ପ୍ରାଚୀନତମ ବୃକ୍ଷର ନୂଆ ଦାବିଦାର

ଦକ୍ଷିଣ ଚିଲିର ଆଲର୍ସି କଷ୍ଟେରୋ ଜାତୀୟ ଉଦ୍ୟାନରେ ଥିବା ‘କୁଳବୃଦ୍ଧ’ ନାମକ ପ୍ରସିଦ୍ଧ ଗଛଟିର ବୟସ ପାଞ୍ଚ ହଜାର ବର୍ଷରୁ ଅଧିକ ବୋଲି ଏକ ନୂଆ ଅଧ୍ୟୟନରୁ ଜଣାପଡ଼ିଛି। ଏହି ଗଛର ନମୁନା ପରୀକ୍ଷା କରି ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଯେ ଏହାର ବୟସ ସର୍ବାଧିକ ୫,୪୮୪ ବର୍ଷ ହୋଇପାରେ। ସାଧାରଣତଃ ଗଛର ଠିକ୍ ବୟସ ଜାଣିବା ପାଇଁ ଏହାର ଗଣ୍ଡିରୁ ଏକ ମିଟରର ସିଲିଣ୍ଡର୍‌ ଆକୃତିର କାଠ ବାହାର କରି ସେଥିରେ ଥିବା ବଳୟ (ରିଙ୍ଗ୍) ସଂଖ୍ୟା ଗଣାଯାଇଥାଏ। ତେବେ ଏହି ଗଛର ଗଣ୍ଡିର ବ୍ୟାସ ଅସାଧାରଣ ଭାବେ ଚାରି ମିଟର ହୋଇଥିବାରୁ ଏହାର ଗଣ୍ଡିର ସମସ୍ତ ବଳୟ ଗଣିବା ସମ୍ଭବପର ହୋଇନାହିଁ।

ଏହି ଜାତୀୟ ଉଦ୍ୟାନକୁ ଆସୁଥିବା ପର୍ଯ୍ୟଟକମାନେ ଏହି ଆଲର୍ସି ଗଛର ଚେର ଉପରେ ଚଲାବୁଲା କରିବା ଏବଂ ଏହାର ଗଣ୍ଡିରୁ ବକଳ ଉଠାଇ ନେଇଯିବା ଭଳି କାର୍ଯ୍ୟ କରୁଥିବାରୁ ପାଞ୍ଚ ହଜାର ବର୍ଷ ପୁରୁଣା ଗଛର ସୁରକ୍ଷା ନେଇ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। ତେବେ ବୈଜ୍ଞାନିକଙ୍କ ଆକଳନ ଯଦି ଠିକ୍ ହୋଇଥାଏ ତା’ହେଲେ ଏହା ବର୍ତ୍ତମାନର ସର୍ବପୁରାତନ ରେକର୍ଡଧାରୀ ବୃକ୍ଷ ଠାରୁ ଅତି କମ୍‌ରେ ପାଞ୍ଚ ଶତାବ୍ଦୀ ବଡ଼ ସାବ୍ୟସ୍ତ ହେବ। ଆମେରିକାର କାଲିଫର୍ଣ୍ଣିଆରେ ଥିବା ୪,୮୫୩ ବର୍ଷ ବୟସ୍କ ବ୍ରିଷ୍ଟଲକୋନ୍ ପାଇନ୍ ବୃକ୍ଷଟି ଏବେ ଏହି ରେକର୍ଡର ଅଧିକାରୀ

ସମ୍ବନ୍ଧିତ ଖବର