‘‘ଭାବପ୍ରବଣତାର ଲୁହ କୌଣସି ପଶୁପକ୍ଷୀଙ୍କ ଆଖିରୁ ଝରେ ନାହିଁ, କେବଳ ମଣିଷ ଆଖିରୁ ଝରିଥାଏ।’’ ଏକଥା କହନ୍ତି ବୈଜ୍ଞାନିକ ତଥା ଗବେଷକ ଡର୍ବିନ୍। ଯେତେବେଳେ ହୃଦୟକୁ କୌଣସି ଆଘାତ ଲାଗେ, ଜୀବନ କଷ୍ଟକର ମୁହୂର୍ତ୍ତ ଦେଇ ଗତିକରୁଥାଏ, ପୁଣି କେବେ ଅତ୍ୟଧିକ ଖୁସିରେ ଆଖିରୁ ଲୁହ ବାହାରି ଆସେ।
Sambad is now on WhatsApp
Join and get latest news updates delivered to you via WhatsApp
ଆଖି ଏକ ସମ୍ବେଦନଶୀଳ ଅଙ୍ଗ। ଏଥିରୁ ଲୁହଟିକେ ବାହାରିବା ଅନ୍ୟକୁ ବି ପ୍ରଭାବିତ କରିଦିଏ। ମାତ୍ର ଆଖି ଶୁଷ୍କ ରହିବା ଦ୍ୱାରା ଅନେକ ସମସ୍ୟା ଦେଖା ଦେଇଥାଏ। ଆଖିକୁ ଶୁଷ୍କତାରୁ ରକ୍ଷା କରେ ଲୁହ। ଆଖିର ଧୂଳିମଳି ସଫା କରିବା ସହ ଲୁହ ଆଖିକୁ କୀଟାଣୁମୁକ୍ତ କରିବାରେ ସହାୟକ ହୋଇଥାଏ। ଲୁହ ଦେଇ ବାହାରୁଥିବା ତରଳ ପଦାର୍ଥ ଲୁଣ ଓ ପାଣିର ମିଶ୍ରଣ। କୌଣସି ଆଘାତ ବା କଷ୍ଟ ଲୁହ ଝରାଇବାର ଏକମାତ୍ର କାରଣ ନୁହେଁ, ଅଧିକନ୍ତୁ ଏହାର ଆଉ କିଛି କାରଣ ଲୁହ ଝରାଇବାକୁ ବାଧ୍ୟ କରିଦିଏ। ଲୁହ ଝରିଗଲେ ମନ ହାଲ୍କା ହେଇଯାଏ। ନିଜର ବ୍ୟକ୍ତିଗତ ଭାବନା ସହ ଜଡ଼ିତ କୌଣସି ବସ୍ତୁ ବା ଘଟନାକୁ ଦେଖିବା ମାତ୍ରେ ଆଖିରେ ଲୁହ ଆସିଯାଏ। ଏକ ଅନ୍ତର୍ରାଷ୍ଟ୍ରୀୟ ସର୍ବେକ୍ଷଣରୁ ଜଣାଯାଇଛି ଭଲ ଗୀତଟିଏ ଶୁଣିଲେ ୯୦ ପ୍ରତିଶତ ଲୋକଙ୍କ ଆଖିକୁ ଲୁହ ଆସିଯାଏ। ସେହିପରି କବିତା ଶୁଣି ବା ପଢ଼ି ୬୦ ପ୍ରତିଶତ ଏବଂ ଭଲ ପେଣ୍ଟିଂଟିଏ ଦେଖି ୧୦ରୁ ୧୫ ପ୍ରତିଶତ ଲୋକଙ୍କ ଆଖିକୁ ଲୁହ ଆସିଯାଇଥାଏ।
ଆଶ୍ଚର୍ଯ୍ୟର କଥା ହେଲା ପୃଥକ ସଂସ୍କୃତିରେ କାନ୍ଦିବାର ପ୍ରବୃତ୍ତି ମଧ୍ୟ ପୃଥକ। ଦେଶ ଦୃଷ୍ଟିରୁ ଦେଖିଲେ ଆମେରିକାରେ ପୁରୁଷ ଏବଂ ମହିଳା ଉଭୟଙ୍କ କାନ୍ଦିବା ସବୁଠୁ ଆଗରେ ଥିବା କୁହାଯାଏ। ସବୁଠାରୁ କମ୍ କାନ୍ଦୁଥିବା ପୁରୁଷ ବୁଲ୍ଗେରିୟା ଏବଂ କମ୍ କାନ୍ଦୁଥିବା ମହିଳା ଆଇସ୍ଲ୍ୟାଣ୍ଡ ଓ ରୋମାନିଆର। ଭାରତରେ ପୁରୁଷମାନେ କାନ୍ଦିବାକୁ ସମ୍ମାନଜନକ ଭାବନ୍ତି ନାହିଁ, ତେଣୁ ପ୍ରାୟତଃ ଲୁହକୁ ଲୁଚାଇବାକୁ ଚେଷ୍ଟା କରିଥା’ନ୍ତି। ମାତ୍ର ବୈଜ୍ଞାନିକ ମାନଙ୍କ ମତରେ କାନ୍ଦିବା ସ୍ୱାସ୍ଥ୍ୟ ପାଇଁ ଭଲ, ତେଣୁ ଲୁହକୁ ନିଜର ଦୁର୍ବଳତା ବୋଲି ବିଚାର ନ କରି ଲୁହକୁ ବହିଯିବାକୁ ଦେବା ଦରକାର। ଲୁହ ବହିଯିବା ପରେ ଜଣେ ମାନସିକ ଭାବେ ସୁସ୍ଥ ହୋଇଯାଏ। ଏହା ତା’ର ସମ୍ମାନବୋଧକୁ ଦୃଢ଼ କରେ। ଗବେଷଣା କହେ, ଯେଉଁ ବ୍ୟକ୍ତି ନିଜର ପରାଜୟକୁ ନେଇ କାନ୍ଦି ପାରେ, ସେହି ବ୍ୟକ୍ତି ପରାଜୟ ବରଣ କରି ଲୁହକୁ ଏକ ଦୁର୍ବଳତା ଭାବି କାନ୍ଦୁ ନ ଥିବା ବ୍ୟକ୍ତିଠାରୁ ଦୃଢ଼। ଏ ସବୁ ଜାଣିବା ପରେ ଆପଣ ସୁଖରେ ହେଉ ଅବା ଦୁଃଖରେ ବାହାରି ଆସୁଥିବା ଲୁହକୁ ଆଉ ଅଟକାଇବାକୁ ଚାହିବେ ନାହିଁ ନିଶ୍ଚୟ। କାରଣ ଲୁହ ବହିଯିବା ପରେ ଆପଣ ଖୁବ୍ ହାଲ୍କା ଅନୁଭବ କରିବେ।