ସଫେଇ କର୍ମଚାରୀଙ୍କ ପୁଅ ବିଦେଶରେ ଜିତିଲେ ସ୍ୱର୍ଣ୍ଣ

ଶାହଜହାପୁର: ଉତ୍ତରପ୍ରଦେଶର ଶାହଜହାନପୁର ଜିଲ୍ଲାରେ କାମ କରୁଥିବା ଜଣେ ସଫେଇ କର୍ମଚାରୀଙ୍କ ପୁଅ ରୁଷର ମସ୍କୋରେ ହୋଇଥିବା ପାଓ୍ଵରଲିଫଟିଙ୍ଗ ଓ୍ଵାଲର୍ଡ ଚମ୍ପିୟାନ୍‌ସିପ୍‌ରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।

ଶାହଜହାନପୁରସ୍ଥିତ ମହାଉ ମହେଶ ଗ୍ରାମରେ ବସବାସ କରୁଥିବା ଲାଲତା ପ୍ରସାଦଙ୍କ ପୁଅ ଅଜୟ ପାଓ୍ଵରଲିଫଟର୍ । ଲାଲତା ପ୍ରସାଦ ପଞ୍ଚାୟତିରାଜ ବିଭାଗର ସଫେଇ କର୍ମଚାରୀ ଭାବେ କାମ କରନ୍ତି। ଅଜୟ ସିଧୋଲିରେ ଏକ ଛୋଟ ଜିମ୍‌ରେ  ୱ‌େଟଲିଫଟିଙ୍ଗର ଅଭ୍ୟାସ କରନ୍ତି। ସେ ଅନେକ ରାଜ୍ୟସ୍ତରୀୟ ପାଓ୍ଵରଲିଫଟିଙ୍ଗ ଚମ୍ପିୟାନ୍‌ସିପରେ ସଫଳତା ହାସଲ କରିଛନ୍ତି। ପୁଅର ଅଭ୍ୟାସ ଦେଖି ଲାଲତାଙ୍କୁ ବିଶ୍ୱାସ ଥିଲା ତାଙ୍କ ପୁଅକୁ ଦିନେ ନା ଦିନେ ଏକ ବଡ଼ ସଫଳତା ମିଳିବ। ଆଜି ବାପା ଦେଖିଥିବା ଏ ସ୍ୱପ୍ନକୁ ଅଜୟ ପୂରା କରି ଦେଖାଇଛନ୍ତି।

ରୁଷର ମସ୍କୋରେ ଅକ୍ଟୋବର ୨୬ ଓ ୨୭ରେ ଆୟୋଜିତ ହୋଇଥିବା ପାଓ୍ଵରଲିଫଟିଙ୍ଗ ଓ୍ଵାଲର୍ଡ ଚମ୍ପିୟାନ୍‌ସିପ୍‌ରେ ଅଜୟ ଭାଗ ନେଇଥିଲେ। ଏଥିରେ ଅଜୟ ୪୦୦କିଲୋ ଓଜନ ଉଠାଇ ସ୍ୱର୍ଣ୍ଣ ପଦକ ଜିତିଥିଲେ ଏବଂ ବିଦେଶରେ ନିଜ ଦେଶର ପତକା ଉଡାଇଥିଲେ ଅଜୟ।

ସମ୍ବନ୍ଧିତ ଖବର