ଆଖି ସାମ୍ନାରେ ବାପାଙ୍କୁ ଗୁଳିମାରିଥିଲେ ନକ୍ସଲ, ଝିଅ ହେଲେ ମିସ ଇଣ୍ଡିଆ

ରାୟପୁର: ଛତିଶଗଡର ବସ୍ତର ଜିଲ୍ଲାର ଚିତ୍ର ବର୍ତ୍ତମାନ ବଦଳୁଛି | ଏଠାକାର ଯୁବକଯୁବତୀମାନେ ଏବେ ଦେଶ ତଥା ବିଶ୍ୱରେ ସୁନାମ ଅର୍ଜନ କରୁଛନ୍ତି | କ୍ରୀଡା, ଶିକ୍ଷା ଏବଂ ମନୋରଞ୍ଜନ ସମେତ ଅନ୍ୟାନ୍ୟ କ୍ଷେତ୍ରରେ ଏହି ଅଂଚଳର ଯୁବକଯୁବତୀମାନେ ଏବେ ରେକର୍ଡ ପରେ ରେକର୍ଡ କରିଚାଲିଛନ୍ତି | ଏଭଳି ଏକ ପ୍ରତିଭାଙ୍କ ବାବଦରେ ଆଜି ଆମେ ଆପଣଙ୍କୁ କହିବୁ | ଯିଏ କି ବସ୍ତରର ଏକ ଛୋଟ ଗାଁରୁ ଆସି ଗ୍ଲାମର ଦୁନିଆରେ ଚମକିଛନ୍ତି | ଏହି ଯୁବତୀଙ୍କ ନାମ ହେଉଛି ଲିପି ମେଶ୍ରମ |

ଲିପି ଖୁବ୍ କମ୍ ବୟସରେ ମିସ୍ ଇଣ୍ଡିଆ ଟାଇଟଲ୍ ଜିତିଛନ୍ତି | ଗୋଆରେ ଆୟୋଜିତ ହୋଇଥିବା ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ବାଜିମାତ କରି ଲିପି ପ୍ରମାଣିତ କରିଛନ୍ତି ଯେ ଚେଷ୍ଟା ଓ ଅଧ୍ୟବସାୟ ଦ୍ୱାରା ସବୁ କିଛି ସମ୍ଭବ | ତେବେ ଲିପିଙ୍କ ପିତା ଦିନେ ଲାଲ ଆତଙ୍କର ଶିକାର ହୋଇଥିଲେ। ୨୦୦୯ ମସିହାରେ, ଲିପିଙ୍କ ପିତାଙ୍କୁ ଲାଉଣ୍ଡିଗୁଡାସ୍ଥିତ ଘର ସାମ୍ନାରେ ନକ୍ସଲମାନେ ଗୁଳି କରି ହତ୍ୟା କରିଥିଲେ | ବାପାଙ୍କ ମୃତ୍ୟୁ ପରେ ଲିପିଙ୍କ ମାଆ ଭାଙ୍ଗିନପଡି ନିଜ ପିଲାମାନଙ୍କୁ ନୂଆ ଢଙ୍ଗରେ ଜୀବନ ଜିଇଁବା ପାଇଁ ପ୍ରେରଣା ଦେଇଥିଲେ |

ଆଜି ଲିପି ତାଙ୍କ ପ୍ରତିଭା ଦ୍ୱାରା ନକ୍ସଲଙ୍କୁ ଏକ ଶକ୍ତ ଚାପୁଡ଼ା ମାରିଛନ୍ତି | ଏହି ପ୍ରତିଯୋଗିତାରେ ଲିପି ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ୩୦ଜଣ ପ୍ରତିଯୋଗୀଙ୍କୁ ପରାସ୍ତ କରିଥିଲେ | ଲିପି କହିଛନ୍ତି ଯେ ବାପାଙ୍କ ମୃତ୍ୟୁ ପରେ ମୁଁ ଭାଙ୍ଗିପଡ଼ିଥିଲି | ତେବେ ପରିବାରର ସମର୍ଥନ ଏବଂ ବନ୍ଧୁମାନଙ୍କ ଉତ୍ସାହ ମୋତେ ଶକ୍ତି ପ୍ରଦାନ କରିଥିଲା |

ସମ୍ବନ୍ଧିତ ଖବର