ବାଂଲାଠୁ ବର୍ତ୍ତିଗଲା ନ୍ୟୁଜିଲାଣ୍ଡ୍‌

ଲଣ୍ଡନ: ବାଂଲା‌ଦେଶ ବଢ଼ିଆ ଲଢ଼ିଲା କିନ୍ତୁ ହାରିଗଲା। ବହୁ କଷ୍ଟକରି ନ୍ୟୁଜିଲାଣ୍ଡ ବୁଧବାର ବିଳମ୍ବିତ ରାତି ମ୍ୟାଚ୍‌କୁ ୨ ୱିକେଟ୍‌ରେ ଜିତି ନେଲା। ରସ ଟେଲର୍ ଏବଂ କେନ୍ ୱିଲିୟମସନ୍‌ଙ୍କ ଶତକୀୟ ଭାଗୀଦାରି ନ୍ୟୁଜିଲାଣ୍ଡକୁ ଭଲ ସ୍ଥିତିରେ ରଖିଥିଲେ ମଧ୍ୟ ନଛୋଡବନ୍ଧା ବାଂଲାଦେଶ ସହଜରେ ହାତ ଟେକି ଦେଇନଥିଲା। ନ୍ୟୁଜିଲାଣ୍ଡ୍ ୨ରୁ ୨ ବିଜୟ ସହ ପଏଣ୍ଟ୍ ଟେବୁଲରେ ଶୀର୍ଷକୁ ଉଠିଛି। ରସ୍ ଟେଲର୍ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। ଲଗାତାର ମ୍ୟାଚ୍‌ର ବିଶ୍ବର ଏକ ନମ୍ବର ଅଲରାଉଣ୍ଡର୍ ସକିବ୍ ଅଲ୍ ହାସନ୍‌ ସଫଳ ରହିଥିଲେ ମଧ୍ୟ ଏଥର ବାଂଲାଦେଶ ଅଳ୍ପକେ ବିଜୟରୁ ବଞ୍ଚିତ ହୋଇଛି।

ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ସମସ୍ତ ୱିକେଟ୍ ବିନିମୟରେ ୨୪୪ ରନ୍ କରିଥିଲା। ଜବାବରେ ମାର୍ଟିନ୍ ଗପ୍ଟିଲ୍‌ ଏବଂ କଲିନ୍ ମୁନରୋ ଭଲ ଆରମ୍ଭ କରି ୫ ଓଭରରେ ୩୫ ରନ୍ ଉଠାଇଥିଲେ। ଦ୍ବିତୀୟ ବୋଲିଂ ପରବର୍ତନରେ ଆସିଥିବା ବାମହାତୀ ସ୍ପିନର୍ ସକିବ୍ ଅଲ୍ ହାସନ୍‌ ନିଜ ପ୍ରଥମ ବଲରେ ମାର୍ଟିନ୍ ଗପ୍ଟିଲ୍ (୨୫, ୧୪ ବଲ୍‌, ୩ ଚୌକା, ୧ ଛକା)ଙ୍କୁ ଆଉଟ୍ କରିଥିଲେ। ସାଥୀ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ମୁନରୋ (୨୪, ୩୪ ବଲ)ଙ୍କୁ ମଧ୍ୟ ସକିବ୍ ଶିକାର କରି ନେଇଥିଲେ। ତେବେ ଅଧିନାୟକ କେନ୍ ୱିଲିୟମ୍‌ସନ୍ (୪୦, ୭୨ ବଲ, ୧ ଚୌକା) ଏବଂ ଅଭିଜ୍ଞ ରସ୍ ଟେଲର୍ (୮୨, ୯୧ ବଲ୍‌, ୯ ଚୌକା) ତୃତୀୟ ୱିକେଟ୍ ପାଇଁ ୨୧.୧ ଓଭରରେ ୧୦୫ ରନ୍ ‌ଯୋଡ଼ିବା ନ୍ୟୁଜିଲାଣ୍ଡକୁ ପ୍ରତ୍ୟାବର୍ତନ ସୁଯୋଗ ଦେଇଥିଲା। ଶେଷ ଭାଗରେ ବାଂଲାଦେଶ ଦ୍ରୁତ ବୋଲରମାନେ ନ୍ୟୁଜିଲାଣ୍ଡଖୁ ଅଡୁଆରେ ପକାଇଥିଲେ। କିନ୍ତୁ ନିମ୍ନକ୍ରମ ବ୍ୟାଟସମ୍ୟାନ୍‌ ନିଶାମ, ଗ୍ରାଣ୍ଡହୋମ୍ ଏବଂ ସାଣ୍ଟନର୍‌ଙ୍କ ଛୋଟ ଛୋଟ ଅବଦାନ ନ୍ୟୁଜିଲାଣ୍ଡ୍‌କୁ ୧୭ ବଲ୍ ପୂର୍ବରୁ ୨ ୱିକେଟ୍‌ରେ ବିଜୟୀ କରାଇଥିଲା।

ସମ୍ବନ୍ଧିତ ଖବର