ବିଦେଶ ମାଟିରେ ଓଡ଼ିଆ ବାସ୍ନା: ଓଡ଼ିଆ ପାଠଶାଳା ମାଧ୍ୟମରେ ଶିଖାଯାଉଛି ଓଡ଼ିଆ ଭାଷା

ଭୁବନେଶ୍ୱର/ଲଣ୍ଡନ: ମହନୀୟ ଓଡ଼ିଆ ଭାଷା | ଏକ ପୁରାତନ ଭାଷା ଭାବରେ ଖ୍ୟାତ ଓଡ଼ିଆ ଭାଷାର ଅପଭ୍ରଂଶକୁ ନେଇ ଭାଷା ପ୍ରେମୀ ଉଦବେଗ ପ୍ରକାଶ କରୁଥିଲେ ବି ଏବେ କିନ୍ତୁ ଓଡ଼ିଆ ଭାଷାରେ ପ୍ରସାରରେ ଲାଗିପଡିଛନ୍ତି ଦୁଇ ଜଣ ଓଡ଼ିଆ | ବ୍ରିଟେନର ଲଣ୍ଡନରେ ରହୁଥିବା ଡ. ଜୟଶ୍ରୀ ନନ୍ଦ ଓ ଶୁଭେନ୍ଦୁ ସେଠୀ ଏବେ ସେଠାରେ ପିଲାମାନଙ୍କୁ ଓଡ଼ିଆ ଶିଖାଇବାରେ ଲାଗିପଡିଛନ୍ତି | ଓଡ଼ିଆ ପାଠଶାଳା ନାମରେ ଆରମ୍ଭ କରିଛନ୍ତି ଭିନ୍ନ ପ୍ରୟାସ | ଓଡ଼ିଆ ବର୍ଣ୍ଣବୋଧଠାରୁ ଆରମ୍ଭ କରି ସରଳ ଭାଷାରେ ଓଡ଼ିଆ ଶବ୍ଦ ପିଲାମାନଙ୍କୁ ଶିଖାଯାଉଛି |

କରୋନା କାରଣରୁ ଅନଲାଇନରେ ଏବେ ପ୍ରାୟ ୭୦ରୁ ଅଧିକ ଜଣ ପିଲା ଓଡ଼ିଆ ଶିଖୁଥିବା ବେଳେ ପରେ ଏହାକୁ ସମ୍ପ୍ରସାରଣ କରାଯିବ ବୋଲି ଜୟଶ୍ରୀ କହନ୍ତି | ଭବିଷ୍ୟତରେ ଓଡ଼ିଆ ପାଠଶାଳାକୁ ନେଇ ଏକ ବିଦ୍ୟାଳୟ କରାଯିବ ଓ ସେଠାରେ ଓଡ଼ିଆ ଭାଷାକୁ ପଢ଼ାଯିବ ବୋଲି ଉଦ୍ୟୋଗୀମାନେ କହିଛନ୍ତି | ମିଳିଥିବା ସୂଚନା ମୁତାବକ ଓଡ଼ିଆ ପାଠଶାଳାର ପ୍ରଥମ ପାଠ୍ୟକ୍ରମ ଏପ୍ରିଲ ୯, ୨୦୨୦ରୁ ଆରମ୍ଭ ହୋଇଥିଲା | ଆଉ ଚଳିତ ବର୍ଷ ସରସ୍ବତୀ ପୂଜାରୁ ଦ୍ଵିତୀୟ ପର୍ଯ୍ୟାୟ ପାଠ୍ୟକ୍ରମ ଆରମ୍ଭ କରାଯାଇଛି |

ଜୟଶ୍ରୀଙ୍କ କହିବା କଥା ଯେ ବିଦେଶରେ ରହିଲେ ବି ଓଡ଼ିଆ ଭାଷାକୁ ଯେଭଳି ଭୁଲି ନ ଯିବା ସେହି ଚିନ୍ତାଧାରା ନେଇ ଏହି କାର୍ଯ୍ୟକ୍ରମ କରାଯାଉଛି | ପିଲାଙ୍କ ମଧ୍ୟରେ ଓଡ଼ିଆ ଭାଷାକୁ ସୁଗମ କରାଇବା ପାଇଁ ବିଭିନ୍ନ ଢଗଢ଼ମାଳି ମାଧ୍ୟମରେ ପିଲାଙ୍କୁ ଓଡ଼ିଆ ଶିଖାଯାଉଛି |ତେବେ ଓଡ଼ିଆ ପାଠଶାଳାର କର୍ତ୍ତୃପକ୍ଷଙ୍କ କହିବା ମୁତାବକ ବିନା ଅଭିଭାବକଙ୍କ ସହାୟତାରେ ଏହା ସମ୍ଭବ ହୋଇପାରି ନଥାନ୍ତା |

ସମ୍ବନ୍ଧିତ ଖବର