ଇତି ଊଣେଇଶ : ଦୁଷ୍କର୍ମ ଘଟଣାକୁ ନେଇ ଚିନ୍ତାରେ ରାଜ୍ୟବାସୀ

ଚଳିତ ବର୍ଷ ପୁରୀ ପୁଲିସ ବାରକ ଭିତରେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ହେଉ ଅବା ଜଟଣୀରେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା। ଏହି ସବୁ ଘଟଣା ଖୁବ ଚର୍ଚାରେ ଥିଲା। ସାରା ରାଜ୍ୟର ବିଭିନ୍ନ ସ୍ଥାନରେ ଘଟିଥିବା ଦୁଷ୍କର୍ମ ଘଟଣା ରାଜ୍ୟବାସୀଙ୍କୁ ଚିନ୍ତାରେ ପକାଇଥିଲା। ସରକାରୀ କଳ ଓ ପ୍ରଶାସନିକ ଅଧିକାରୀ, ପୁଲିସ ମଧ୍ୟ ବିଭିନ୍ନ ସମୟରେ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୋଇଛି।

ଚଳିତ ବର୍ଷ ରାଜ୍ୟର କେଉଁଠି ନା କେଉଁଠି ଦୁଷ୍କର୍ମ ଓ ଗଣ ଦୁଷ୍କର୍ମ ଭଳି ଘଟଣା ଘଟି ଚାଲିଛି। ଦୁଷ୍କର୍ମ ପରେ ପ୍ରମାଣ ନଷ୍ଟ ପାଇଁ ହତ୍ୟା ମଧ୍ୟ କରି ଦେଉଛନ୍ତି ପିଶାଚ। ଯାହାକି ଏବେ ଚିନ୍ତାର ବିଷୟ ହୋଇଛି। ଚଳିତ ବର୍ଷ ପ୍ରଥମ ୬ ମାସ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ୬୦୪ ଜଣ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ବିଧାନସଭାରେ ଉତ୍ତର ରଖିଥିଲେ। କିନ୍ତୁ ବର୍ଷ ଶେଷ ବେଳକୁ ଏହା ବଢ଼ି ବଢ଼ି ୯୮୭ରେ ପହଞ୍ଚିଛି। ରାଜ୍ୟରେ ଦୈନିକ ହାରାହାରି ୭ଟି ଦୁଷ୍କର୍ମ ମାମଲା ଘଟୁଥିବା ବେଳେ ସେମାନଙ୍କ ମଧ୍ୟରେ ୫.୫୮ ଜଣ ନାବାଳିକା। ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହାର ମାତ୍ର ୬.୧। ଯାହା ଅତ୍ୟନ୍ତ ଉଦବେଗଜନକ। ବଡ଼ କଥା ହେଉଛି ଏହି ଦୁଷ୍କର୍ମର ଶିକାର ଅଧିକାଂଶ ନାବାଳିକାମାନେ ହେଉଛନ୍ତି। ୨୦୧୮ ମସିହାରେ ୨୫୦୨ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା। ଏଥିରେ ୧୪୩୦ ଜଣ ନାବାଳିକା ଅଛନ୍ତି। ସେହିପରି ୨୦୧୯ ଜୁନ ମାସ ସୁଦ୍ଧା ୧୧୪୯ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ସେଥି ମଧ୍ୟରେ ୬୦୪ ଜଣ ନାବାଳିକା। ୨୦୧୮ ମସିହାରେ ୧୦୭୩ଟି ଦୁଷ୍କର୍ମ ମାମଲାର ବିଚାର ରାଜ୍ୟର ବିଭିନ୍ନ କୋର୍ଟରେ ହୋଇଥିଲା। ଯେଉଁଥିରେ ୧୯୭ ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ ଓ ୮୭୬ ଜଣ ନିର୍ଦୋଷରେ ଖଲାସ ହୋଇଥିଲେ।

ସମ୍ବନ୍ଧିତ ଖବର