ରାଜାଧିରାଜଙ୍କ ରାଜବେଶ

କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଶ୍ରୀଜଗନ୍ନାଥଙ୍କୁ କହିଛନ୍ତି- କମ୍ବୁକଟକ ବା ଶଙ୍ଖକ୍ଷେତ୍ରର ରାଜା। କିନ୍ତୁ ସେ କେବଳ ରାଜା ନୁହନ୍ତି; ସେ ରାଜରାଜେଶ୍ୱର ବା ରାଜାଧିରାଜ। ତ୍ରୟୋଦଶ ଶତାବ୍ଦୀରେ ଗଙ୍ଗବଂଶୀ ରାଜା ତୃତୀୟ ଅନଙ୍ଗଭୀମ ଦେବ ତାଙ୍କୁ ‘ରାଷ୍ଟ୍ରଦେବତା’ ତଥା ଉତ୍କଳର ସମ୍ରାଟ ବୋଲି ଘୋଷଣା କରିଥିଲେ। ସେହିପରି, ସୂର୍ଯ୍ୟବଂଶର ପ୍ରତିଷ୍ଠାତା, ଗଜପତି କପିଳେନ୍ଦ୍ରଦେବ ଶ୍ରୀଜଗନ୍ନାଥ ରାଜା ଏବଂ ସେ ତାଙ୍କର ‘ରାଉତ’ ବୋଲି କହିଥିଲେ। ସେହି ପରମ୍ପରାର ପ୍ରବାହରେ ଆଜିର ଗଜପତି ରାଜା ଦିବ୍ୟସିଂହଦେବ ମଧ୍ୟ ନିଜକୁ ଶ୍ରୀଜଗନ୍ନାଥଙ୍କର ସେବକ (ଆଦ୍ୟସେବକ) ବୋଲି ମନେ କରିଥାନ୍ତି।

ଆଷାଢ଼ ଶୁକ୍ଳ ଏକାଦଶୀରେ ରଥ ଉପରେ ଶ୍ରୀଜଗନ୍ନାଥଙ୍କର ସୁନାବେଶ ହୋଇଥାଏ। ଏହା ଏକ ଐଶ୍ୱର୍ଯ୍ୟବେଶ। ଏହାର ଅନ୍ୟ ନାମ ‘ବଡ଼ତଢ଼଼ାଉ ବେଶ’। କିଂବଦନ୍ତି ଅନୁସାରେ, ପଞ୍ଚଦଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ କପିଳେନ୍ଦ୍ରଦେବ ଶ୍ରୀଜୟଦୁର୍ଗାଙ୍କ ଆଶିଷରୁ ସମଗ୍ର ଦକ୍ଷିଣଭାରତ ବିଜୟ କଲେ। ୧୬ଟି ହାତୀରେ ବିପୁଳ ଧନରତ୍ନ ଆଣି ସେ ତାହାକୁ ଶ୍ରୀଜଗନ୍ନାଥଙ୍କୁ ସମର୍ପଣ କରିଥିଲେ। ସେତେବେଳେ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଦାୟିତ୍ୱରେ ଥିବା ତଢ଼ାଉ ସେବକ ତାଙ୍କୁ ପରାମର୍ଶ ଦେଇଥିଲେ, ଯେ ସାରା ବର୍ଷରେ ରତ୍ନସିଂହାସନରେ ହେଉଥିବା ଶ୍ରୀଜଗନ୍ନାଥଙ୍କ ସୁନାବେଶକୁ ସମସ୍ତେ ଦେଖି ପାରୁ ନାହାନ୍ତି। ତେଣୁ ରଥ ଉପରେ ତାଙ୍କର ଏକ ସ୍ୱତନ୍ତ୍ର ସୁନାବେଶ କରାଯାଉ। କପିଳେନ୍ଦ୍ର ଦେବ ସେଥିରେ ସମ୍ମତ ହୋଇଥିଲେ। ୧୩୮ ପ୍ରକାରର ସ୍ୱର୍ଣ୍ଣାଳଙ୍କାର ନୂତନ ଭାବରେ ନିର୍ମିତ ହୋଇ ରଥ ଉପରେ ସୁନାବେଶ ହେଲା। ସେଥିପାଇଁ ସେହି ସୁନାବେଶର ନାମ ‘ବଡ଼ତଢ଼ାଉ ବେଶ’।

ଏହି ସୁନାବେଶ ବ୍ୟତୀତ, ଶ୍ରୀମନ୍ଦିରର ରତ୍ନସିଂହାସନରେ ସାରା ବର୍ଷରେ ଶ୍ରୀଜଗନ୍ନାଥଙ୍କର ଆଉ ଚାରିଥର ସୁନାବେଶ ହୁଏ। ସେହି ସୁନାବେଶ, ଆଶ୍ୱିନ ଶୁକ୍ଳ ଦଶମୀ (ବିଜୟାଦଶମୀ), ପୌଷ ପୂର୍ଣ୍ଣିମା, ଦୋଳପୂର୍ଣ୍ଣିମା ଓ କାର୍ତ୍ତିକ ପୂର୍ଣ୍ଣିମାରେ ହୋଇଥାଏ। ଏହି ସୁନାବେଶ ମଧ୍ୟରୁ କାର୍ତ୍ତିକ ପୂର୍ଣ୍ଣିମାର ସୁନାବେଶକୁ ‘ରାଜରାଜେଶ୍ୱର ବେଶ’ କୁହାଯିବା ବେଳେ, ଅନ୍ୟ ତିନି ବେଶକୁ ‘ରାଜବେଶ’ କୁହାଯାଏ। ତେବେ, ବିଜୟା ଦଶମୀ, ପୌଷପୂର୍ଣ୍ଣିମା ଓ ଦୋଳପୂର୍ଣ୍ଣିମାର ରାଜବେଶ ମଧ୍ୟରୁ, ଦୋଳପୂର୍ଣ୍ଣିମାର ବେଶ କିଂଚିତ୍ ଭିନ୍ନ। ଏଥିରେ ଶ୍ରୀଜିଉମାନେ ସୁବର୍ଣ୍ଣ କିରୀଟ, ଶ୍ରୀହସ୍ତ, ଶ୍ରୀପୟର, ହଳ, ମୂଷଳ, ଶଙ୍ଖ, ଚକ୍ର, ତଡ଼ଗି, ଆଡ଼କାନି, ତିଲକ, ଚନ୍ଦ୍ରସୂର୍ଯ୍ୟ, ଅଣ୍ଟାପଟି ଓ କୁଣ୍ଡଳ ଆଦି ସହ ଅନେକ ସୁବର୍ଣ୍ଣ ମାଳ ଲାଗି ହୋଇଥାନ୍ତି।

ସମ୍ବନ୍ଧିତ ଖବର