ନଜର ଆଢ଼ୁଆଳରେ ପଞ୍ଚୁପାଣ୍ଡବ ଗୁମ୍ଫା

ଭୁବନେଶ୍ବର: ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ଅଧୀନରେ ୨୧୪ଟି କୀର୍ତ୍ତିରାଜି ରହିଛି। ସେଥିରୁ ୬୬ଟି କୀର୍ତ୍ତିରାଜି ବିଭାଗ ହାତକୁ ନେଇଛି। ସେଥିମଧ୍ୟରୁ ରାଜଧାନୀର ବଡ଼ଗଡ଼ ଅଞ୍ଚଳର ବହୁପ୍ରାଚୀନ ପଞ୍ଚୁପାଣ୍ଡବ ଗୁମ୍ଫା ରହିଛି। ଏହା ଦ୍ବାପର ଯୁଗର ସ୍ମୃତି ବହନ କରେ। କିନ୍ତୁ ଏହାକୁ ଦେଖିଲେ ବୁଝିହେବ ଯେ ଏହାର ରକ୍ଷଣାବେକ୍ଷଣ ଆଦୌ ହେଉନାହିଁ। ସବୁକିଛି ଭଙ୍ଗା ଅବସ୍ଥାରେ ପଡ଼ି ରହିଛି। ଦିନକୁ ଦିନ ଗୁମ୍ଫାଟି ସୌନ୍ଦର୍ଯ୍ୟ ହରାଉଛି। ଫଳରେ କାଁ ଭାଁ ପର୍ଯ୍ୟଟକ ଏଠାକୁ ଆସୁଛନ୍ତି। ପାଣ୍ଡବ ପାଞ୍ଚଭାଇ ଅଜ୍ଞାତବାସ ସମୟରେ ଏହି ଗୁମ୍ଫାରେ ଅବସ୍ଥାନ କରୁଥିବା ଲୋକେ ବିଶ୍ବାସ କରନ୍ତି। ଗୋଟିଏ ଗୁମ୍ଫାରେ ପାଞ୍ଚଟି ପ୍ରକୋଷ୍ଠ ରହିଛି। ସେହି ଗୁମ୍ଫାରେ ବାହାରକୁ ଯିବା ପାଇଁ ଉପର ଅଂଶରେ ଏକ ବାଟ ରହିଛି, ଝରକା ମଧ୍ୟ ରହିଛି। ପ୍ରଥମ ଗୁମ୍ଫାରେ ନାଗନାଗୁଣୀ ହୁଙ୍କା ରହିଛି। ତେଲୁଗୁ ସମ୍ପ୍ରଦାୟର ଲୋକ ନାଗପଞ୍ଚମୀ ଦିନ ଆସି ସେଠାରେ ପୂଜାପାଠ କରି କ୍ଷୀର ଢାଳନ୍ତି। ତା’ ନିକଟରେ ଦୁଇଟି ଗୁମ୍ଫାରେ ପାଣ୍ଡବେଶ୍ବର ମହାଦେବ, ପଞ୍ଚୁପାଣ୍ଡବଙ୍କ ମୂର୍ତ୍ତି, ହନୁମାନ, ଶ୍ରୀଜଗନ୍ନାଥ ପୂଜା ପାଉଛନ୍ତି।

ଏହାରି ମଧ୍ୟରେ ଏକ ସୁଡ଼ଙ୍ଗ ଅଛି, ଯାହାକି ଖଣ୍ଡଗିରି ପର୍ଯ୍ୟନ୍ତ ବ୍ୟାପିଛି ବୋଲି କୁହାଯାଏ। କିନ୍ତୁ ପ୍ରତ୍ନତତ୍ତ୍ବ ବିଭାଗ ତାହାକୁ ବନ୍ଦ କରିଦେଇଛନ୍ତି ବୋଲି ମନ୍ଦିର ପୂଜକ ଚିନ୍ମୟ ଦାସ କହିଛନ୍ତି। ଅନ୍ୟ ଦୁଇଟି ପ୍ରକୋଷ୍ଠରେ ଗଛଲତା ଉଠି ଯାଇଛି। ଏହାର ଚାରିପାଖ ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଥିବାବେଳେ ଚାରିପାଖ ଜଙ୍ଗଲ ବୁଦାରେ ପରିପୂର୍ଣ୍ଣ ହୋଇ ପଡ଼ିଛି। ଏଠାରେ ଜାଗର ଠାରୁ ଆରମ୍ଭ କରି ବିଭିନ୍ନ ମହୋତ୍ସବ ଅନୁଷ୍ଠିତ ହୋଇଥାଏ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ୪ବର୍ଷ ପୂର୍ବେ ଏଠାରେ ପାଣ୍ଡବ ମହୋତ୍ସବ ହୋଇଥିଲା। କିନ୍ତୁ ଅର୍ଥ ଅଭାବରୁ ଏହା ଆଉ ହୋଇପାରୁ ନାହିଁ। ସ୍ଥାନୀୟ ବାସିନ୍ଦା ହରେକୃଷ୍ଣ ସାହୁ କହିଛନ୍ତି, ପ୍ରତ୍ନତତ୍ତ୍ବ ବିଭାଗ ଏକା ସାଙ୍ଗରେ ମନ୍ଦିର କାମ ଠିକ୍‌ଭାବେ କରୁନାହିଁ। ଗୁମ୍ଫାର ଛାତରୁ ପାଣି ଗଳୁଛି। ଚାରିପାଖରେ ବଣ ହୋଇଗଲାଣି। ତେବେ ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ଅଧିକାରୀ ଅଶ୍ବିନୀ କୁମାର ଶତପଥୀ କହିଛନ୍ତି, ଏ ବାବଦରେ ଡିପିଆର ପ୍ରସ୍ତୁତି କରାଯାଉଛି। ଚଳିତ ଆର୍ଥିକ ବର୍ଷରେ ୫ଲକ୍ଷ ଟଙ୍କା ମଞ୍ଜୁର ‌ହୋଇଛି। ଖୁବ୍ ଶୀଘ୍ର ମନ୍ଦିରର ଉନ୍ନତିମୂଳକ କାର୍ଯ୍ୟ କରାଯିବ।

ସମ୍ବନ୍ଧିତ ଖବର