୮ ମୁଖ୍ୟମନ୍ତ୍ରୀଙ୍କ କାହାଣୀ; ଯେଉଁମାନଙ୍କୁ କଂଗ୍ରେସ ହାତ ଛାଡ଼ିବା ପରେ ମିଳିଛି ବଡ଼ ଦାୟିତ୍ବ

ନୂଆଦିଲ୍ଲୀ: କାହାଣୀ ୮ ମୁଖ୍ୟମନ୍ତ୍ରୀଙ୍କର । ଦିନେ ଏମାନଙ୍କୁ କଂଗ୍ରେସ ଅଣଦେଖା କରିଥିଲା, ଯାହା ଫଳରେ ଏମାନେ କଂଗ୍ରେସ ଛାଡ଼ି ଅନ୍ୟ ଦଳର ହାତ ଧରିଥିଲେ। ହେଲେ କେହି ଭାବି ବି ନଥିଲେ ଯେ, କଂଗ୍ରେସ ହାତ ଛାଡ଼ିବା ପରେ ସେମାନଙ୍କୁ ଗୋଟାଏ ଗୋଟାଏ ରାଜ୍ୟ ସମ୍ଭଳିବାର ସୁଯୋଗ ମିଳିବ। ଆଜି ଆମେ ସେହି ୮ଜଣଙ୍କ ବିଷୟରେ ଆପଣଙ୍କୁ କହିବୁ।

୧. ଡକ୍ଟର ମାଣିକ ଶାହ । ୨୦୧୬ରେ କଂଗ୍ରେସ ଛାଡି଼ ବିଜେପିରେ ସାମିଲ ହୋଇଥିବା ମାଣିକ ଶାହ ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ତ୍ରିପୁରା ବିଧାନସଭା ନିର୍ବାଚନର ୮ ମାସ ପୂର୍ବରୁ ଡକ୍ଟର ମାଣିକ ଶାହଙ୍କୁ ମୁଖ୍ୟମନ୍ତ୍ରୀ କରିଛି ବିଜେପି । ପେଶାରେ ଜଣେ ଡାକ୍ତର ଥିବା ମାଣିକ ଶାହ କଂଗ୍ରେସରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । କଂଗ୍ରେସରେ ଥିବା ବେଳେ ତାଙ୍କୁ ତ୍ରିପୁରା କ୍ରିକେଟ୍ ଆସୋସିଏସନର ଅଧ୍ୟକ୍ଷ କରାଯାଇଥିଲା । ତେବେ ଅପରେସନ ନର୍ଥ-ଇଷ୍ଟ ଯୋଜନାରେ ୨୦୧୬ରେ ମାଣିକ ଶାହ ବିଜେପିରେ ସାମିଲ ହୋଇଥିଲେ । ବିଜେପିରେ ସାମିଲ ହେବା ପରେ ଦଳ ତାଙ୍କୁ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀ ଦେଇଥିଲା । ତାଙ୍କରି ନେତୃତ୍ୱରେ ପ୍ରଥମ ଥର ପାଇଁ ୨୦୧୮ରେ ତ୍ରିପୁରାରେ ବିଜେପି କ୍ଷମତାକୁ ଆସିଥିଲା । ୨୦୨୦ରେ ମାଣିକ ଶାହ ତ୍ରିପୁରା ବିଜେପି ଅଧ୍ୟକ୍ଷ ହୋଇଥିଲେ, ଗତମାସରେ ତଳ ତାଙ୍କୁ ରାଜ୍ୟସଭା ପଠାଇଥିଲା ।

୨. ମମତା ବାନାର୍ଜୀ । ରାଜୀବ ଗାନ୍ଧୀଙ୍କ ସମୟରେ ମମତା ବାନାର୍ଜୀ ଯୁବ କଂଗ୍ରେସ ମହାସଚିବ ରହିଥିଲେ । ୯୦ ଦଶକରେ କଂଗ୍ରେସର ଶୀର୍ଷ କ୍ଷମତା ଆସିଥିଲା ନରସିଂହ ରାଓ ଏବଂ ସୀତାରାମ କେଶରୀଙ୍କ ହାତକୁ । ସେତେବେଳେ କଂଗ୍ରେସର ଶୀର୍ଷ ନେତୃତ୍ୱଙ୍କୁ ଖୋଲାଖୋଲି ଭାବେ ସମାଲୋଚନା କରିଥିଲେ ମମତା । ଦିଦିଙ୍କୁ ଲଗାମ ଦେବା ପାଇଁ ପଶ୍ଚିମବଙ୍ଗ କଂଗ୍ରେସ ଅଧ୍ୟକ୍ଷ ସୋମନାଥ ମିତ୍ର ରଣନୀତି ପ୍ରସ୍ତୁତ କରିଥିଲେ । କିନ୍ତୁ ୧୯୯୮ରେ ଦିଦି କଂଗ୍ରେସ ଛାଡ଼ି ତୃଣମୂଳ କଂଗ୍ରେସ ଗଠନ କରିଥିଲେ । ୨୦୧୧ରେ ୩୪ ବର୍ଷର ବାମପନ୍ଥୀ ସରକାରକୁ ହଟାଇ ମମତା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ହୋଇଥିଲେ ।

୩. ଜଗନମୋହନ ରେଡ୍ଡୀ । ୨୦୦୯ ବିଧାନସଭା ନିର୍ବାଚନରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବାପା ୱାଇ. ରାଜଶେଖର ରେଡ୍ଡୀଙ୍କ ପାଇଁ ଜୋରଦାର କ୍ୟାମ୍ପେନ କରିଥିଲେ ଜଗନମୋହନ । ତେବେ ବିମାନ ଦୁର୍ଘଟଣାରେ ବାପାଙ୍କ ମୃତ୍ୟୁ ପରେ କଂଗ୍ରେସର ନେତୃତ୍ୱ ନେବାକୁ ସେ ହାଇକମାଣ୍ଡଙ୍କୁ ନିବେଦନ କରିଥିଲେ । କିନ୍ତୁ ଦଳ ପକ୍ଷରୁ ସମର୍ଥନ ନମିଳିବାରୁ ସେ ନିଜେ ୱାଇ.ଏସ.ଆର୍. କଂଗ୍ରେସ ଗଠନ କଲେ । ୨୦୧୪ରେ ବିରୋଧୀ ଦଳ ନେତା ଏବଂ ୨୦୧୯ରେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ହେଲେ ଜଗନମୋହନ ରେଡ୍ଡୀ ।

୪. ହିମନ୍ତ ବିଶ୍ୱଶର୍ମା । ଆସାମର ତରୁଣ ଗୋଗୋଇଙ୍କ ସରକାରରେ ମନ୍ତ୍ରୀ ଥିବା ହିମନ୍ତ ୨୦୧୫ରେ ବିଜେପିରେ ସାମିଲ ହୋଇଥିଲେ । ହିମନ୍ତ ଯେତେବେଳେ କଂଗ୍ରେସ ଛାଡିଲେ ସେତେବେଳେ ଚର୍ଚ୍ଚା ହୋଇଥିଲା ଯେ, ସେ ରାହୁଲ ଗାନ୍ଧୀଙ୍କୁ ଦେଖା କରିବାକୁ ଯାଇଥିଲେ । କିନ୍ତୁ ରାହୁଲ ତାଙ୍କ କଥା ନଶୁଣି କୁକୁରକୁ ବିସ୍କୁଟ ଖୁଆଇ ଥିଲେ । ବିଜେପିରେ ସାମିଲ ହେବା ପରେ ଦଳ ତାଙ୍କୁ ନିର୍ବାଚନ ସମୟରେ ସଂଗଠନ ଦାୟିତ୍ୱ ଦେଇଥିଲା । ଫଳରେ ୨୦୧୭ରେ ପ୍ରଥମ ଥର ପାଇଁ ଆସାମରେ ବିଜେପି ସରକାର ଗଠନ କଲା । ସେହିପରି ୨୦୨୨ ନିର୍ବାଚନରେ ମଧ୍ୟ ବିଜେପି ଜବରଦସ୍ତ ପ୍ରଦର୍ଶନ କଲା ଏବଂ ହିମନ୍ତ ବିଶ୍ୱଶର୍ମା ହେଲେ ମୁଖ୍ୟମନ୍ତ୍ରୀ ।

୫. ନେଫ୍ୟୁ ରିଓ । ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନେଫ୍ୟୁ ରିଓ ୨୦୦୨ ପୂର୍ବରୁ କଂଗ୍ରେସରେ ଥିଲେ । ତେବେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏସ୍.ସି. ଜମିରଙ୍କ ସହିତ ବିବାଦ ହେବାରୁ ସେ କଂଗ୍ରେସ ଛାଡି ନାଗା ପିପୁଲ୍ସ ଫ୍ରଣ୍ଟରେ ସାମିଲ ହୋଇଥିଲେ । ୨୦୦୩ରେ ରିଓ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ପରେ ୨୦୦୮ ଏବଂ ୨୦୧୩ରେ ମଧ୍ୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ୨୦୧୮ରେ ବିଜେପି ସମର୍ଥନରେ ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନେଫ୍ୟୁ ରିଓ ।

୬. ପେମା ଖଣ୍ଡୁ । ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ ରାଜନୈତିକ ଜୀବନ କଂଗ୍ରେସ ଦଳରୁ ଆରମ୍ଭ କରିଥିଲେ । ୨୦୧୧ରେ ବିଧାୟକ ଥିବା ବାପାଙ୍କ ଦେହାନ୍ତ ପରେ କଂଗ୍ରେସ ଟିକେଟରେ ସେ ନିର୍ବାଚନ ଜିତିଥିଲେ । ୨୦୧୬ରେ ୪୩ ଜଣ ବିଧାୟକ ପିପୁଲ୍ସ ପାର୍ଟି ଗଠନ କରିଥିଲେ, ଏବଂ ପେମା ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ପରେ ସମସ୍ତ ୪୩ ବିଧାୟକ ବିଜେପିରେ ସାମିଲ ହେଲେ । ୨୦୧୯ରେ ପେମା ଖଣ୍ଡୁଙ୍କ ନେତୃତ୍ୱରେ ନାଗାଲ୍ୟାଣ୍ଡରେ ବିଜେପି ସରକାର ଗଠନ କରିଛି ।..

୭. ଏନ୍. ବିରେନ ସିଂହ । ମଣିପୁରର ଏହି ବରିଷ୍ଠ ନେତା କଂଗ୍ରେସରୁ ନିଜର କ୍ୟାରିଅର ଆରମ୍ଭ କରିଥିଲେ । ୨୦୧୬ରେ ସେ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିଲେ, ଏବଂ ମୁଖ୍ୟମନ୍ତ୍ରୀ ହୋଇଥିଲେ ।

୮. ଏନ୍. ରଙ୍ଗାସ୍ୱାମୀ । ୭୧ ବର୍ଷୀୟ ରଙ୍ଗାସ୍ୱାମୀ ଏବେ କେନ୍ଦ୍ର ଶାସିତ ଅଂଚଳ ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଅଛନ୍ତି । ଅନ୍ୟମାନଙ୍କ ପରି ସେ ମଧ୍ୟ କଂଗ୍ରେସ ଦଳରୁ ରାଜନୀତି ଆରମ୍ଭ କରିଥିଲେ । ୨୦୦୧ରୁ ୨୦୦୮ ଯାଏ ସେ ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଥିଲେ । ତେବେ ଦଳରେ ଅଣଦେଖା କରାଯିବାରୁ ୨୦୧୧ରେ କଂଗ୍ରେସ ଛାଡି ନିଜର ପାର୍ଟି ଗଠନ କରିଥିଲେ ରଙ୍ଗାସ୍ୱାମୀ, ଏବଂ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ୨୦୨୧ ବିଧାନସଭା ନିର୍ବାଚନରେ ବିଜେପି ସମର୍ଥନରେ ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ରଙ୍ଗାସ୍ୱାମୀ ।..

ସମ୍ବନ୍ଧିତ ଖବର