ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ୍‌ ଓ କୋଭିଡ୍‌ କଟକଣା: ମହାରାଷ୍ଟ୍ରରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା ହୋଇପାରେ

ନୂଆଦିଲ୍ଲୀ: ସଂକ୍ରମଣ ବଢ଼ିବାରୁ ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା ହୋଇଛି ଏବଂ କୋଭିଡ୍‌ କଟକଣା କଡ଼ାକଡ଼ି କରାଯାଇଛି। ଦିଲ୍ଳୀ ଏବଂ ରାଜସ୍ଥାନ ପରେ ଆଜି ଝାଡ଼ଖଣ୍ଡ ସରକାର ଝାଡ଼ଖଣ୍ଡରେ ଏପ୍ରିଲ ୨୨ରୁ ୨୯ ମଧ୍ୟରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଲକ୍‌ଡାଉନ୍‌ ସମୟରେ କେବଳ ଅତ୍ୟାବଶ୍ୟକ ସେବା ଉପଲବ୍ଧ ହେବ। ସେହିପରି ମିଜୋରାମ୍‌ରେ ଆଇଜୋଲ୍‌ ଏବଂ ଅନ୍ୟ ୧୦ଟି ଜିଲ୍ଲାରେ ୭ ଦିନିଆ ଲକ୍‌ଡାଉନ୍‌ ହୋଇଛି। ମହାରାଷ୍ଟ୍ରରେ କଟକଣା ଆହୁରି କଡ଼ାକଡ଼ି କରାଯାଇଛି। ମହାରା‌ଷ୍ଟ୍ରରେ ଏବେ ଧାରା ୧୪୪ ଜାରି ହୋଇଛି। ତେବେ ଏହି ସମୟରେ ରାଜ୍ୟରେ ଅତ୍ୟାବଶ୍ୟକ ସେବା ଯୋଗାଉଥିବା ଦୋକାନା ବଜାର ଖୋଲିବାକୁ ଅନୁମତି ଥିଲା। କିନ୍ତୁ ସଂକ୍ରମଣ ବଢ଼ିବାରୁ ରାଜ୍ୟ ସରକାର କଟକଣା ଆହୁରି କଡ଼ାକଡ଼ି କରିଛନ୍ତି।

ମହାରାଷ୍ଟ୍ରରେ ଆଜିଠାରୁ କେବଳ ୪ ଘଣ୍ଟା‌ ପାଇଁ ତଥା ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ସଉଦା, ପନିପରିବା ଏବଂ କ୍ଷୀର ଦୋକାନ ଖୋଲା ରହିବ। ଅନ୍ୟପକ୍ଷେ ମହାରାଷ୍ଟ୍ରରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ପାଇଁ ବିଚାରବିମର୍ଶ ଚାଲିଛି ବୋଲି ମହାରାଷ୍ଟ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି। ରାଜ୍ୟରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ କରିବାକୁ କ୍ୟାବିନେଟ୍‌ ପକ୍ଷରୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ଅନୁରୋଧ କରାଯାଇଛି ବୋଲି ଟୋପେ କହିଛନ୍ତି।
ସେହିପରି ସଂକ୍ରମଣ ବଢ଼ୁଥିବା ଉତ୍ତରପ୍ରଦେଶରେ ବି ସପ୍ତାହାନ୍ତ ଲକ୍‌ଡାଉନ୍‌ ହେବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ନାଇଟ୍‌ କର୍ଫ୍ୟୁ ସହ ରାଜ୍ୟରେ ପ୍ରତି ଶନିବାର ଏବଂ ରବିବାର ସମ୍ପୂର୍ଣ୍ଣ ସଟ୍‌ଡାଉନ୍‌ ହେବ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଅତିରିକ୍ତ ମୁଖ୍ୟ ସଚିବ ଅବନିଶ କୁମାର କହିଛନ୍ତି। ତେଲେଙ୍ଗାନା ସରକାର ମଧ୍ୟ ଆସନ୍ତା ମେ’ ୧ ପର୍ଯ୍ୟନ୍ତ ରାଜ୍ୟରେ ନାଇଟ୍‌ କର୍ଫ୍ୟୁ ଜାରି କରିଛନ୍ତି।

ରାଜ୍ୟରେ ସଂକ୍ରମଣ ବୃଦ୍ଧି ହେବାରୁ ତେଲେଙ୍ଗାନା ହାଇକୋର୍ଟ ଗତକାଲି ସରକାରଙ୍କ ଉପରେ ବର୍ଷିଥିଲେ। ସଂକ୍ରମଣ ରୋକିବା ଦିଗରେ ୪୮ ଘଣ୍ଟା ମଧ୍ୟରେ କିଛି ପଦକ୍ଷେପ ଗ୍ରହଣ କରିବାପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପକ୍ଷେ ରାଜସ୍ଥାନ ସରକାର ଗତକାଲି ରାଜ୍ୟରେ ମେ’ ୩ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରିଥିବା ବେଳେ ଆଜି ପୁଣି କହିଛନ୍ତି, ଏପ୍ରିଲ ୨୨ରୁ ମେ’ ୨୧ ଯାଏଁ ରାଜ୍ୟ ସ‌ାରା ଧାରା ୧୪୪ ଜାରି ହେବ। ଦିଲ୍ଲୀରେ ୬ ଦିନିଆ ଲକ୍‌ଡାଉନ୍‌ ଗତରାତିରୁ ଆରମ୍ଭ ହୋଇସାରିଛି।

ସମ୍ବନ୍ଧିତ ଖବର