ବିଶ୍ବର ନିରବତମ କୋଠରି

କୋଳାହଳ ଅପେକ୍ଷା ନିରବତା ଅନେକଙ୍କର ପସନ୍ଦ। କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ନିରବ ପରିବେଶ ଶ୍ରେୟସ୍କର ହୋଇଥାଏ। ଏହି ତତ୍ତ୍ବ ଉପରେ ପର୍ଯ୍ୟବସିତ ବିଶ୍ବର ସବୁଠୁ ନିରବ କୋଠରି ମାଇକ୍ରୋସଫ୍‌ଟ କମ୍ପାନି ଦ୍ବାରା ନିର୍ମିତ ହୋଇଛି। ଆମେରିକାର ଵାସିଂଟନ ଅନ୍ତର୍ଗତ ରେଡମଣ୍ଡ୍‌ ସ୍ଥିତ ମାଇକ୍ରୋସଫ୍‌ଟର ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଏପରି ଏକ ପରୀକ୍ଷାମୂଳକ କୋଠରି ନିର୍ମାଣ କରାଯାଇଛି ଯାହା କମ୍ପାନିର ଅନ୍ୟତମ ବିଜ୍ଞାନାଗାର କହିଲେ ଅତ୍ୟୁକ୍ତି ହେବନାହିଁ। ଏହି କୋଠରିର ପ୍ରଚ୍ଛଦ କୋଳାହଳର ପରିମାପ ହେଉଛି ବିଯୁକ୍ତ ୨୦.୩୫ ଡେସିବେଲ୍‌। ଅର୍ଥାତ୍‌ ମନୁଷ୍ୟର ଶବ୍ଦଗ୍ରହଣ ଦକ୍ଷତା ଠାରୁ ତାହା ୨୦ ଡେସିବେଲ୍‌ କମ୍‌। ଆମେ କାହା ସହ କଥା ହେଲା ବେଳେ ଧ୍ବନିର ପରିମାଣ ସାଧାରଣତଃ ୬୦ ଡେସିବେଲ୍‌ ହୋଇଥାଏ।

ସୁତରାଂ ଉକ୍ତ କୋଠରି ଭିତରର ନିସ୍ତବ୍‌ଧତା କେତେ ଅଧିକ ତାହା ଏଥିରୁ ଅନୁମେୟ। ତାହା ଭିତରକୁ କେହି ପ୍ରବେଶ କଲା ମାତ୍ରେ ଏକ ବିଚିତ୍ର ଅନୁଭୂତି ଉପଲବ୍‌ଧି କରିପାରିବ ଯାହା ବର୍ଣ୍ଣନାତୀତ ବୋଲି ଏହାର ଡିଜାଇନର ତଥା ବାକ୍‌-ଶ୍ରବଣ ବିଶେଷଜ୍ଞ ହୁଣ୍ଡରାଜ ଗୋପାଳଙ୍କ ମତ। କୋଠରି ଭିତର ଏତେ ନିସ୍ତବ୍‌ଧ ଓ ପ୍ରଶାନ୍ତ ଯେ ସେଠାରେ ବଧିର ହେଲା ପରି ମନେ ହୋଇଥାଏ। ସେହିପରି ନିଶ୍ବାସ ନେଲେ ସୁ ସୁ ଗର୍ଜନ କଲା ପରି ଶୁଣାଯାଇଥାଏ। ସେହି କୋଠରି ଭିତରେ ଧୀରେ ଧୀରେ ହାତ ହଲାଇଲେ କି ବେକ ବୁଲାଇଲେ ମଧ୍ୟ ତାହାର ଶବ୍ଦ ଶୁଭୁଛି। ପୂର୍ବରୁ ମିନିଆପଲିସ ସ୍ଥିତ ଓର୍‌ଫିଲ୍‌ଡ ପରୀକ୍ଷାଗାରର ଏକ କୋଠରି ସବୁଠୁ ନିରବ ସ୍ଥାନର ଗିନିସ ରେକର୍ଡ ରଖିଥିଲା, ଯାହାର ପ୍ରଚ୍ଛଦ କୋଳାହଳର ପରିମାପ ହେଉଛି ବିଯୁକ୍ତ ୯.୪ ଡେସିବେଲ୍‌।

ସମ୍ବନ୍ଧିତ ଖବର