୬୫ ହଜାର ଟଙ୍କା ଥିବା ଏକ ପର୍ସ ପାଇ ପୁଲିସ୍‌କୁ ଦେଲେ ଏନ୍‌ଏସ୍‌ଆର୍‌ୱାଇ କର୍ମଚାରୀ, ଟଙ୍କା ସହ ପର୍ସ ଫେରିପାଇଲେ ଅଟୋ ଚାଳକ

ତିରୁବନନ୍ତପୁରମ୍‌: ଆପଣ ନିଜର ପର୍ସ କେବେ ହରାଇଛନ୍ତି? ଆପଣଙ୍କ ସହ ଏପରି ଘଟିଥାଉ କି ନଘଟିଥାଉ କିନ୍ତୁ ଉଚ୍ଚ ରକମର ଟଙ୍କା ଥିବା ପର୍ସ ଯଦି କେଉଁଠି ହଜିଯାଏ ତାହା କେତେ ବିବ୍ରତ କରାଇବ ଆପଣ ସେକଥା ବୁଝୁଥିବେ ନିଶ୍ଚୟ। ଏପରି ଏକ ଘଟଣା ଘଟିଛି ତାମିଲ୍‌ନାଡୁରେ। ମାତ୍ର ଏହାର ଶେଷଟା ନିଶ୍ଚୟ ପ୍ରେରଣାଦାୟକ।

ଘଟଣାଟି ହେଉଛି, କୋଚିର ନାଭାଲ୍ ସିପ୍ ରିପାୟାର ୟାର୍ଡର(ଏନ୍‌ଏସ୍‌ଆର୍‌ୱାଇ) ଜଣେ କର୍ମଚାରୀ ୬୫ ହଜାର ଟଙ୍କା ଥିବା ଏକ ପର୍ସ ପାଇବା ପରେ ତାହାକୁ ପାନଙ୍ଗଡ ପୋଲିସ୍ ଷ୍ଟେସନରେ ଜମା କରିଥିଲେ। ପୁଲିସ୍‌ ଏହି ପର୍ସର ଅସଲ ମାଲିକଙ୍କୁ ଖୋଜି ଗୁରୁବାର ସେହି ଟଙ୍କାକୁ ହସ୍ତାନ୍ତର କରିଥିବା ଜାଣିବାକୁ ମିଳିଛି। ଏହି ଟଙ୍କାର ଅସଲ ମାଲିକ ହେଉଛନ୍ତି ଜଣେ ଅଟୋ ଚାଳକ। 

 

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ କୋଚିର ନାଭାଲ୍ ସିପ୍ ରିପାୟାର ୟାର୍ଡର କର୍ମଚାରୀ ପି.କେ ସୁଧାକରନ୍ କାମରୁ ଫେରୁଥିବା ବେଳେ ଅଗଷ୍ଟ ୨୬ରେ ରାସ୍ତାରେ ୬୫,୦୦୦ ଟଙ୍କା ନଗଦ ଥିବା ଏକ  ପର୍ସ ଦେଖିଥିଲେ। ପର୍ସଟିକୁ ପାଇବା ପରେ ସେ ପାନଙ୍ଗଡ ପୋଲିସ ଷ୍ଟେସନରେ ଜମା କରିଥିଲେ। ଏହାକୁ ଅଗଷ୍ଟ ୨୭ ତାରିଖରେ ପର୍ସର ଅସଲ ମାଲିକଙ୍କୁ ଫେରାଇ ଦିଆଯାଇଛି।

ତେବେ ଏହି ପର୍ସଟିକୁ ପାଇଥିବା ବ୍ୟକ୍ତିଙ୍କର ସଚ୍ଚୋଟତା ଏବଂ ସହାନୁଭୂତିକୁ ଏବେ ବିଭିନ୍ନ ମହଲରୁ ପ୍ରଶଂସା ହେଉଛି। ପାନଗଡ ପୋଲିସ ଷ୍ଟେସନର ସବ୍ ଇନ୍ସପେକ୍ଟର ତାଙ୍କର ଖୁବ୍‌ ପ୍ରଶଂସା କରିଥିଲେ।

ସମ୍ବନ୍ଧିତ ଖବର