ଖୋଲିବ ୧୦୦୦ ଜିଲ୍ଲାସ୍ତରୀୟ ଖେଲୋ ଇଣ୍ଡିଆ କେନ୍ଦ୍ର

ନୂଆଦିଲ୍ଲୀ: ସାରା ଦେଶରେ ୧୦୦୦ ଜିଲ୍ଲାସ୍ତରୀୟ ଖେଲୋ ଇଣ୍ଡିଆ କେନ୍ଦ୍ର (କେଆଇସି) ପ୍ରତିଷ୍ଠା କରିବାକୁ କ୍ରୀଡ଼ା ମନ୍ତ୍ରଣାଳୟ ପ୍ରସ୍ତୁତି ଚଳାଇଛି। ଯେଉଁ କ୍ରୀଡ଼ା ବିଜେତାମାନେ ସେମାନଙ୍କ ପା‌ରଦର୍ଶିତା ପାଇଁ ପାରିଶ୍ରମିକ ପାଇବାକୁ ହକ୍‌ଦାର ସେହିମାନଙ୍କ ସହାୟତାରେ କେନ୍ଦ୍ରସବୁ ପ୍ରତିଷ୍ଠା କରିବାର ଯୋଜନା ହାତକୁ ନେଇଛି ମନ୍ତ୍ରଣାଳୟ। ଏହିସବୁ କେନ୍ଦ୍ର କୌଣସି ଅତୀତର ବିଜେତା‌ କିମ୍ବା କୌଣସି ପ୍ରଶିକ୍ଷକଙ୍କ ଦ୍ବାରା ପରିଚାଳିତ ହେବ। ଭାରତକୁ ଏକ କ୍ରୀଡ଼ା ମହାଶକ୍ତିରେ ପରିଣତ କରିବା ଲକ୍ଷ୍ୟ ରଖିଛୁ। ବିଶେଷକରି ଯୁବ ପ୍ରତିଭାମାନଙ୍କ କ୍ରୀଡ଼ା ଜୀବନକୁ ପ୍ରସ୍ଫୁଟିତ କରିବା ଲକ୍ଷ୍ୟରେ ଜିଲ୍ଲାସ୍ତରୀୟ ଖେଲୋ ଇଣ୍ଡିଆ କେନ୍ଦ୍ର ପ୍ରତିଷ୍ଠା କରାଯିବ ବୋଲି କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁ ଏକ ବିବୃତିରେ କହିଛନ୍ତି। ଖେଳକୁ ପେସା କରିବା ବଦଳରେ ଯେଉଁମାନେ ପ୍ରତିଦ୍ବନ୍ଦ୍ବିତାମୂଳକ କ୍ରୀଡ଼ାରୁ ଦୂରେଇ ଯାଉଛନ୍ତି ସେମାନଙ୍କୁ ଅଭିଭାବକମାନେ ଉତ୍ସାହିତ କରିବାକୁ ରିଜିକୁ ପରାମର୍ଶ ଦେଇଛନ୍ତି। ଏହା ସମ୍ଭବ ହେଲେ ଯୁବ ପ୍ରତିଭାମାନେ କ୍ରୀଡ଼ାକୁ ଗୁରୁତ୍ବର ସହ ଜୀବନର ଏକ ଅଂଶବିଶେଷ ଭାବେ ନେଇପାରିବେ। ଜିଲ୍ଲାସ୍ତରରେ ଖେଲୋ ଇଣ୍ଡିଆ କେନ୍ଦ୍ର ପ୍ରତିଷ୍ଠା ହେଲେ ଖେଳାଳିମାନେ ନିଜ ନିଜର ଦକ୍ଷତା ପ୍ରମାଣିତ କରିବାର ସୁଯୋଗ ପାଇପାରିବେ ବୋଲି ରିଜିଜୁ କହିଛନ୍ତି। ଏହି ପିଲାମାନଙ୍କୁ ପ୍ରଶିକ୍ଷିତ କରିବା ପାଇଁ ପୂର୍ବତନ ବିଜେତାମାନଙ୍କୁ ଚିହ୍ନଟ କରାଯିବ। ଯେଉଁମାନେ କି ନିଜର ଏକାଡେମି ପ୍ରତିଷ୍ଠା କରିବାର ସାମର୍ଥ୍ୟ ରଖିଥିବେ କିମ୍ବା କେଆଇସିରେ ଜଣେ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରିଥିବେ।

ଯେଉଁମାନେ କୌଣସି ସ୍ବୀକୃତିପ୍ରାପ୍ତ ଏନ୍‌ଏସ୍‌ଏଫ୍‌ (ଜାତୀୟ କ୍ରୀଡା ସଂଗଠନ) କିମ୍ବା ସଂଘ ଅଧୀନରେ ସ୍ବୀକୃତିପ୍ରାପ୍ତ ଆନ୍ତର୍ଜାତିକ ପ୍ରତିଦ୍ବନ୍ଦ୍ବିତାରେ ଭାରତ ପାଇଁ ପ୍ରତିନିଧିତ୍ବ କରିଥିବେ ସେମାନଙ୍କ ନାମ ପ୍ରତିଷ୍ଠା ହେବାକୁ ଥିବା ଏହି ସବୁ କେନ୍ଦ୍ରରେ ପ୍ରଥମ କାଟେଗୋରୀ ଆଥ୍‌ଲେଟ୍‌ ଭାବେ ବିବେଚନା କରାଯିବ। ସ୍ବୀକୃତିପ୍ରାପ୍ତ ଏନ୍‌ଏସ୍‌ଏଫ୍‌ ଦ୍ବାରା ପରିଚାଳିତ ବରିଷ୍ଠ ଜାତୀୟ ପ୍ରତିଯୋଗିତା କିମ୍ବା ଖେଲୋ ଇଣ୍ଡିଆ କ୍ରୀଡ଼ାରେ ପଦକ ବିଜେତା ଦ୍ବିତୀୟ କାଟେଗୋରିରେ ସାମିଲ ହେବେ। ସେହିପରି ଜାତୀୟ ସର୍ବଭାରତୀୟ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ଯେଉଁମାନେ ପଦକ ଜିତିଥିବେ ତଥା ପୂର୍ବ ବିଜେତାମାନେ ତୃତୀୟ କା‌ଟେଗୋରିରେ ରହିପାରିବେ। ପୁଣି ଯେଉଁମାନେ ସ୍ବୀକୃତିପ୍ରାପ୍ତ ଏନ୍‌ଏସ୍‌ଏଫ୍‌ ହେଉ ବ‌ା ‌ଖେଲୋ ଇଣ୍ଡିଆ ପରିଚାଳିତ କୌଣସି ବରିଷ୍ଠ ଜାତୀୟ ପ୍ରତିଯୋଗିତାରେ ରାଜ୍ୟ ତରଫରୁ ପ୍ରତିନିଧିତ୍ବ କରିଥିବେ ସେମାନଙ୍କୁ ଚତୁର୍ଥ କାଟେଗୋରିରେ ସାମିଲ କରାଯିବ। ଏହି କେନ୍ଦ୍ରରେ ସାମିଲ ହେବା ପାଇଁ ଆବେଦନ କରିବାକୁ ପଡ଼ିବ। ଜମ୍ମୁ ଓ କାଶ୍ମୀର, ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ ଏବଂ ଲଦାଖରେ ଏନ୍‌ଆଇଏସ୍‌ ପ୍ରମାଣପତ୍ର ସହ ତାଲିମପ୍ରାପ୍ତ ପ୍ରଶିକ୍ଷକମାନେ ମଧ୍ୟ ଏଥିପାଇଁ ଆବେଦନ କରିପାରିବେ।

ଅନ୍ୟୁନ ୫ ବର୍ଷ ଧରି ଯେଉଁ ଅନୁଷ୍ଠାନଗୁଡ଼ିକ କ୍ରୀଡ଼ାର ବିକାଶ ଦିଗରେ କାର୍ଯ୍ୟ କରୁଛନ୍ତି ସେମାନେ ଏଭଳି କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ଯୋଗ୍ୟ ହେବେ। ତେବେ ଉତ୍ତର-ପୂର୍ବ ରାଜ୍ୟମାନଙ୍କ ପାଇଁ ୫ ବର୍ଷିୟା ନିୟମ ଲାଗୁ ହେବ ନାହିଁ। ଏହି ସବୁ ଜିଲ୍ଲାସ୍ତରୀୟ କେନ୍ଦ୍ରରେ ୧୪ଟି କ୍ରୀଡ଼ାରେ ତାଲିମ ପ୍ରଦାନ କରାଯିବ। ସେଗୁଡ଼ିକ ହେଲା ତୀରନ୍ଦାଜି, ଆଥ୍‌ଲେଟିକ୍ସ, ମୁଷ୍ଟିଯୁଦ୍ଧ, ବ୍ୟାଡ୍‌ମିଣ୍ଟନ, ସାଇକେଲ ଚାଳନା, ଫେନ୍‌ସିଂ, ହକି, ଜୁଡୋ, ନୌଚାଳନା, ବନ୍ଧୁକଚାଳନା, ସନ୍ତରଣ, ଟେବୁଲ ଟେନିସ୍‌, ଭାରୋତ୍ତୋଳନ, କୁସ୍ତି। ଏହା ବ୍ୟତୀତ ଫୁଟ୍‌ବଲ ଏବଂ ପାରମ୍ପରିକ କ୍ରୀଡ଼ା ମଧ୍ୟ ସାମିଲ ରହିବ ବୋଲି ରିଜିଜୁ କହିଛନ୍ତି। ପ୍ରତି କେନ୍ଦ୍ରକୁ ପ୍ରଶିକ୍ଷକ (ପୂର୍ବ ବିଜେତା ଆଥ୍‌ଲେଟ୍‌), ସହକାରୀ ଷ୍ଟାଫ୍‌, ସରଞ୍ଜାମ କିଣା, ସ୍ପୋର୍ଟସ କିଟ୍‌, ଉପଯୋଗୀ ସାମଗ୍ରୀ, ପ୍ରତିଯୋଗିତାରେ ଅଂଶଗ୍ରହଣ ବାବଦରେ ଅର୍ଥ ମଞ୍ଜୁର କରାଯିବ। ନୂଆ ଖେଲୋ ଇଣ୍ଡିଆ କେନ୍ଦ୍ର ଚିହ୍ନଟ ପ୍ରକ୍ରିୟା ସଂପୃକ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର କ୍ରୀଡ଼ା ବିଭାଗ କରିବ। କ୍ରୀଡ଼ା ବିଭାଗ ମଧ୍ୟ ଜିଲ୍ଲାପାଳଙ୍କ ସହ ଏନେଇ ଯୋଗାଯୋଗ କରିବ ଏବଂ ପ୍ରସ୍ତାବକୁ ‘ସାଇ’ର ରିଜିଓନାଲ କେନ୍ଦ୍ରକୁ ଅନୁମୋଦନ ପାଇଁ ପଠାଇବ ବୋଲି ରିଜିଜୁ ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର