ସୁଭାଷିତ: ଚିରାକନାରେ ଥିଲେ ବି ମଣିର ମୂଲ୍ୟ କମେ ନାହିଁ

ଭୂପତି ପଣ୍ଡିତ ସପ୍ତଦଶ-ଅଷ୍ଟାଦଶ ଶତାବ୍ଦୀର ଓଡ଼ିଆ କବି। ସେ ଜଣେ ପଶ୍ଚିମା ବ୍ରାହ୍ମଣ। ସେ ଓଡ଼ିଶା ଆସି, ଗଜପତି ରାଜା ଦିବ୍ୟସିଂହଦେବଙ୍କ କୀର୍ତ୍ତିଗାନ କରି ତାଙ୍କୁ ପ୍ରସନ୍ନ କରିଥିଲେ ଏବଂ ବହୁ ଦାନ ଓ ବୃତ୍ତି ପାଇଥିଲେ। ଜଟଣି ନିକଟ ରଥୀପୁର କଟକରେ ଦିବ୍ୟସିଂହଦେବ ତାଙ୍କ ଅବସ୍ଥାନର ସୁବ୍ୟବସ୍ଥା କରିଥିଲେ। ଭୂପତି ପଣ୍ଡିତ ପଶ୍ଚିମାହିନ୍ଦୀ, ବଙ୍ଗଳା ଓ ମୈଥିଳୀ ଭାଷା ଜାଣିଥିଲେ ମଧ୍ୟ, ଓଡ଼ିଆରେ ତାଙ୍କର ପ୍ରବେଶ ନ ଥିଲା। କିନ୍ତୁ ତାଙ୍କର ବିଶେଷତ୍ୱ ହେଉଛି, ସେ ଓଡ଼ିଆ ଭାଷାକୁ ଭଲପାଇ ଅଳ୍ପକାଳ ମଧ୍ୟରେ ତାହାକୁ ଆୟତ୍ତ କରିଥିଲେ ଏବଂ ସେଥିରେ ଅପୂର୍ବ ନିପୁଣତା ପ୍ରଦର୍ଶନ କରିଥିଲେ। ଏପରିକି ଓଡ଼ିଆ ଭାଷାକୁ ପ୍ରଶଂସା କରି ସେ ତାହାକୁ ‘ସୁପକ୍ୱରମ୍ଭା’ ବା ଉତ୍ତମ ପାଚିଲା କଦଳୀ ପରି କୋମଳ, ସ୍ୱାଦିଷ୍ଠ ଓ ରସମୟ ବୋଲି କହିଥିଲେ। ଏଣୁ ଏହି ‘ଭାଷାକୁ ଅବଜ୍ଞା ନ କରି’ ତାହାକୁ ଜୀବନରେ ଉପଭୋଗ କରିବା ପାଇଁ ମଧ୍ୟ ସେ କହିଥିଲେ। ଏହା ଆମ ସମସ୍ତଙ୍କ ପାଇଁ ପ୍ରଣିଧାନର ବିଷୟ।

ପାଟବସନେ ଗୁଞ୍ଜ ଫଳ। ଥିଲେ ନୁହଇ ବହୁ ମୂଲ୍ୟ।ା
ଚିରାକନାରେ ମଣିବର। ଥିଲେ ନ ତୁଟେ ମୂଲ୍ୟ ତାର।ା
-ଭୂପତି ପଣ୍ଡିତ, ପ୍ରେମପଞ୍ଚାମୃତ

‘ପ୍ରେମ ପଞ୍ଚାମୃତ’ ଭୂପତି ପଣ୍ଡିତଙ୍କର ପ୍ରସିଦ୍ଧ ରଚନା। ତାହାର ପ୍ରଥମ ଅଧ୍ୟାୟରେ ନିଜର ସେହି ବୈଷ୍ଣବ କାବ୍ୟ ସଂପର୍କରେ ସେ କହିଛନ୍ତି- ମୂଲ୍ୟବାନ ପାଟବସ୍ତ୍ରରେ ଗୁଞ୍ଜଫଳ ବା କାଇଁଚ ଥିଲେ, ତାହା ବହୁମୂଲ୍ୟର ହୋଇଯାଏ ନାହିଁ। ସେହିପରି, ଚିରାକନାରେ ମୂଲ୍ୟବାନ (ଶ୍ରେଷ୍ଠ) ମଣିଟିଏ ଥିଲେ ବି ତାହାର ମୂଲ୍ୟ କମିଯାଏ ନାହିଁ। ଭୂପତି ପଣ୍ଡିତ ଏହା କହିଛନ୍ତି ସଂସ୍କୃତ ଓ ଓଡ଼ିଆ ଭାଷା ପ୍ରସଙ୍ଗରେ। ଏହାର ତାତ୍ପର୍ଯ୍ୟ ହେଉଛି- ସଂସ୍କୃତ ଭାଷାରେ ରଚିତ ହେଲେ ମଧ୍ୟ, ଯଦି କୌଣସି କାବ୍ୟରେ କୃଷ୍ଣରସ ନାହିଁ, ତେବେ ତାହା ଗୁଞ୍ଜଫଳ ପରି ମୂଲ୍ୟହୀନ; କିନ୍ତୁ ଓଡ଼ିଆ ଭାଷାରେ ରଚିତ ହେଲେ ମଧ୍ୟ, ତାହା ଯଦି କୃଷ୍ଣରସପୂର୍ଣ୍ଣ କାବ୍ୟ, ତେବେ ତାହା ଶ୍ରେଷ୍ଠ ମଣି ପରି ଅତ୍ୟନ୍ତ ମୂଲ୍ୟବାନ ହୋଇଥାଏ।

ସମ୍ବନ୍ଧିତ ଖବର