ଇଣ୍ଡିଜ୍ ଖେଳାଳି ବିରାଟଙ୍କଠୁ ଶିକ୍ଷା ନିଅନ୍ତୁ

ଭିଭିଏସ୍ ଲକ୍ଷ୍ମଣ

ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ବିତୀୟ ଦିନିକିଆରେ ବିରାଟ କୋହଲି ଏବଂ ଭୁବନେଶ୍ବର କୁମାର ଅଭିଜ୍ଞତାର ମହତ୍ବ ବୁଝାଇଲେ। କଷ୍ଟକର ପିଚ୍‌ରେ କେମିତି ଖେଳିବାକୁ ହୁଏ, ତାହା ଶିଖାଇଲେ। ମୋ ମତରେ ସେମାନଙ୍କଠାରୁ ଯୁବ ଖେଳାଳିମାନେ ଅନେକ କିଛି ଶିଖି ପାରିବେ। ବିରାଟ ଚମତ୍କାର ବ୍ୟାଟିଂ କରି ନିଜ ୪୨ତମ ଶତକ ଅର୍ଜନ କଲେ। ବିରାଟଙ୍କୁ ମୁଁ ଯେତେ‌ ଦେଖୁଛି, ତାଙ୍କ ପ୍ରତି ମୋ ମନରେ ଥିବା ସମ୍ମାନ ସେତେ ବଢ଼ି ଚାଲିଛି। ଏତେଦିନ ଧରି ଖେଳିବା ପରେ କେବେ କେବେ ଏକାଗ୍ରତା ରହି ନଥାଏ। ହେଲେ ସେ ଏହି କ୍ଷେତ୍ରରେ ବ୍ୟତିକ୍ରମ। ବିରାଟ ସ୍ବତନ୍ତ୍ର। କେବଳ ଚୌକା ନୁହେଁ ରକ୍ଷଣାତ୍ମକ ଖେଳରେ ମଧ୍ୟ ସେ ସମସ୍ତଙ୍କଠାରୁ ଆଗରେ। ପିଚ୍‌ର ଗତି ଅନୁସାରେ ନିଜ ଖେଳ ଖେଳିବାରେ ବିରାଟ ସିଦ୍ଧହସ୍ତ। ତାଙ୍କ ବ୍ୟାଟ୍ ଘୂରିବା ମଧ୍ୟ ପିଚ୍ ଅନୁସାରେ ବଦଳିଥାଏ। ଏହା କରିବା କିନ୍ତୁ ଆଦୌ ସହଜ ନୁହେଁ। ଯୁବ ତାରକା ଶ୍ରେୟସ୍ ଆୟର ମଧ୍ୟ ବହୁତ ଭଲ ଖେଳିଲେ। ଜାତୀୟ ଦଳକୁ ପ୍ରତ୍ୟାବର୍ତନ କରିବାର ପ୍ରଥମ ମ୍ୟାଚ୍‌ରେ ଏଭଳି ‌ଖେଳିବା ବି ସହଜ ନୁହେଁ। ଭାରତ ‘ଏ’ ପକ୍ଷରୁ ବଡ଼ ବଡ଼ ପାଳି ଖେଳିବା ଏହି କ୍ଷେତ୍ରରେ ତାଙ୍କୁ ସହାୟ ହେଲା। ସେ ଏକ ପରିପକ୍ବ ଅର୍ଧଶତକ ଅର୍ଜନ କଲେ। ବିରାଟଙ୍କ ସହ ଦୀର୍ଘ ସମୟ ବ୍ୟାଟିଂ କରିବା ପରେ ତାଙ୍କ ଆତ୍ମବିଶ୍ବାସ ମଧ୍ୟ ଢେର ଉଚ୍ଚରେ ଥିବ। ଭାରତୀୟ ଦଳରେ ନିଜ ସ୍ଥାନ ପକ୍କା କରିବା ଲାଗି ଅବଶ୍ୟ ତାଙ୍କୁ ନିୟମିତ ଭାବେ ଏଭଳି ପାଳି ଖେଳିବାକୁ ହେବ। ଭୁବି ରଚନାତ୍ମକ ବୋଲିଂ କରି ଇଣ୍ଡିଜକୁ ପୂରା ଘାଇଲା କଲେ। ତାଙ୍କ ବୋଲିଂରେ ବିବିଧତା ଥିଲା। ପିଚ୍‌ର ଆବଶ୍ୟକତା ଅନୁସାରେ ହିଁ ସେ ବଲ୍ ପକାଇଥିଲେ। କଠିନ ପିଚ୍‌ରେ ଏକ ସମ୍ମାନଜନକ ସ୍କୋରକୁ ପିଛା କରିବା ସହଜ ନଥିଲା। ଇଣ୍ଡିଜ୍ ସେଥିପାଇଁ ତା ପୁରୁଖା ଏବଂ ଅଭିଜ୍ଞ ଖେଳାଳିଙ୍କ ଉପରେ ନିର୍ଭରଶୀଳ ଥିଲା। ହେଲେ କ୍ରିସ୍ ଗେଲ୍ ପୁଣି ଥରେ ଲୟ ପାଇବାକୁ ଆରମ୍ଭରୁ ସଂଘର୍ଷ କଲେ। ଭାରତୀୟ ପାଳିର ପ୍ରାରମ୍ଭିକ ପର୍ଯ୍ୟାୟରେ ରୋହିତ ଶର୍ମା ମଧ୍ୟ ଏଭଳି ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏଭିନ ଲୁଇସ୍ ସାହସିକ ବ୍ୟାଟିଂ କରିଥିଲେ। ୫୦ ଓ ୬୦ରେ ସନ୍ତୁଷ୍ଟ ନହୋଇ ତାଙ୍କୁ ଏହାକୁ ଶତକରେ ରୂପାନ୍ତର କରିବାକୁ ପଡ଼ିବ। ଏହାଦ୍ବାରା ଇଣ୍ଡିଜର ପରବର୍ତୀ ବ୍ୟାଟ୍ସମ୍ୟାନଙ୍କ କାମ ସହଜ ହୋଇଯିବ।

ସମ୍ବନ୍ଧିତ ଖବର