ପିଣ୍ତ-ବ୍ରହ୍ମାଣ୍ତ; ଗୀତାରେ ଯଜ୍ଞ-୨

ନିଜର ପାର୍ଥକ୍ୟହୀନ, ଅନନ୍ତ, ମୂଳ ବ୍ରାହ୍ମୀସ୍ଥିତିର ଅନୁଭବ ହେଉଛି ପିଣ୍ଡବ୍ରହ୍ମାଣ୍ଡ ସାଧକଙ୍କ ଲକ୍ଷ୍ୟ। ସିଦ୍ଧପୁରୁଷମାନଙ୍କ ମତରେ, ଏହା ହିଁ ହେଉଛି ପରମ ଯଜ୍ଞ। ଏହା ସମାଧି ସ୍ଥିତି। ଏହା ନିର୍ବିକଳ୍ପ ଅବସ୍ଥା ବା ନିର୍ବାଣ। ଅନ୍ୟ ସମସ୍ତ ଯଜ୍ଞକର୍ମ ହେଉଛି ଏହି ସର୍ବବ୍ୟାପକ ସ୍ଥିତିରେ ଉପନୀତ ହେବାପାଇଁ ଛୋଟ ଛୋଟ ପ୍ରୟାସ। ଶ୍ରୀମଦ୍‌ଭଗବଦ୍‌ଗୀତାର ଚତୁର୍ଥ ଅଧ୍ୟାୟ ୨୪ଶ ଶ୍ଳୋକରେ ଭଗବାନ ଶ୍ରୀକୃଷ୍ଣ ପ୍ରକୃତ ଯଜ୍ଞ କ’ଣ ତାହା କହିଛନ୍ତି। ଯେକୌଣସି ପିଣ୍ଡବ୍ରହ୍ମାଣ୍ଡ ସାଧକ ବୁଝିପାରେ, ଯେ ଏହା ହେଉଛି ନିର୍ବିକଳ୍ପ ସମାଧି, ନିର୍ବାଣ ବା ଚରମ ମୁକ୍ତିର ବର୍ଣ୍ଣନା। ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ୱାରା ବର୍ଣ୍ଣିତ ଏହି ଯଜ୍ଞସ୍ଥିତି ପ୍ରାପ୍ତ ହେଲେ, ଯେକୌଣସି ବ୍ୟକ୍ତିପାଇଁ ଯଜ୍ଞର ପରିଭାଷା ବଦଳିଯାଏ। ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ଓ କର୍ମ ଯଜ୍ଞରେ ପରିବର୍ତ୍ତିତ ହୋଇଯାଏ।

ସେହି ଶ୍ଳୋକରେ ଭଗବାନ ଶ୍ରୀକୃଷ୍ଣ ପରମ ଯଜ୍ଞର ବର୍ଣ୍ଣନା କରି କହିଛନ୍ତି, “ଯେଉଁ ଯଜ୍ଞରେ ଅର୍ପିତ ଦ୍ରବ୍ୟ ବ୍ରହ୍ମ, ହବନ ହେଉଥିବା ଦ୍ରବ୍ୟ ବ୍ରହ୍ମ ଏବଂ ବ୍ରହ୍ମରୂପୀ ଅଗ୍ନିରେ ବ୍ରହ୍ମରୂପୀ କର୍ତ୍ତା ଆହୁତି ଦିଅନ୍ତି- ତାହାହିଁ ବ୍ରହ୍ମକର୍ମ। ସେହି ଯଜ୍ଞର ଫଳ ମଧ୍ୟ ବ୍ରହ୍ମ।” ଏହା ଏକ ସାଧନାଲବ୍‌ଧ ସ୍ଥିତି। ଏହା ବିଶ୍ୱରୂପର ସୁଦୂର ଦର୍ଶନ ନୁହେଁ; ପ୍ରତ୍ୟକ୍ଷ ଅନୁଭୂତି। ଏହା ହେଉଛି ଚରମ ଏକାତ୍ମତାର ଅନୁଭବ। ‘ଯଜ୍‌’ ଧାତୁ, ଯେଉଁଥିରୁ ଯଜ୍ଞ ଶବ୍ଦ ନିର୍ମିତ, ତାହାର ଅର୍ଥ ହେଉଛି- ସଙ୍ଗ କରିବା ବା ଏକାତ୍ମ ହେବା। ଭଗବାନ ଶ୍ରୀକୃଷ୍ଣଙ୍କ ଏହି ଯଜ୍ଞ ବର୍ଣ୍ଣନାରେ କର୍ତ୍ତା, କର୍ମ ଓ କ୍ରିୟାର ପାର୍ଥକ୍ୟର ବିନାଶକୁ ପ୍ରକୃତ ଯଜ୍ଞକର୍ମ ଭାବେ ଦର୍ଶା ଯାଇଛି। ପାର୍ଥକ୍ୟ ହିଁ ମାୟା। ପାର୍ଥକ୍ୟରୂପୀ ମାୟାର ତ୍ୟାଗ, ଆହୁତି ବା ବିନାଶ ହେଉଛି ମୁକ୍ତି। ଆମ ଜୀବନର ପ୍ରତ୍ୟେକ କର୍ମ ଏହି ପାର୍ଥକ୍ୟ ବିନାଶକ ବ୍ରହ୍ମଯଜ୍ଞରେ ରୂପାନ୍ତରିତ ହୋଇପାରିବା ସମ୍ଭବ।

ଉଦାହରଣ ସ୍ୱରୂପ- ଆପଣ ଏହି ଲେଖା ପଢ଼ୁଛନ୍ତି। ପଢ଼ିବା ପାଇଁ ବ୍ୟବହୃତ ପ୍ରଚେଷ୍ଟା ଓ ଏକାଗ୍ରତା ହେଉଛି ସର୍ବବ୍ୟାପକ ବ୍ରହ୍ମର ଅଂଶ। ଏହି ଲେଖା ସର୍ବବ୍ୟାପକ ବ୍ରହ୍ମର ଏକ ପାର୍ଥକ୍ୟରୂପୀ ପରିଚୟ। ପାଠକ ବା କର୍ତ୍ତା ଭାବେ ଆପଣଙ୍କର ସ୍ଥିତି ମଧ୍ୟ ମୂଳ ସ୍ୱରୂପରେ ସେହି ସର୍ବବ୍ୟାପକ ବ୍ରହ୍ମ ବ୍ୟତୀତ ଅନ୍ୟ କିଛି ନୁହେଁ। ଆପଣଙ୍କ ପଢ଼ିବା ମଧ୍ୟ ଏକ ପ୍ରକାରର ଆହୁତି। ଏଣୁ ଏହି ସଂପୂର୍ଣ୍ଣ ପ୍ରକ୍ରିୟା ହେଉଛି ଏକ ବ୍ରହ୍ମକର୍ମ। ଏହି ପ୍ରକାର ସଚେତନତା ସହ ଯେକୌଣସି କର୍ମ- ତାହା ଶ୍ୱାସ ନେବା ହେଉନା କାହିଁକି, କେବଳ ବ୍ରହ୍ମକର୍ମ। ଏହାକୁ ହିଁ ଗୀତାରେ ଯଜ୍ଞ ବୋଲି କୁହାଯାଇଛି। ଏହାର ଫଳ ମଧ୍ୟ ସର୍ବବ୍ୟାପକ ବ୍ରହ୍ମାନୁଭୂତି।

ସମ୍ବନ୍ଧିତ ଖବର