ରାସ୍ତା କଡ଼ରୁ ଉଠୁନି ପରିତ୍ୟକ୍ତ ଗାଡ଼ି

ଭୁବନେଶ୍ୱର: ରାଜଧାନୀର ସଫେଇକୁ ଅଧିକ ଗୁରୁତ୍ୱ ଦେଉଛି ବିଏମ୍ସି। ସେହିଭଳି ରାଜଧାନୀରେ ବଢ଼ୁଥିବା ମଶା ଉତ୍ପାତ ମଧ୍ୟ ସଫେଇ ଅଭିଯାନକୁ ତ୍ବରାନିତ୍ବ କରିଛି। ସଫେଇ ପାଇଁ ମାଳମାଳ ଯୋଜନା କରାଯାଉଥିବା ବେଳେ ବିଭିନ୍ନ ପ୍ରସ୍ତାବ ନିଆଯାଉଛି। ମାତ୍ର ଏହା ଭିତରେ ବିଏମ୍ସି ନିଜ ଘୋଷଣାକୁ ଭୁଲିଯାଇଛି। ରାଜଧାନୀର ବିଭିନ୍ନ ରାଜପଥ କଡ଼ରେ ଦୀର୍ଘ ଦିନ ପଡ଼ିରହିଥିବା ଭଙ୍ଗା, ଅଚଳ ଗାଡ଼ିସବୁକୁ ହଟାଇବାକୁ ନିଷ୍ପତ୍ତି ନେଇଥିବା ବିଏମ୍ସି ଏବେ ଚୁପ୍ ବସିଛି। ଫଳରେ ରାଜପଥ କଡ଼ କବାଡ଼ିଖାନା ପାଲଟିଛି ଏବଂ ସୃଷ୍ଟି ହୋଇଥିବା ଅସ୍ବଚ୍ଛ ପରିବେଶ ବିଭିନ୍ନ ସମସ୍ୟାର କାରଣ ହେଉଛି। ଏହା ସହରର ସୌନ୍ଦର୍ଯ୍ୟକୁ ଯେତିକି ପ୍ରଭାବିତ କରୁଛି, ସେତିକି ମାତ୍ରାରେ ରାଜପଥ ଜାମ୍ର କାରଣ ମଧ୍ୟ ହେଉଛି।

ସହିଦନଗରସ୍ଥିତ ରାଜ୍ୟ ରାଜସ୍ୱ ଓ ଆୟକର ବିଭାଗ ଅଫିସ୍ ନିକଟରେ ପାଖାପାଖି ୫ଟି ପରିତ୍ୟକ୍ତ ଗାଡ଼ି ପାଦ ଚଲା ରାସ୍ତା ଉପରେ ପଡ଼ିରହିଛି। ସେହିପରି ସହିଦ ନଗର କଲ୍ୟାଣ ମଣ୍ଡପ ସାମ୍ନା ରାସ୍ତାରେ ମଧ୍ୟ ଅନେକ ଦିନରୁ ଅଚଳ ଗାଡ଼ି ଥୁଆ ହୋଇଛି। ସେହିପରି ନୂଆପଲ୍ଲୀ ସ୍ଥିତ ହୋଟେଲ୍ ପ୍ରେସିଡେନ୍ସି ସମ୍ମୁଖ ରାସ୍ତାରେ ମଧ୍ୟ ଅନେକ ଦିନରୁ ଅଚଳ ଗାଡ଼ି ଥୁଆ ହୋଇଛି। ସେହିପରି ମଞ୍ଚେଶ୍ୱର ଥାନା ଆଗକୁ ମଧ୍ୟ ରାସ୍ତା କଡ଼ରେ ଦୁଇଟି ପରିତ୍ୟକ୍ତ ଗାଡ଼ି ଥୁଆ ହୋଇଛି। ସେହିପରି ୪ ନମ୍ୱରରେ ମଧ୍ୟ ଏହି ପରିତ୍ୟକ୍ତ ଗାଡ଼ି ପଡ଼ିରହିଛି। ରାସ୍ତା କଡ଼ରେ ପରିତ୍ୟକ୍ତ ଗାଡ଼ି ପଡ଼ି ରହିବା ଦ୍ବାରା ଅସ୍ବଚ୍ଛ ପରିବେଶ ସୃଷ୍ଟି ହେଉଥିବାରୁ ସେସବୁକୁ ହଟାଇବାକୁ ବିଏମ୍ସି ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା ଏବଂ ଘୋଷଣା ମଧ୍ୟ ହୋଇଥିଲା। ରାସ୍ତା କଡ଼ରେ ପଡ଼ିରହିଥିବା ଭଙ୍ଗା ଗାଡ଼ି, କ୍ୟାବିନ୍ ଆଦିକୁ ତିନି ଦିନ ଭିତରେ ମାଲିକମାନେ ଉଠାଇ ନନେଲେ, ବିଏମ୍ସି ଉଠାଇନେବ। ପରେ ଜରିମାନା ଦେଇ ମାଲିକମାନେ ଗାଡ଼ି ନେବେ, ନଚେତ୍ ଗାଡ଼ିଗୁଡ଼ିକୁ କବାଡ଼ିଆକୁ ବିକ୍ରି କରିଦିଆଯିବ କୁହାଗଲା। କିନ୍ତୁ ଏଯାବତ୍ ଏହି ସ୍ଥାନ ଗୁଡ଼ିକରେ ଗାଡ଼ିଗୁଡ଼କୁ ଉଠାଗଲା ନାହିଁ।

ସମ୍ବନ୍ଧିତ ଖବର