ଚାରିବର୍ଷ ବୟସରେ ଦୁଇଟି ହାତ କଟି ଯିବା ପରେ ହସ୍‌ପିଟାଲ୍‌ରେ ଛାଡି ଚାଲି ଯାଇଥିଲେ ବାପା-ମା’, ଏହି ଶିଶୁଟି ଆଜି ବଡ଼ ହୋଇ ନିଜ ପାଦ ଆଙ୍ଗୁଳିରେ ଲେଖିଛି ସଫଳତାର ଏପରି କାହାଣୀ

ନୂଆଦିଲ୍ଲୀ; ସୁନୀଲ କୁମାର ନାମକ ଜଣେ ଯୁବକଙ୍କ କରୁଣ କାହାଣୀ। ସୁନୀଲଙ୍କୁ ମାତ୍ର ଚାରିବର୍ଷ ହୋଇଥିବା ବେଳେ ଏକ ଦୁର୍ଘଟଣାରେ ତାଙ୍କ ହାତ କଟି ଯାଇଥିଲା। ମା-ବାପା ଏପରି ଅବସ୍ଥାରେ ଶିଶୁର ସାହାରା ବନିବା ପରିବର୍ତ୍ତେ ହସ୍‌ପିଟାଲ୍‌ରେ ହିଁ ତାକୁ ଛାଡି ଚାଲି ଯାଇଥିଲେ। ନୀରିହ ଶିଶୁଟି ପିତା-ମାତାଙ୍କ ସ୍ନେହ ପାଇଁ ଝୁରୁଥିବା ବେଳେ ଆଉ ପଛକୁ ମୋଡି ଚାହିଁ ନଥିଲେ ନିଷ୍ଠୁର ପିତା-ମାତା। ନିଜ ଭାଗ୍ୟକୁ ଆଦରି ହସ୍‌ପିଟାଲ୍‌ରେ ପଡ଼ି ରହିଥିଲା ଶିଶୁ।

ପଞ୍ଚକୁଲାରେ ବସବାସ କରୁଥିବା ସୁନୀଲ କହନ୍ତି, ‘ଦିନେ ବିଜୁଳି ଆଘାତ ଲାଗିବା ହେତୁ ମୋର ଦୁଇଟି ହାତ ନଷ୍ଟ ହୋଇ ଯାଇଥିଲା। ମା’ -ବାପା ଚିକିତ୍ସା ପାଇଁ ଚଣ୍ଡିଗଡ଼ର ପିଜିଆଇରେ ଭର୍ତ୍ତି କରିଥିଲେ। କିନ୍ତୁ ହାତ ଦୁଇଟିକୁ କାଟିବାକୁ ପଡ଼ିବ ବୋଲି ଡାକ୍ତର କହିଥିଲେ। ହୁଏତ ମା’-ବାପା କିପରି ମୋତେ ଏଭଳି ଅବସ୍ଥାରେ ବଡ଼ କରିବେ ସେ ଚିନ୍ତାରେ ମୋତେ ହସ୍‌ପିଟାଲ୍‌ରେ ହିଁ ଛାଡ଼ି ଚାଲି ଯାଇଥିଲେ। ଏହାପରେ ମୋତେ ଜଣେ ମହିଳା ମଦର ଟେରେସା ହରିୟାଣା ସାକେନ୍‌ କାଉନସିଲ୍‌ ପରିଷଦକୁ ଆଣିଥିଲେ। ଏଠାରେ ହିଁ ମୁଁ ଜୀବନ ବଞ୍ଚିବା ଆରମ୍ଭ କରିଥିଲି।

ନିଜ ପାଦର ଆଙ୍ଗୁଳିକୁ ହାତ ପରି ବ୍ୟବହାର କରିବାକୁ ଅଭ୍ୟାସ କରିଲି। ପାଦର ଆଙ୍ଗୁଳିରେ ନିଜ ଦୈନଦିନ ଜୀବନର କାମ କରିବା ଶିଖିବା ସହିତ ପେଣ୍ଟିଂ ବ୍ରଶ ଧରିବା ବି ଶିଖିଥିଲି। କଠିନ ପରିଶ୍ରମ କରିବା ପରେ ଧୀରେଧୀରେ ନିଜ ଗୋଡର ଆଙ୍ଗୁଳିରେ ତୂଳୀ ଧରି ଚିତ୍ର ଆଙ୍କି ଅନେକ ସଫଳତା ହାସଲ କରିଲି। ଯାହାକୁ ଦେଖି ମୋତେ ଆଜି ଗର୍ବ ଅନୁଭବ ହୁଏ।’

ସୁନୀଲ ଗୋଡର ଆଙ୍ଗୁଳିରେ ଯେଉଁଭଳି କାମ କରୁଛନ୍ତି, ତାହା କୋଟିକୋଟି ଲୋକ ସାମାନ୍ୟ ହାତର ଆଙ୍ଗୁଳିରେ ବି କରିବା କଷ୍ଟ ହେବ। ଆଜି ସୁନୀଲ ସେହିମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି ଯେଉଁମାନେ କି ଜୀବନରେ ଆସୁଥିବା ଅସୁବିଧାର ସାମ୍ନା ନକରି ହାର ମାନି ଯାଇଥାଆନ୍ତି ଓ ଅନେକ ଭୁଲ ରାସ୍ତାକୁ ଆପଣେଇ ନେଇ ଥାଆନ୍ତି।

ସମ୍ବନ୍ଧିତ ଖବର