ବିଶିଷ୍ଟ ହକି ପରିସଂଖ୍ୟାନବିତ୍‌ ଯୋଶୀଙ୍କ ପରଲୋକ

ଭୋପାଳ/ଭୁବନେଶ୍ବର: ବିଶ୍ବ ହକି ଦୁନିଆର ଅତି ପରିଚିତ ବ୍ୟକ୍ତିତ୍ବ, ସାମ୍ବାଦିକ, ବିଶିଷ୍ଟ ହକି ଐତିହାସିକ ତଥା ଜଣାଶୁଣା ହକି ପରିସଂଖ୍ୟାନବିତ୍‌ ବିଜି ଯୋଶୀଙ୍କର ମଙ୍ଗଳବାର ପରଲୋକ ଘଟିଛି। ‌କୋଭିଡ୍‌ ମହାମାରି ଜନିତ ଜଟିଳତା ପରେ ଯୋଶୀ ଭୋପାଳରେ ୬୭ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଯୋଶୀଙ୍କ ବିୟୋଗରେ ଭାରତୀୟ କ୍ରୀଡ଼ା ସାମ୍ବାଦିକ ଦୁନିଆରେ ଶୋକର ଛାୟା ଖେଳିଯାଇଛି। ହକି ଇଣ୍ଡିଆ ଏବଂ ୱାନ ଟିମ୍‌ ୱାନ୍‌ ଡ୍ରିମ୍‌ ପକ୍ଷରୁ ମଧ୍ୟ ଶୋକବ୍ୟକ୍ତ କରାଯାଇଛି। ବିଗତ କିଛି ବର୍ଷ ହେବ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ସମସ୍ତ ଅନ୍ତର୍ଜାତୀୟ ହକି ପ୍ରତିଯୋଗିତା ବେଳେ ଯୋଶୀଙ୍କ ଉପସ୍ଥିତି କ୍ରୀଡ଼ା ସାମ୍ବାଦିକଙ୍କ ପାଇଁ ପରିସଂଖ୍ୟାନର ସୂତ୍ରଧର ରହି ଆସୁଥିଲା।

ମଧ୍ୟପ୍ରଦେଶ ଜଳସମ୍ପଦ ବିଭାଗରେ ଜଣେ ଇଂଜିନିୟର ଭାବେ କାର୍ଯ୍ୟ କରିଥିବା ବିଜି ଯୋଶୀ ହକିର ଜଣେ ବଡ଼ ପ୍ରଶଂସକ ଏବଂ ଅନୁଗାମୀ ଥିଲେ। ସତୁରୀ ଦଶକରୁ ବିଶ୍ବବ୍ୟାପୀ ହକି ପ୍ରତିଯୋଗିତାକୁ ପିଛା କରିବା ସହ ପରିସଂଖ୍ୟାନର ସଠିକ୍ ହିସାବ ନିକାସ ରଖି କ୍ରୀଡ଼ା ଦୁନିଆରେ ପ୍ରିୟଭାଜନ ହୋଇଥିଲେ। ୧୯୭୦ ବ୍ୟାଙ୍କକ୍ ଏସିଆଡ୍‌ରୁ ତାଙ୍କ ଅଭିଯାନ ଆରମ୍ଭ ହୋଇଥିବା ବେଳେ ୨୦୧୮ ଓଡ଼ିଶା ହକି ବିଶ୍ବକପ୍‌ରେ ଶେଷ ହୋଇଥିଲା। ବିଶ୍ବକପ୍‌ ସମ୍ପର୍କିତ ବହୁ ମାଗାଜିନ୍‌ ମଧ୍ୟ ସେ ପ୍ରକାଶ କରିଥିଲେ। ତାଙ୍କ ପରିସଂଖ୍ୟାନ ଅଧିକାଂଶ ହିନ୍ଦୀ ଓ ଇଂରାଜୀ ଦୈନିକର କ୍ରୀଡ଼ା ପୃଷ୍ଠାରେ ବି ଗୁରୁତ୍ବ ବହନ କରୁଥିଲା। ବୃତ୍ତିଗତ ଜୀବନରେ ଇଂଜିନିୟର ଥିଲେ ବି ଖେଳ ପ୍ରତି ତାଙ୍କ ଭଲ ପାଇବା ଏବଂ ପାଗଳାମୀ ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଥିଲା। ଅବସର ପରେ ମଧ୍ୟ ସେ ପତ୍ନୀଙ୍କ ସହ ବିଭିନ୍ନ ଏଫଆଇଏଚ୍‌ ହକି ପ୍ରତିଯୋଗିତାକୁ ଆସୁଥିଲେ ଏବଂ ଅନ୍ୟମାନଙ୍କ ପାଇଁ ପରିସଂଖ୍ୟାନଭିତ୍ତିକ ଖବରର ଉତ୍ସ ପାଲଟୁଥିଲେ। ତାଙ୍କ ବିୟୋଗରେ ହକି ଇଣ୍ଡିଆ ସଭାପତି ଜ୍ଞାନେନ୍ଦ୍ର ନିଙ୍ଗମ୍ବମ୍‌ ଗଭୀର ଶୋକ ପ୍ରକାଶ କରିଛନ୍ତି। ସ୍ବର୍ଗତ ଯୋଶୀଙ୍କ ଭଳି କେହି ଆଧୁନିକ ହକିର ରେକର୍ଡ ପରିଚାଳନା କରୁନଥିଲେ। ଖେଳାଳିଙ୍କ ପଦାର୍ପଣ, ଗୋଲ୍, ସହଯୋଗ ଆଦିର ବିଶ୍ବବ୍ୟାପୀ ରେକର୍ଡ ସେ ନିଜ ପାଖରେ ରଖିଥିଲେ ବୋଲି ଜ୍ଞାନେନ୍ଦ୍ର ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର