କରୋନାରେ ସବୁ କିଛି ନଷ୍ଟ ହୋଇଯିବା ପରେ କ୍ୟାବ୍ ଚଳାଇବା ସହିତ ମା’ର କର୍ତ୍ତବ୍ୟ ପାଳନ କରୁଛନ୍ତି ଏହି ମହିଳା

ନୂଆଦିଲ୍ଲୀ: ଜଣେ ମା’ ନିଜ ସନ୍ତାନର ସୁଖ ଏବଂ ଭଲ ଭବିଷ୍ୟତ ପାଇଁ ନିଜ ଜୀବନକୁ ବାଜି ଲଗାଇବ‌ାକୁ ପଛାଇ ନଥାଏ। ତେବେ ସମୟ ସମୟରେ ପରିସ୍ଥିତି ଏମିତି ଆସିଥାଏ କି ମା’ ତାର ପରିବାର ପୋଷିବା ପାଇଁ ବାହାରକୁ ବାହାରିଥାଏ। ନିକଟରେ ଜଣେ ମା’ଙ୍କ ଫଟୋ ଭାଇରାଲ ହୋଇଛି। ଏହି ଫଟୋଟି  ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ହୃଦୟକୁ ସ୍ପର୍ଶ କରିଛି।

ଏହି ଭିଡିଓକୁ ‌ଜଣେ କ୍ୟାବ ଯାତ୍ରୀ ସେୟାର କରିଛନ୍ତି।  କୁହାଯାଉଛି ଯେ ଏହି ଉବର କ୍ୟାବରେ ଜଣେ  ମହିଳା ତାଙ୍କ ଶିଶୁକୁ ପାଖରେ ଶୁଆଇ କ୍ୟାବ ଚଲାଉଛନ୍ତି ଓ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟରେ ପହଞ୍ଚାଉଛନ୍ତି । ଏତଦଦ୍ବାରା ସେ ମା’ର କର୍ତ୍ତବ୍ୟ ପାଳନ କରିବା ସହିତ ରୋଜଗାର ବି କରୁଛନ୍ତି।

ସୋସିଆଲ ମିଡିଆ ପ୍ଲାଟଫର୍ମ ଲିଙ୍କଡଇନରେ କ୍ଲାଉଡସିକର ସିଇଓ ରାହୁଲ ସାସି ଏହି ଫଟୋ ସେୟାର କରିଛନ୍ତି। ସେ ତାଙ୍କ ପୋଷ୍ଟରେ କହିଛନ୍ତି ଯେ ଯେତେବେଳେ ସେ କ୍ୟାବ ବୁକ୍ କରିଥିଲେ ସେତେବେଳେ ସେ ଜାଣି ନଥିଲେ ଯେ ଜଣେ ମା’ ତାଙ୍କୁ ଗାଡ଼ି ଚଲାଇ ନେଉଛନ୍ତି।

ରାହୁଲ ସାସି ଏହି ପୋଷ୍ଟରେ ଆହୁରି କହିଛନ୍ତି ଯେ, ସେ ବେଙ୍ଗାଲୁରୁର ଏକ ସ୍ଥାନକୁ ଯିବା ପାଇଁ ଏକ ଉବର କ୍ୟାବ ବୁକ୍ କରିଥିଲେ, କିନ୍ତୁ ତାଙ୍କୁ ନେବାକୁ କିଏ ଆସୁଥିଲା ସେ ଜାଣି ନଥିଲେ। ଯେତେବେଳେ କ୍ୟାବ ଆସି ସାମ୍ନାରେ ଅଟକି ଗଲା, ସେଥିରେ ଜଣେ ମହିଳା ଚାଳକ ଥିବା ସେ ଦେଖିବାକୁ ପାଇଥିଲେ। ଆଉ  ତାଙ୍କ ପାଖରେ ଥିବା ସିଟରେ ଏକ ସୁନ୍ଦର ଶିଶୁ କନ୍ୟା ଶୋଇଥିବାର ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଏହି ଯାତ୍ରା ସମୟରେ ରାହୁଲ ସାସି ମହିଳାଙ୍କଠାରୁ ତାଙ୍କ ବିଷୟରେ ଜାଣିବାକୁ ଚାହିଁଥିଲେ, ତା’ପରେ ବାର୍ତ୍ତାଳାପ ସମୟରେ ମହିଳା ଜଣକ କହିଥିଲେ ଯେ ତାଙ୍କ ନାମ ନନ୍ଦିନୀ ଏବଂ ସେ ଜଣେ ବିଜନେସ ଓମେନ ହେବାକୁ ଚାହୁଁଛନ୍ତି। ଏହାପୂର୍ବରୁ ନନ୍ଦିନୀ ଏକ ଫୁଡ୍ ଟ୍ରଲି ଆରମ୍ଭ କରିଥିଲେ, କିନ୍ତୁ କରୋନା ସବୁକିଛି ନଷ୍ଟ କରିଦେଇଥିଲା। ବ୍ୟବସାୟ ମଧ୍ୟ ଚାଲିପାରିଲା ନାହିଁ ଏବଂ ସମସ୍ତ ଜମା ହୋଇଥିବା ପୁଞ୍ଜି ଖର୍ଚ୍ଚ ହୋଇ ଯାଇଥିଲା।  କରୋନା ପରେ ଅର୍ଥ ଅଭାବ ସହିତ ପିଲାର ଭବିଷ୍ୟତ ପାଇଁ ପୁଣି ନିଜେ ଠିଆ ହେବା ପାଇଁ ସେ କ୍ୟାବ ଚଳାଇବା ଆରମ୍ଭ କରିଛନ୍ତି ବୋଲି ନନ୍ଦିନୀ କହିଥିଲେ।

ସମ୍ବନ୍ଧିତ ଖବର