ବେଲ୍‌ଜିୟମ୍‌ ଗସ୍ତରେ ଭାରତ ୧୦୦%, ଶେଷ ମ୍ୟାଚ୍‌ରେ ବିଶ୍ବ ବିଜେତାକୁ ୫-୧ରେ ହରାଇଲା

ଅନ୍ତ୍ବର୍ପ (ବେଲ୍‌ଜିୟମ୍‌): ବେଲ୍‌ଜିୟମ ଗସ୍ତରେ ଭାରତୀୟ ପୁରୁଷ ହକି ଦଳ ଶତପ୍ରତିଶତ ସଫଳତା ହାସଲ କରିନେଇଛି। ଏହି ଗସ୍ତରେ ଭାରତ ୫ ମ୍ୟାଚ୍‌ ଖେଳି ୫ ବିଜୟ ପାଇଛି। ସେଥିରୁ ସ୍ପେନ୍‌ ବିପକ୍ଷରେ ଦୁଇଟି ବିଜୟ ପାଇଥିଲା ବେଳେ ବିଶ୍ବ ବିଜେତା ବେଲ୍‌ଜିୟମ୍‌ ବିପକ୍ଷରେ ୩ ମ୍ୟାଚ୍‌ ଖେଳି ୩ ବିଜୟ ହାସଲ କରିଛି। ଗୁରୁବାର ପଞ୍ଚମ ତଥା ଶେଷ ମ୍ୟାଚ୍‌ରେ ବେଲ୍‌ଜିୟମ୍‌କୁ ୫-୧ ଗୋଲ୍‌ରେ ପରାସ୍ତ କରି ଭାରତ ଶତ ପ୍ରତିଶତ ସଫଳତା ସହ ଗସ୍ତ ଶେଷ କରିଛି। ଗୁରୁବାର ମ୍ୟାଚ୍‌‌ରେ ଭାରତ ପକ୍ଷରୁ ସିମ୍ରନ୍‌ଜିତ୍‌ ସିଂହ ସପ୍ତମ ମିନିଟ୍‌ରେ ଗୋଲ୍‌ ଅଭିଯାନ ଆରମ୍ଭ କରିଥିଲା ବେଳେ ୮ ମିନିଟ୍‌ ଅନ୍ତରରେ ଆଉ ୪ ଗୋଲ୍‌ ଲଦି ଦେଇ ସହଜ ବିଜୟ ହାସଲ କରିଥିଲା। ସିମ୍ରନ୍‌ଜିତଙ୍କ ବ୍ୟତୀତ ୩୫ ମିନିଟ୍‌ରେ ଲଲିତ କୁମାର ଉପାଧ୍ୟାୟ, ୩୬ ମିନିଟ୍‌ରେ ବିବେକ ସାଗର ପ୍ରସାଦ, ୪୨ ମିନିଟ୍‌ରେ ହରମନ୍‌ପ୍ରୀତ ସିଂହ ଏବଂ ୪୩ ମିନିଟ୍‌ରେ ରମଣଦୀପ ସିଂହ ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲେ। ବେଲ୍‌ଜିୟମ୍‌ ପକ୍ଷରୁ ଏକମାତ୍ର ଗୋଲ୍‌ଟି ଆଲେକ୍‌ଜାଣ୍ଡର ହେଣ୍ଡ୍ରିକ୍ସ ୩୯ ମିନିଟ୍‌ରେ ଶୁଝି ଦେଇଥିଲେ। ଚଳିତ ଗସ୍ତରେ ଭାରତ ଏହା ପୂର୍ବରୁ ପ୍ରଥମ ମ୍ୟାଚ୍‌ରେ ବେଲ୍‌ଜିୟମ୍‌କୁ ୨-୦, ଦ୍ବିତୀୟ ମ୍ୟାଚ୍‌ରେ ସ୍ପେନ୍‌କୁ ୬-୧, ତୃତୀୟ ମ୍ୟାଚ୍‌ରେ ‌ସ୍ପେନ୍‌କୁ ୫-୧ ଓ ଚତୁର୍ଥ ମ୍ୟାଚ୍‌ରେ ବେଲ୍‌ଜିୟମ୍‌କୁ ୨-୧ ଗୋଲ୍‌ରେ ପରାସ୍ତ କରିଥିଲା।

ବିଶ୍ବ ବିଜେତା ବେଲ୍‌ଜିୟମ୍‌ ବିପକ୍ଷରେ ଦମ୍‌ଦାର ପ୍ରଦର୍ଶନ ପରେ ଭାରତୀୟ ଦଳ ଏବେ ଅଲିମ୍ପିକ୍ ଯୋଗ୍ୟତା ପାଇଁ ଲକ୍ଷ୍ୟ ରଖିଛି। ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ୍‌ରେ ଭାରତ ନଭେମ୍ବର ୧ ଓ ୨ ତାରିଖରେ ଗୁରୁତ୍ବପୂର୍ଣ୍ଣ ଅଲିମ୍ପିକ୍‌ ଯୋଗ୍ୟତାପର୍ଯ୍ୟାୟର ଦୁଇଟି ମ୍ୟାଚ୍‌ରେ ରୁଷିଆକୁ ଭେଟିବ। ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ୍‌ରେ ପ୍ରଥମ ଥର ପାଇଁ ମଧ୍ୟ ଭାରତୀୟ ମହିଳା ହକି ଦଳ ଅଲିମ୍ପିକ୍‌ ଯୋଗ୍ୟତା ପାଇଁ ଖେଳିବ। ଓଡ଼ିଶାର ହକିପ୍ରେମୀଙ୍କ ସମ୍ମୁଖରେ ମହିଳା ଦଳ ନଭେମ୍ବର ୧ ଓ ୨ ତାରିଖରେ ଆମେରିକା ସହ ମ୍ୟାଚ୍‌ ଖେଳିବ।

ସମ୍ବନ୍ଧିତ ଖବର