ଆର୍ଥିକ ବର୍ଷ ସରିବାକୁ ଆଉ ୨ଦିନ: ବାକି ପଡ଼ିଛି ୪୫ ପ୍ରତିଶତ ହୋଲ୍ଡିଂ ଟିକସ

ମାର୍କେଟ୍‌, ପାର୍କିଂ, ଗ୍ଲୋ ସାଇନ୍‌ ବୋର୍ଡରେ ରାଜସ୍ବ ହରାଉଛି ବିଏମ୍‌ସି

ଭୁବନେଶ୍ବର: ଆର୍ଥିକ ବର୍ଷ ସରିବାକୁ ଆଉ ଦୁଇଦିନ ବାକି। ହେଲେ ରାଜସ୍ବ ଆୟ ଲକ୍ଷ୍ୟ ଠାରୁ ପଛରେ ପଡ଼ିଛି ବିଏମ୍‌ସି। ଆଜିସୁଦ୍ଧା ବିଏମ୍‌ସି ଧାର୍ଯ୍ୟ ଲକ୍ଷ୍ୟର ୫୪.୭୪ ପ୍ରତିଶତ ହାସଲ କରିଛି। ୨ ଦିନରେ ୪୫ ପ୍ରତିଶତରୁ ଅଧିକ ଆଦାୟ କରିବାକୁ ଅଛି। ବିଏମ୍‌ସି କେବଳ ବଡ଼ବଡ଼ିଆ ଖିଲାପକାରୀଙ୍କ ତାଲିକା ପ୍ରକାଶ କରିଦେଇ ବସିଯାଇଛି। ଯଦି ସେମାନେ ସମସ୍ତେ ଶତପ୍ରତିଶତ ଟିକସ ଦେଇ ଦିଅନ୍ତି ତେବେ ମଧ୍ୟ ବିଏମ୍‌ସିର ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହେବନାହିଁ। ଏହାକୁ ନେଇ ତନାଘନା ହେବା ପରେ ଲକ୍ଷ୍ୟ ପୂରଣ ନ ହେବା ପଛର କାରଣ ପଦାକୁ ଆସିଛି। ବିଏମ୍‌ସି ମାର୍କେଟ, ପାର୍କିଂ ଓ ହୋର୍ଡିଂ (‌ଗ୍ଲୋ-ସାଇନ୍‌ ବୋର୍ଡ)ରୁ ନିୟମିତ ରାଜସ୍ବ ହରାଇ ଆସୁଛି। ଏହି ଦିଗରେ ଦୀର୍ଘଦିନ ଧରି ଅଧିକାରୀମାନେ ଗୁରୁତ୍ବ ଦେଉ ନାହାନ୍ତି। ଗତ ୧୨ ତାରିଖରେ ବସିଥିବା ‘ଟ୍ୟାକ୍‌ସେସନ, ଫାଇନାନ୍‌ସ୍‌ ଆଣ୍ଡ ଆକାଉଣ୍ଟସ୍‌ ଷ୍ଟାଣ୍ଡିଂ କମିଟି’ ବୈଠକରେ ଏହି ଟିକସକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଥିଲା। ବିଏମ୍‌ସି ନିୟନ୍ତ୍ରଣରେ ହାଟରୁ ଉପଯୁକ୍ତ ପରିମାଣର ରାଜସ୍ବ ଆସୁନାହିଁ। ବାସ୍ତବରେ ବାଟମାରଣା ହେଉଛି କି ଜଗି ହେଉ ନାହିଁ ସେ ନେଇ କମିଟି ପ୍ରଶ୍ନ କରିବା ସହ ଜଗିବା ପାଇଁ ଯୋଜନା କରିଥିଲା। ସମସ୍ତ ହାଟକୁ କମିଟି ଯାଞ୍ଚ କରିବାକୁ ଯିବାକୁ ନିଷ୍ପତ୍ତି ହୋଇଥିଲା। ଏପରିକି ଟିକସ ଅର୍ଥ ବାଟମାରଣା ହେଉଥିବା ଆଶଙ୍କା କରି ଏକ ତୃତୀୟ ପକ୍ଷ ସଂସ୍ଥା ଜରିଆରେ ଟିକସ ସଂଗ୍ରହ କରାଯାଉ ବୋଲି କମିଟି ପରାମର୍ଶ ଦେଇଥିଲା।

ହାଟ ବ୍ୟତୀତ ବଡ଼ ବଡ଼ ବ୍ୟାବସାୟିକ କୋଠାର ମାଲିକ ହୋଲ୍ଡିଂ ଟିକସ ଦେଉ ନଥିବାରୁ ମଧ୍ୟ ବିଏମ୍‌ସିର ରାଜସ୍ବହାନି ହେଉଛି। ବାରମ୍ବାର ନୋଟିସ୍‌ ପରେ ମଧ୍ୟ ବଡ଼ ଖିଲାପକାରୀ ଟିକସ ଜମା କରୁନାହାନ୍ତି। କେତେକ କୋର୍ଟରେ ପହଞ୍ଚି ସୁରକ୍ଷା ପାଇଥିବା ବେଳେ କେତେକ ବ୍ୟାବସାୟିକ ପ୍ରତିଷ୍ଠାନ ବନ୍ଦ ଦର୍ଶାଇ ଟିକସ ଦେଉ ନାହାନ୍ତି। ଫଳରେ ବିଏମ୍‌ସିର ତିନିଟି ଜୋନ୍‌ରେ ୩୦ କୋଟିରୁ ଊର୍ଦ୍ଧ୍ବ ଆଦାୟ ନ ହୋଇ ପଡ଼ି ରହିଛି। ୩ଟି ଜୋନ୍‌ ଓ ମୁଖ୍ୟାଳୟରେ ୯ଟି ଟିମ୍‌ ଗଠନ କରି ଏହି ବକେୟା ରାଜସ୍ବ ଆଦାୟ ପାଇଁ ଯୋଜନା ହୋଇଥିଲେ ମଧ୍ୟ ବିଏମ୍‌ସି ସଫଳ ହୋଇ ନାହିଁ। ବିଏମ୍‌ସି ଏହି ବଡ଼ ଖିଲାପକାରୀଙ୍କ ତାଲିକା ସାର୍ବଜନୀନ କରିଥିଲେ ମଧ୍ୟ କିଛି ଫଳ ହେଉ ନାହିଁ। ଚଳିତବର୍ଷର ଟାର୍ଗେଟ୍‌ ୧୧୫କୋଟି ରହିଥିବା ବେଳେ ଏ ଯାବତ୍‌ ୬୩ କୋଟି ୨୦ ଲକ୍ଷ ୨୫ ହଜାର ୪୪ଟଙ୍କା ଆଦାୟ ହୋଇଛି। ଉତ୍ତର ଜୋନ୍‌ ଟାର୍ଗେଟ୍‌ ୪୩ କୋଟି ୭୧ ହଜାର ୩୬୫ ଟଙ୍କା ଥିବା ବେଳେ ୨୩ କୋଟି ୩ଲକ୍ଷ ୬ହଜାର ୮୫୫ ଆଦାୟ ହୋଇଥିବା ବେଳେ ଦକ୍ଷିଣପୂର୍ବ ଜୋନ୍‌ ଧାର୍ଯ୍ୟ ଲକ୍ଷ୍ୟ ୩୩କୋଟି ୨ ଲକ୍ଷ ୫୬ ହଜାର ୮୬ ଟଙ୍କାରୁ ୨୦ କୋଟି ୩୦ ଲକ୍ଷ ୨୮ ହଜାର ୧୪୦, ଦକ୍ଷିଣପଶ୍ଚିମ ଜୋନ ଧାର୍ଯ୍ୟ ଲକ୍ଷ୍ୟ ୩୯ କୋଟି ୪୬ ଲକ୍ଷ ୭୨ ହଜାର ୫୪୮ ଟଙ୍କାରୁ ୧୯ କୋଟି ୮୬ ଲକ୍ଷ ୯୦ ହଜାର ୪୯ ଟଙ୍କା ଆଦାୟ ହୋଇଛି।

ବାସ୍ତବରେ ଅନେକ ବଡ଼ବଡ଼ିଆଙ୍କୁ କର୍ମଚାରୀମାନେ ହାତଗୁଞ୍ଜା ନେଇ ଛାଡ଼ି ଦେଇଥିବା ଅଭିଯୋଗ ହୋଇଥିଲା। ଏ ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ବିଏମ୍‌ସି ଏହି ବଡ଼ବଡ଼ିଆ ଖିଲାପକାରୀଙ୍କୁ ଖୋଜିବାକୁ ଯୋଜନା କରିଥିଲା। ମୋଟା ଅଙ୍କର ହୋଲ୍ଡିଂ ଟ୍ୟାକ୍ସ ବାକି ରଖିଥିବା ‘ବଡ଼ ଖିଲାପକାରୀ’ଙ୍କ ତାଲିକା ପ୍ରସ୍ତୁତ ଆରମ୍ଭ କରିଥିଲା। ପ୍ରତ୍ୟେକ ଜୋନ୍‌ରେ ୱାର୍ଡ ଅଫିସର ଘର ଘର ବୁଲି ତାଲିକା କରିଥିଲେ। ପ୍ରଥମ ତାଲିକାରେ କୋଟିଏରୁ ଊର୍ଦ୍ଧ୍ବ ବାକି ରଖିଥିବା ଖିଲାପକାରୀଙ୍କ ତାଲିକା ହେଲା। ଏଥିରେ ଶହ ଶହ ଖିଲାପକାରୀଙ୍କ ନାମ ପଦାକୁ ଆସିଥିଲା। ସେମାନଙ୍କ ନାମରେ ଓପିଡିଆର୍‌ ମାମଲା ରୁଜୁ କରି ଆଦାୟ କରିବାକୁ ସ୍ଥିର କରାଯାଇଥିଲା। ଓପିଡିଆର ମାମଲା ଭୟରେ ମାତ୍ର କେତୋଟି ହାତଗଣତି ଖିଲାପକାରୀ ଟିକସ ଦେଇଥିଲେ। ହେଲେ ଶହ ଶହ ଖିଲାପକାରୀ ଏହି ଟିକସ ଦେଇ ନଥିଲେ। ବିଏମ୍‌ସି କେବଳ ମାମଲା ରୁଜୁ କରି ବସିଗଲା। ଏବେ ଯେଉଁ ଅଧା ଖିଲାପକାରୀ ରହିଛନ୍ତି ସେଥିରେ ଏହି ବଡ଼ ଖିଲାପକାରୀଙ୍କ ସଂଖ୍ୟା ଅର୍ଦ୍ଧାଧିକ ରହିଛି। ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ହୋଲ୍ଡିଂ ଟ୍ୟାକ୍ସକୁ ନେଇ ତନାଘନା ହେବା ପରେ ଟିକସ ଆଦାୟ ବଢ଼ିଛି। କିନ୍ତୁ ୫୦ ପ୍ରତିଶତ ଆଦାୟ ହୋଇ ପାରୁନି। ପାଖାପାଖି ୬୫ ଗାଁ ଅଛି ଯେଉଁଠୁ ହୋଲ୍ଡିଂ ପ୍ରାୟ ଆଦାୟ ହୋଇପାରୁନି। ଯେଉଁ ଡିଡିଏନ୍‌(ଡିଜିଟାଲ ଡୁଅର ନମ୍ବରିଂ) ଆଧାରରେ ଏହି ୧ ଲକ୍ଷ ୨୦ ହଜାର ହୋଲ୍ଡିଂ ବୋଲି ହିସାବ ହୋଇଛି, ସେଥିରେ ତ୍ରୁଟି ରହିଛି। ଏଣୁ କେତେକ ସରକାରୀ ଜାଗାରେ ହୋଇଥିବା ଘରର ଡିଡିଏନ୍‌ କରାଯାଇଥିବା ବେଳେ କେଉଁଠି ଗୋଟିଏ ପ୍ଲଟ୍‌ ବା ଗୋଟିଏ ହୋଲ୍ଡିଂ ନମ୍ବରରେ ଦୁଇଟି ଡିଡିଏନ୍‌ ହୋଇଯାଇଛି। ଏଣୁ ସମସ୍ୟା ହୋଇଛି।

ସମ୍ବନ୍ଧିତ ଖବର