧିତ ଖବର