‘କର୍ମାଙ୍ଗୀ ମାଦଳା’ରେ ‘ଜରି ପଟୁକା’ ସେବା ନାମରେ ଏକ ସ୍ୱତନ୍ତ୍ର ସେବାର ଉଲ୍ଲେଖ ଅଛି। ସେଥିରେ ବର୍ଣ୍ଣିତ ସେବାର ବିବରଣୀ ବିଚାରରେ ଏହା ଅନ୍ୟାନ୍ୟ ବିବରଣୀରେ ଥିବା ‘ରଙ୍ଗତା ନାୟକ’ ସେବା ବୋଲି ଜଣାଯାଏ। ସଦାଶିବ ରଥଶର୍ମାଙ୍କ ରଥସେବା ବିବରଣୀରେ ଏହାର କ୍ରମ-୨୬ ଏବଂ ଏଥିରେ ଉଲ୍ଲେଖ ଅଛି ଯେ ଏହି ସେବକ ‘‘ଜରି ଜମ୍ବୁରା ଆଦିରେ ରଥ ମଣ୍ଡନ କରନ୍ତି।’’ ଅନ୍ୟ କେତେକ ବିବରଣୀ ଅନୁସାରେ, ଏମାନେ ‘‘ରଥରେ ଲାଗୁଥିବା ବିଭିନ୍ନ ଜରି ଜମ୍ବୁରା କାମ କରିବା ସହ ରଥର ରଙ୍ଗକାମ କରିଥାଆନ୍ତି।’’ କିନ୍ତୁ ରଥର ରଙ୍ଗକାମ ଚିତ୍ରକାର ସେବକ କରୁଥିବାରୁ, ମନେ ହୁଏ, ପୂର୍ବରୁ ସମ୍ଭବତଃ ରଥର ଜରିଜମ୍ବୁରା କାମ ଜରିପଟୁକା ସେବକ ଏବଂ ରଙ୍ଗକାମ ରଙ୍ଗତା ନାୟକ କରୁଥିଲେ। ଏପରି ମଧ୍ୟ ହୋଇପାରେ ଯେ ଏ ଉଭୟ କାମ ଗୋଟିଏ ସେବାର ଅନ୍ତର୍ଭୁକ୍ତ ଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ରଥ-ଛତିଶା ନିଯୋଗ ପ୍ରସଙ୍ଗରେ ଏହି ସେବାକୁ ନିମ୍ନମତେ ସୂଚୀବଦ୍ଧ କରାଯାଇପାରିବ।
୨୫.ରଙ୍ଗତା ନାୟକ ବା ଜରିପଟୁକା ସେବା:
‘କର୍ମାଙ୍ଗୀ ମାଦଳା’ର ଜରି ପଟୁକା ସେବା ବିବରଣୀ ଅନୁସାରେ, ‘‘ପରମେଶ୍ୱରଙ୍କ ବେଶ ମଢ଼ିଆଳ ଓଲରି ଗଲେ, ଚାନ୍ଦୁଆ ଅସ୍ରପ ବିକଳ ହେଲେ, ପୁଣ ସେମାନ ସେଇଁ ଜରି ଲଗାଇବେ।’’
ଏ ପ୍ରସଙ୍ଗରେ ‘ମଢ଼ିଆଳ’ ଓ ‘ଅସ୍ରପ’ ଶବ୍ଦ ଦୁଇଟି ପ୍ରସଙ୍ଗରେ କିଂଚିତ୍ ସୂଚନା ଆବଶ୍ୟକ। ‘ମଢ଼ିଆଳ’ ହେଉଛି ଶ୍ରୀମନ୍ଦିରରେ ଦେବୀ, ଦେବତାଙ୍କ ବସ୍ତ୍ର ଓ ଆଭରଣ। ସେହିପରି ‘ଅସ୍ରପ’ ବା ଅସରପ ହେଉଛି ‘ଅପସର’ର ନାମାନ୍ତର। ଏହା ହେଉଛି ତକିଆ, ଯାହା ସାଧାରଣତଃ ଠାକୁରମାନଙ୍କ ପିଠିଠାରେ ଦିଆଯାଇଥାଏ ଏବଂ ସେମାନେ ତାହାକୁ ଆଉଜି ବସନ୍ତି। ଏହା ମୁଖ୍ୟତଃ ‘ଚକା’ ବା ଗୋଲ ତକିଆ ହୋଇଥାଏ। ଏହା ଛଡ଼ା ଶୟନ ଓ ଅନ୍ୟାନ୍ୟ ନୀତିରେ ଲମ୍ବ ମାଣ୍ଡି ମଧ୍ୟ ଥାଏ। ଚକା ବା ଗୋଲ ତକିଆକୁ ‘ଚକା ଅପସର’ କୁହାଯାଏ। ଏ ପ୍ରସଙ୍ଗରେ ଉଲ୍ଲେଖନୀୟ ଯେ ଏହି ଚକା ଅପସର ସହିତ ଅନ୍ୟାନ୍ୟ ଶେଯ, ମାଣ୍ଡି, ଏବଂ ବିଭିନ୍ନ ଚାନ୍ଦୁଆ ଆଦି ଦରଜି ବା ସିପୁଟି ସେବକ ପ୍ରସ୍ତୁତ କରିଥାଆନ୍ତି।
ଏଣୁ, ‘କର୍ମାଙ୍ଗୀ ମାଦଳା’ର ଉପରୋକ୍ତ ଉଲ୍ଲେଖ ସୂଚାଏ ଯେ ଠାକୁରମାନଙ୍କର ବସ୍ତ୍ର, ଆଭରଣ ଓ ଚାନ୍ଦୁଆ, ତକିଆ ଆଦି ଚିରିଗଲେ, ତାହାକୁ ପୁନର୍ବାର ସିଇଁ ସେଥିରେ ଜରି ଆଦି ଲଗାଇବା କାମ ଏହି ସେବକ କରିଥାନ୍ତି।
‘କର୍ମାଙ୍ଗୀ ମାଦଳା’ରେ ଏହି ସେବକଙ୍କର ଅନ୍ୟ ଯେଉଁ ସେବାର ଉଲ୍ଲେଖ ଅଛି, ତାହା ହେଉଛି, ‘‘ମଣି ବିମାନ ସାଲୁ ଜରି କାମମାନ କରିବେ। ବେଶ ହେଲେ ଜରି ଜଡ଼ଉତ କରିବେ। ଶେଯେ ଜରିକାମ ରଥେ ଚାପେ ଝୁଲଣ ଆଦିରେ ପଡ଼ିବ। ସକଳ ଏ କରିବେ। ପଟା ଜରି ସେଇଁ ସିନ୍ଦୁକରେ ରଖିବେ। ଜରି ଚିତା କରି ସିପୁଟି ମହାରଣା ଘରେ ଦେବେ। ପହଣ୍ଡି ଟାହିଆ ଜଡ଼ଉତ କରିବେ।’’
‘କର୍ମାଙ୍ଗୀ ମାଦଳା’ର ଉପରୋକ୍ତ ଉଲ୍ଲେଖ ‘‘ଜରି ଚିତା କରି ସିପୁଟି ମହାରଣା ଘରେ ଦେବେ’’ରୁ ସୂଚିତ ହୁଏ ଯେ ପୂର୍ବେ ‘ଜରିପଟୁକା’ ସେବା ଓ ‘ଦରଜି (ସିପୁଟି) ସେବା’ ଅଲଗା ଥିଲା। କିନ୍ତୁ ଏବେ ଏହିସବୁ କାମ ମଧ୍ୟ ‘ଦରଜି’ ବା ‘ସିପୁଟି’ ସେବକ କରୁଥିବା ଜଣାଯାଏ।
-ଅସିତ ମହାନ୍ତି