ବାପା, ଜେଜେବାପାଙ୍କ ବିରଳ କ୍ଲବ୍‌ର ସମକକ୍ଷ ହେଲେ ପାକ୍‌ ବ୍ୟାଟ୍‌ସମ୍ୟାନ୍‌

କରାଚି: ପାକିସ୍ତାନୀ ଯୁବ ବ୍ୟାଟ୍‌ସମ୍ୟାନ୍‌ ସେହଜର୍‌ ମହମ୍ମଦ ନିଜ ବାପା, ଜେଜେବାପାଙ୍କ ବିରଳ କ୍ଲବ୍‌ର ସମକକ୍ଷ ହୋଇଛନ୍ତି। ଗତ ସପ୍ତାହରେ ସେହଜର୍‌ ଏକ ଘରୋଇ ମ୍ୟାଚ୍‌ରେ ଆକର୍ଷଣୀୟ ଦ୍ବିଶତକ (୨୬୫) ଜମାଇଥିଲେ। ଏଥି ସହିତ ପ୍ରଥମ ଶ୍ରେଣୀ ଦ୍ବିଶତକ ହାସଲ କରିବାରେ ସେ ବାପା, ଜେଜେବାପା, ଦାଦା ଏବଂ ଦୁଇ ବଡ଼ ଜେଜେବାପାଙ୍କ ପଦାଙ୍କ ଅନୁସରଣ କରିବାର ସଫଳତା ହାତେଇଛନ୍ତି। ‌େସହଜର୍‌ ହେଲେ ପାକିସ୍ତାନ କିମ୍ବଦନ୍ତୀ କ୍ରିକେଟର୍‌ ହନିଫ୍‌ ମହମ୍ମଦଙ୍କ ନାତି ଏବଂ ସୋଏବ୍‌ ମହମ୍ମଦଙ୍କ ପୁଅ। ସୋଏବ୍‌ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ଅପରାଜିତ ୨୦୮ ରନ୍‌ କରିଥିଲା ବେଳେ ହନିଫ୍‌ଙ୍କ ସର୍ବାଧିକ ପ୍ରଥମ ଶ୍ରେଣୀ ସ୍କୋର୍‌ ୪୯୯ ରନ୍‌। ହନିଫ୍‌ ସବୁଠୁ ଲମ୍ବା ପାଳି (୧୬ ଘଣ୍ଟା ୧୦ ମିନିଟ୍‌) ଖେଳିବାର କୀର୍ତିମାନ ମଧ୍ୟ ନିଜ ନାମରେ ରଖିଛନ୍ତି। ୧୯୫୭-୫୮ରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ବାର୍ବାଡସ୍‌ ଟେଷ୍ଟ୍‌ରେ ଏଭଳି ପାଳି ଖେଳି ସେ ୩୩୭ ରନ୍‌ କରିଥିଲେ। ହନିଫ୍‌ଙ୍କ ଭାଇ ସାଦିକ୍‌ ଓ ମୁସ୍ତାକ୍‌ ଏବଂ ସାଦିକ୍‌ଙ୍କ ପୁଅ ଇମ୍ରାନ୍‌ ମଧ୍ୟ ନିଜ ନିଜ କ୍ରିକେଟ୍‌ ଜୀବନରେ ପ୍ରଥମ ଶ୍ରେଣୀ ଦ୍ବିଶତକ ଜମାଇବାର କୀର୍ତିମାନ କରିଥିଲେ।

ସମ୍ବନ୍ଧିତ ଖବର