ସ୍ୱାମୀ ଘରୁ ବାହାର କରି ଦେବା ପରେ ଭିକ ମାଗୁଥିବା ସିନ୍ଧୁ ଆଜି ୧୦୦୦ରୁ ଊର୍ଧ୍ୱ ଅନାଥ ଶିଶୁଙ୍କ ମା’, ଜାଣନ୍ତୁ ତାଙ୍କର ସଂଘର୍ଷମୟ ଜୀବନର କାହାଣୀ

ପ୍ରତ୍ୟେକ ମଣିଷ ଉଚ୍ଚ ହେବାର ସ୍ୱପ୍ନ ଦେଖିଥାଆନ୍ତି। ଯଦି କୌଣସି ବ୍ୟକ୍ତି ପରିସ୍ଥିତି ଅନୁଯାୟୀ ଗରିବ ହୋଇଯାଏ ଓ ତାକୁ ଭିକ ମାଗିବାକୁ ପଡେ ତେବେ ତାର ସବୁ ସ୍ୱପ୍ନ ପାଣି ଫଟକା ଭଳି ମେଳାଇ ଯାଇଥାଏ। ଏହି କ୍ରମରେ ୨୦ବର୍ଷୀୟା କିଶୋରୀ ସିନ୍ଧୁଙ୍କ ନାମ ଆସେ। ସିନ୍ଧୁ ଦିନେ ପାଠପଢ଼ି ଭଲ ଚାକିରି କରିବେ ବୋଲି ସ୍ୱପ୍ନ ଦେଖିଥିଲେ। କିନ୍ତୁ ତାଙ୍କୁ ପରିସ୍ଥିତି ଏମିତି ସ୍ଥାନରେ ଆଣି ଛିଡା କରିଥିଲା ଯେ ସବୁ ଆଶାକୁ ନିଜ ମନ ଭିତରେ ହିଁ ହଜାଇ ଦେଇଥିଲେ। ସିନ୍ଧୁଙ୍କ ନିଜ ଉପରେ ଥିବା ପ୍ରଗାଢ଼ ଆତ୍ମବିଶ୍ୱାସ ହେତୁ ସେ ନିଜ ଗୋଡରେ ନିଜେ ଛିଡା ହୋଇଥିଲେ। ଆଜି ସେ ୧୦୦୦ରୁ ଊର୍ଧ୍ୱ ଶିଶୁଙ୍କୁ ଆଶ୍ରୟ ଦେଇ ସେମାନଙ୍କୁ ଖୁସିରେ ରଖିଛନ୍ତି।

ପୁଣେର ସିନ୍ଧୁତାଇ ସପକାଲ ନିଜ ଦମ୍ଭ ବଳରେ ଯାହା କରି ଦେଖାଇଛନ୍ତି ତାହା ହୁଏତ କଳ୍ପନା କରି ହେବ ନାହିଁ। ଆଜି ଅନ୍ତର୍ଜାତୀୟ ମହିଳା ଦିବସରେ ଆସନ୍ତୁ ଜାଣିବା ଏହି ମହିଳାଙ୍କ ସଂଘର୍ଷମୟ ଜୀବନ ବିଷୟରେ…

ସିନ୍ଧୁଙ୍କ ଜନ୍ମ ୧୯୪୮ ମସିହା ନଭେମ୍ବର ୧୪ରେ ପିପରି ଗ୍ରାମରେ ହୋଇଥିଲା। ତାଙ୍କ ପିତାଙ୍କ ନାମ ଅଭିମାନ ସାଠେ ଚରବାହା ଓ ମା’ ଜଣେ ଗୃହିଣୀ ଥିଲେ। ତାଙ୍କ ପିତାଙ୍କୁ ଛାଡ଼ି ସିନ୍ଧୁଙ୍କୁ ପରିବାରରେ କେହି ହେଲେ ପସନ୍ଦ କରୁ ନଥିଲେ। ୧୦ବର୍ଷ ବୟସରେ ସିନ୍ଧୁଙ୍କ ବିବାହ ୩୦ବର୍ଷୀୟ ଶ୍ରୀହରିଙ୍କ ସହିତ ପରିବାର ଲୋକ କରାଇ ଦେଇଥିଲେ। ୨୦ବର୍ଷ ବୟସରେ ସେ ତିନିଟି କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ସ୍ୱାମୀଙ୍କୁ ସାହାଯ୍ୟ ପାଇଁ ସେ ବି ଦିନମଜୁରିଆ ଭାବେ କାମ କରିବା ଆରମ୍ଭ କରିଥିଲେ। ଏଭଳି ପରିସ୍ଥିତିରେ ସ୍ୱାମୀ ବି ତାଙ୍କୁ ଘରୁ ବାହାର କରି ଦେଇଥିଲା।

ଏହାପରଠାରୁ ସିନ୍ଧୁଙ୍କ ପ୍ରତିଟି ଦିନ ସଂଘର୍ଷରେ ହିଁ କଟିବା ଆରମ୍ଭ ହୋଇ ଯାଇଥିଲା। ସ୍ୱାମୀ ଘରୁ ବାହାର କରି ଦେବା ପରେ ସେ ଆଶ୍ରୟ ପାଇଁ ତାଙ୍କ ବାପ ଘରକୁ ଯାଇଥିଲେ। ସେତେବେଳକୁ ତାଙ୍କ ପିତାଙ୍କ ମୃତ୍ୟୁ ହୋଇ ଯାଇଥିଲା। ମା’ ତାଙ୍କୁ ଘରେ ରଖିବେ ନାହିଁ ବୋଲି ମନା କରି ଦେଇଥିଲେ। ସିନ୍ଧୁ ସେତେବେଳେ ଏକ କନ୍ୟା ସନ୍ତାନକୁ ଗୁହାଳରେ ଜନ୍ମ ଦେଇ ପଥର ସାହାଯ୍ୟର ଜନ୍ମନଳୀ କାଟିଥିଲେ। ଏହାପରେ ସେ ନବଜାତ ଶିଶୁକୁ ନେଇ ରେଳେଓ୍ଵ ଷ୍ଟେସନ୍‌କୁ ଚାଲି ଆସିଥିଲେ। ସେଠାରେ ଶିଶୁକୁ ଧରି ଭିକ ମାଗିବା ଆରମ୍ଭ କରିଥିଲେ ଓ ରାତି ଶ୍ମଶାନରେ ରହୁଥାଏ । ଏହି ସ୍ଥାନକୁ ସେ ନିଜ ଓ ନିଜ ଶିଶୁ ପାଇଁ ସୁରକ୍ଷିତ ଭାବିଥିଲେ। ଏକଦା ସେ ଏକ ଶିଶୁକୁ ତାଙ୍କ ଝୁପୁଡି ବାହାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ସେ ତାକୁ ଆଣି ନିଜ ପାଖରେ ରଖିଥିଲେ। ଏହି ଶିଶୁକୁ ଦେଖି ସିନ୍ଧୁ ଅନ୍ୟ ଅନାଥ ଶିଶୁଙ୍କୁ ନିଜ ପାଖରେ ରଖିବେ ବୋଲି ଭାବି ଥିଲେ। ପୁଣି ନିଜ ଉପରେ ହସିଥିଲେ ଏବଂ କହିଥିଲେ, ନିଜେ ତ ଗୋଟେ ବେଳା ଖାଇଲେ ଆର ବେଳାକୁ ଉପବାସ। ଏହି ଶିଶୁମାନଙ୍କୁ ରଖିବି କିପରି।

ଧୀରେ ଧୀରେ ସେ ଅନାଥ ପିଲାଙ୍କ ପାଇଁ ଗଳିଗଳି ବୁଲି ଭାଷଣ ଦେବାକୁ ଲାଗିଲେ। ଅନାଥ ପିଲାଙ୍କ ପ୍ରତି ସିନ୍ଧୁଙ୍କ ମନଭାବ ଦେଖି ଲୋକମାନେ ତାଙ୍କୁ କିଛି ଅର୍ଥ ସାହାଯ୍ୟ କରିବାକୁ ଲାଗିଥିଲେ। ଏହି ଅର୍ଥ ପାଇ ସିନ୍ଧୁଙ୍କ ମନୋବଳ ବଢ଼ିଥିଲା। ଧୀରେ ଧୀରେ ସେ ଗୋଟିଏ ପରେ ଗୋଟିଏ ଅନାଥ ପିଲାଙ୍କୁ ଆଣି ନିଜ ପାଖରେ ରଖି ଆଶ୍ରମ କରିଥିଲେ। ସିନ୍ଧୁରୁ ସେ ସିନ୍ଧୁତାଇ ବନି ଯାଇଥିଲେ। ପିଲାମନେ ତାଙ୍କୁ ମା’ ବୋଲି ଡାକିବା ଆରମ୍ଭ କରିଥିଲେ।

ସିନ୍ଧୁ ତାଇଙ୍କ ଏହି ଆଶ୍ରମରୁ ପାଠପଢ଼ି ଅନେକ ପିଲା ଆଜି ଡାକ୍ତର ଓ ଇଞ୍ଜିନିୟର ବନି ସାରିଛନ୍ତି, ତ କିଛି ପିଲା ବିଦେଶରେ ଶିକ୍ଷା ନେଉଛନ୍ତି। ତାଙ୍କର ୨୦୦ଜଣ ଜ୍ୱାଇଁ ଓ ୪୦ରୁ ଅଧିକ ବୋହୂ ଅଛନ୍ତି। ସିନ୍ଧୁ ତାଇଙ୍କୁ ଏଯାବତ୍‌ ୨୭୩ଟି ଜାତୀୟ ତଥା ଅନ୍ତର୍ଜାତୀୟ ପୁରସ୍କାର ମିଳି ସାରିଛି। ପୁରସ୍କାରରେ ମିଳୁଥିବା ଅର୍ଥରାଶିକୁ ସେ ଆଶ୍ରମ ଓ ଅନାଥ ପିଲାଙ୍କ ଉପରେ ଖର୍ଚ୍ଚ କରି ଥାଆନ୍ତି।

ସମ୍ବନ୍ଧିତ ଖବର