ଶାନ୍ତିର ଦେଶ ଆଇସ୍‌ଲାଣ୍ଡ

ବିଶ୍ବର ଅଷ୍ଟାଦଶ ବୃହତ୍ତମ ଦ୍ବୀପ ତଥା ଗ୍ରେଟ୍‌ ବ୍ରିଟେନ୍‌ ପରେ ୟୁରୋପର ଦ୍ବିତୀୟ ବୃହତ୍ତମ ଦ୍ବୀପ ଭାବେ ପରିଚିତ ଆଇସ୍‌ଲାଣ୍ଡକୁ ୨୦୨୧ ମସିହା ପାଇଁ ବିଶ୍ବର ଶେଷ୍ଠ ଶାନ୍ତିପ୍ରିୟ ଦେଶର ମାନ୍ୟତା ମିଳିଛି। ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇକୋନୋମିକ୍‌ସ ଆଣ୍ଡ୍‌ ପିସ୍‌(ଆଇଇପି) ଦ୍ବାରା ବିଶ୍ବ ଶାନ୍ତି ମାନଦଣ୍ଡ(ଜିପିଆଇ) ଉପରେ ପ୍ରକାଶିତ ୧୬୩ ଟିକିଆ ଦେଶର ତାଲିକାରେ ୪ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଆଇସ୍‌ଲାଣ୍ଡ ପ୍ରଥମ ସ୍ଥାନରେ ରହିଛି। ଏଥିରେ ଆମେରିକାର ସ୍ଥାନ ୧୨୨ ଓ ଭାରତର ସ୍ଥାନ ୧୩୫ ହୋଇଥିବା ବେଳେ ତାଲିକାର ପ୍ରଥମ ପାଞ୍ଚ ସ୍ଥାନରେ ଆଇସ୍‌ଲାଣ୍ଡ ବ୍ୟତୀତ ପଛକୁ ପଛ ନ୍ୟୁଜିଲାଣ୍ଡ୍‌, ଡେନ୍‌ମାର୍କ, ପର୍ତ୍ତୁଗାଲ ଓ ସ୍ଲୋଭେନିଆ ରହିଛନ୍ତି।

ବିଶ୍ବବ୍ୟାପୀ ବିଭିନ୍ନ ଅନୁଧ୍ୟାନ ସଂସ୍ଥାରୁ ମିଳିଥିବା ପରିସଂଖ୍ୟାନରୁ ୨୩ଟି ମାନଦଣ୍ଡକୁ ବିଚାରକୁ ନେଇ ଆଇଇପି ଏହି ତାଲିକା ପ୍ରକାଶ କରିଛି। ଏଥିରେ ମୁଖ୍ୟତଃ ସାମାଜିକ ନିରାପତ୍ତା ଓ ସୁରକ୍ଷା, ଜାରି ରହିଥିବା ଆଭ୍ୟନ୍ତରୀଣ କନ୍ଦଳ ଓ ଆନ୍ତର୍ଜାତିକ ବିବାଦ ଏବଂ ଦେଶର ସୈନିକୀକରଣ ଆଦି ପ୍ରସଙ୍ଗକୁ ପ୍ରାଧାନ୍ୟ ଦିଆଯାଇଛି। ଯେଉଁ ଦେଶ ଜାତିସଂଘର ଶାନ୍ତିରକ୍ଷା ବାହିନୀକୁ ଯେତେ ଅଧିକ ଆର୍ଥିକ ସହାୟତା କରୁଛି ତାହାକୁ ଅଧିକ ଶାନ୍ତିପ୍ରିୟ ଭାବେ ବିବେଚନା କରାଯାଇଛି। ସେହିପରି ଯେଉଁ ଦେଶ ନିଜ ଜିଡିପିର ଅଧିକ ଅଂଶ ସାମରିକ ଖର୍ଚ୍ଚରେ ବିନିଯୋଗ କରୁଛି, ତାହାକୁ କମ୍‌ ଶାନ୍ତିପ୍ରିୟ ଦେଶ ଭାବେ ପରିଗଣନା କରାଯାଇଛି।

ଆଇସ୍‌ଲାଣ୍ଡରେ ଅପରାଧ ହାର ଏତେ ନଗଣ୍ୟ ଯେ ପୁଲିସକୁ ମଧ୍ୟ ହାତରେ ବନ୍ଧୁକ ଧରିବା ଦରକାର ପଡୁନାହିଁ। ଆଇଇପି ଦ୍ବାରା ଜିଇପି ତାଲିକା ପ୍ରକାଶ ପାଇବା ଦିନଠାରୁ ଦୀର୍ଘ ୧୨ ବର୍ଷ ଧରି ଆଇସ୍‌ଲାଣ୍ଡ ସେପରି ସବୁଠୁ ଶାନ୍ତିପ୍ରିୟ ଦେଶର ମାନ୍ୟତା ବଜାୟ ରଖି ଆସିଛି।

ସମ୍ବନ୍ଧିତ ଖବର