ପ୍ରଭୁ ଯୀଶୁଙ୍କର ସରଳ ଅଥଚ ଗୂଢ଼ ବାର୍ତ୍ତା : ଗୁପ୍ତଧନ

ପରମପିତା ଈଶ୍ୱରଙ୍କ ରାଜ୍ୟ ବା ସ୍ୱର୍ଗ ଏକ ଲୁଚାଯାଇଥିବା ଗୁପ୍ତଧନର ସମ୍ଭାର ଭଳି। ଏହାକୁ କେହି ଜଣେ ଲୁଚାଇ ଦେଇ କେବେଠାରୁ ଅଦୃଶ୍ୟ। ଯେଉଁ ଜମିରେ ଏହି ଗୁପ୍ତଧନ ଲୁଚି ରହିଛି, ତାହାର ମାଲିକ ମଧ୍ୟ ଏହି ଗୁପ୍ତଧନ ବିଷୟରେ ଜାଣନ୍ତି ନାହିଁ।

କେହି ଜଣେ, ହୁଏତ ଗୋଟିଏ ଶ୍ରମିକ, ଏହି ଗୁପ୍ତଧନର ସନ୍ଧାନ ପାଏ। କିନ୍ତୁ ଗୁପ୍ତଧନକୁ ବାହାର କରି ନିଜ ଅକ୍ତିଆରକୁ ନେବା ସହଜ କାମ ନୁହେଁ। ଗୁପ୍ତଧନ ଖୋଜି ପାଇଥିବା ଗରିବ ଶ୍ରମିକଟି ଜାଣେ, କେହି ତାକୁ ଗୁପ୍ତଧନକୁ ଅଧିକାରକୁ ନେବାକୁ ଦେବେ ନାହିଁ।

ଶ୍ରମିକ ମୁଣ୍ଡକୁ ଏକ ବୁଦ୍ଧି ଜୁଟେ। ସେ ନିଜର ସମସ୍ତ ସମ୍ପତ୍ତି ଓ ଜମାପୁଞ୍ଜିକୁ ଖଟେଇ ଗୁପ୍ତଧନ ଥିବା ଜମିଟିକୁ କିଣିନିଏ। ଏହା ପରେ ଜମିରେ ଥିବା ଗୁପ୍ତଧନକୁ ବାହାର କରି ସେ ନିଜର ପରମ ସ୍ୱପ୍ନ ସାକାର କରେ।

ଏହି ଛୋଟ ନୀତିକଥାକୁ ଆହୁରି ଛୋଟ କରି କହିଥିଲେ ପ୍ରଭୁ ଯୀଶୁ। କିନ୍ତୁ ଏହା ଭିତରେ ଲୁଚି ରହିଛି ଗୁପ୍ତଧନରୂପୀ ଆଧ୍ୟାତ୍ମିକ ସାଧନାର ଗୂଢ଼ରହସ୍ୟ। ଈଶ୍ୱରଙ୍କ ରାଜ୍ୟ, ସ୍ୱର୍ଗ ବା ଆତ୍ମଜ୍ଞାନ ଲୁଚି ରହିଛି ଆମ ସମସ୍ତଙ୍କ ମଧ୍ୟରେ। ଭଗବାନ ଏହାକୁ ଆମ ମଧ୍ୟରେ ଗୁପ୍ତଧନ ଭଳି ଲୁଚାଇ ରଖିଛନ୍ତି। ଏହାକୁ ନିଜର କରିବାକୁ ହେଲେ ଏକାକୀ ପ୍ରୟାସ କରିବାକୁ ପଡ଼େ। ନିଜ ଜୀବନର ସମସ୍ତ ପାର୍ଥିବ କାମନା ଓ ଉପଲବ୍‌ଧିମାନଙ୍କ ପ୍ରତିବଦଳରେ ହିଁ ସାଧକ ନିଜର ସତ୍ତା ବା ଗୁପ୍ତଧନ ଲୁଚାଯାଇଥିବା ଜମି ଉପରେ ଅଧିକାର ପାଏ। ଏହା ପରେ ସେ ଆତ୍ମଜ୍ଞାନ ବା ନିଜର ପରମ ସ୍ୱପ୍ନକୁ ସାକାର କରେ। ଆଜିର ଏହି ପବିତ୍ର ‘ଶୁଭ ଶୁକ୍ରବାର’ (ଗୁଡ଼୍ ଫ୍ରାଇଡ଼େ) ଦିବସରେ, ପ୍ରଭୁ ଯୀଶୁଙ୍କର ଏହି ସରଳ ଅଥଚ ଗୂଢ଼ ବାର୍ତ୍ତା ଆମ ସମସ୍ତଙ୍କୁ ଆତ୍ମଜ୍ଞାନରୂପୀ ଗୁପ୍ତଧନ ପ୍ରାପ୍ତି ଆଡ଼କୁ ଅଗ୍ରସର କରାଉ!

ସମ୍ବନ୍ଧିତ ଖବର