ନିଜ ବିବାହ ନିମନ୍ତ୍ରଣ କାର୍ଡରେ ଟ୍ରାଫିକ୍‌ ନିୟମ ଛାପିଲେ କନ୍ୟା

ରାଜସ୍ଥାନ ଭରତପୁର କୁମହେର ଅଞ୍ଚଳର ବେଲାରା କଲା ଗାଁରେ ଏପ୍ରିଲ ୧୯ ତାରିଖରେ ଏକ ବିବାହର ଆୟୋଜନ ହେବାକୁ ଯାଉଛି। ଏହି ବିବାହ ନିମନ୍ତ୍ରଣ କାର୍ଡକୁୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏହି କାର୍ଡରେ ଟ୍ରାଫିକ ନିୟମ ଲେଖାହେବା ଦେଖାଦେଇଛି ।

ଏହି ବିବାହ ନିମନ୍ତ୍ରଣ କାର୍ଡକୁୁ ଛପାଇଥିବା ମହିଳା ଜଣକ ହେଉଛନ୍ତି ଭରତପୁର ଟ୍ରାଫିକ ପୁଲିସର କାର୍ଯ୍ୟରତ ମହିଳା ପୁଲିସ ସବ୍‌ ଇନ୍‌ସପେକ୍ଟର ମଞ୍ଜୁ ଫୋଜଦାର । ଏପ୍ରିଲ ୧୯ରେ ମଞ୍ଜୁ ପେସାରେ ଶିକ୍ଷକ ଥିବା ହରବୀର ସିଂହଙ୍କୁ ବିବାହ କରିବାକୁ ଯାଉଛନ୍ତି । ଟ୍ରାଫିକ ବିଭାଗରେ ଥାଇ ନିୟମର ସମ୍ମାନ କରୁଥିବା ମଞ୍ଜୁ ନିଜ ବିବାହ କାର୍ଡରେ ମଧ୍ୟ ଲୋକଙ୍କୁ ଟ୍ରାଫିକ ନିୟମ ପାଳନ କରିବା ପାଇଁ ବାର୍ତ୍ତା ଦେଇଛନ୍ତି। ଏହି ନିମନ୍ତ୍ରଣ କାର୍ଡରେ ସର୍ବମୋଟ ଟ୍ରାଫିକ୍‌ର ୬ଟି ନିୟମ ଉପରେ ଲେଖାଯାଇଛି ।

ଏଭଳି ଏକ ପଦକ୍ଷେପ ନେବାର କାରଣରେ ମଞ୍ଜୁ କୁହନ୍ତି, ପ୍ରତିଦିନ ସେ ଓ ତାଙ୍କ ଟିମ ଲୋକଙ୍କୁ ଟ୍ରାଫିକ ନିୟମ ବିଷୟରେ ଅବଗତ କରାଇଥାଆନ୍ତି। କିଛି ଲୋକ ନିୟମ ଅଭାବରୁ ଦୁର୍ଘଟଣାର ଶିକାର ମଧ୍ୟ ହୋଇଥାନ୍ତି । ମଞ୍ଜୁ ବିବାହ ପାଇଁ ଛୁଟି ନେଉଥିବାରୁ ସେ କିଛିଦିନ ପାଇଁ ଡିୟୁଟିରେ ଉପସ୍ଥିତ ରହିବେ ନାହିଁ । ତେଣୁ ସେ ବିବାହକୁ ଆସୁଥିବା ଅତିଥିଙ୍କୁ ସତର୍କ କରିବା ପାଇଁ କାର୍ଡରେ ଟ୍ରାଫିକ ନିୟମ ବିଷୟରେ ଛାପିଥିଲେ ।

ମଞ୍ଜୁ କହନ୍ତି, ତାଙ୍କ ବାପା ଈଶ୍ୱର ସିଂହ ମଧ୍ୟ ଜଣେ ପୋଲିସ କର୍ମଚାରୀ ଥିଲେ । ସଡକ ଦୁର୍ଘଟଣାରେ ତାଙ୍କର ବାବା ଓ ଦାଦାଙ୍କ ମୃତ୍ୟୁ ହୋଇଥିଲା । ମା’ଙ୍କ ପ୍ରୟାସ ହେତୁ ସେ ଆଜି ଜଣେ ସଫଳ କର୍ମଚାରୀ ରୂପେ ଠିଆ ହୋଇ ପାରିଛନ୍ତି । ସବୁବେଳେ ଲୋକଙ୍କୁ ଟ୍ରାଫିକ ନିୟମ ଉପରେ ଅବଗତ କରାଉଥିବା ମଞ୍ଜୁ ବିବାହ ସମୟରେ ମଧ୍ୟ ଏହି ମହତ କାର୍ଯ୍ୟକୁ ଜାରି ରଖିଥିଲେ ।

ସମ୍ବନ୍ଧିତ ଖବର