୩ୟ ଟି-୨୦: ଭେଙ୍କଟେଶ୍ ଆୟର୍-ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ବ୍ୟାଟିଂ, ୱେଷ୍ଟଇଣ୍ଡିଜ୍‌କୁ ୧୮୫ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଭାରତ

କୋଲକାତା: ଭାରତ ଓ ଓ୍ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ତୃତୀୟ ଟି୨୦ରେ ଭାରତ ପ୍ରଥମେ ବ୍ୟାଟିଂ ୫ ଓ୍ଵିକେଟ୍ ହରାଇ କରି ୧୮୪ ରନ୍ କରିଛି। ଓ୍ୱେଷ୍ଟଇଣ୍ଡିଜ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। କୋଲକାତାର ଇର୍ଡେନ ଗାର୍ଡେନରେ ଓପନର୍ ଋତୁରାଜ ଗାଏକ୍ଵାଡ୍ ଓ ଈଶାନ୍ କିଶନ୍ ଭାରତର ପାଳି ଆରମ୍ଭ କରିଥିଲେ।

ଯୁବ ବ୍ୟାଟର ଋତୁରାଜ ଗାଏକ୍ଵାଡ୍ ଦଳୀୟ ସ୍କୋର୍ ୧୦ରେ ମାତ୍ର ୪ ରନ୍ କରି ଆଉଟ୍ ହୋଇଯାଇଥିଲେ। ଏହା ପରେ ଶ୍ରେୟସ୍ ଆୟାର୍ ଓ ଈଶାନ୍ କିଶନ୍ ଦ୍ଵିତୀୟ ଓ୍ଵିକେଟରେ ୫୩ ରନର ପାର୍ଟନରସିପ୍ ଗଢିଥିଲେ। ଶ୍ରେୟସ୍ ଆୟାର୍ ଦ୍ଵିତୀୟ ଓ୍ଵିକେଟ୍ ଭାବେ ୧୬ଟି ବଲ୍ ଖେଳି ୪ଟି ଚୌକା ସହ ୨୫ ରନ କରି ଆଉଟ୍ ହୋଇଥିଲେ। ଦଳୀୟ ସ୍କୋର ୬୬ରେ ଈଶାନ୍ କିଶନ୍ ୩୧ଟି ବଲ୍ ଖେଳି ୫ଟି ଚୌକା ସହ ୩୪ ରନ୍ କରି ଆଉଟ୍ ହୋଇଥିଲେ।

ଟିମ୍‌ ଇଣ୍ଡିଆର ସ୍କୋର ୯୩ ରନ୍‌ରେ ଅଧିନାୟକ ରୋହିତ ଶର୍ମା ଆଉଟ୍‌ ହୋଇଥିଲେ। ରୋହିତ୍ ୧୫ଟି ବଲ୍ ଖେଳି ମାତ୍ର ୭ ରନ୍ କରି ଡୋମିନିକ୍ ଡ୍ରେକ୍ସଙ୍କ ବଲରେ ବୋଲ୍ଡ୍ ଆଉଟ୍ ହୋଇଥିଲେ। ୧୩.୫ ଓଭରରେ ୯୩ ରନରେ ୪ଟି ଓ୍ଵିକେଟ୍ ପରେ ସୂର୍ଯ୍ୟକୁମାର ଯାଦବ ଓ ଭେଙ୍କଟେଶ୍ ଆୟର୍ ପଞ୍ଚମ ଓ୍ଵିକେଟରେ ବିସ୍ଫୋରକ ବ୍ୟାଟିଂ କରି ୯୩ ରନ୍ ଯୋଡିଥିଲେ । ସୂର୍ଯ୍ୟକୁମାର ଯାଦବ ମାତ୍ର ୩୧ଟି ବଲ୍ ଖେଳି ଗୋଟିଏ ଚୌକା ଓ ୭ଟି ଛକା ସହ ୬୫ ରନ୍ କରି ଶେଷ ବ୍ୟାଟର୍ ଭାବେ ଆଉଟ୍ ହୋଇଥିଲେ। ଭେଙ୍କଟେଶ୍ ଆୟାର୍ ମାତ୍ର ୧୯ଟି ବଲ୍ ଖେଳି ୪ଟି ଚୌକା ଓ ୨ଟି ଛକା ସହ ୩୫ ରନ୍ କରିଥିଲେ।

ଓ୍ୱେଷ୍ଟଇଣ୍ଡିଜ ତରଫରୁ ଜାସୋନ୍ ହୋଲ୍ଡର୍, ରୋମାରିଓ ସେଫର୍ଡ୍, ରଷ୍ଟନ୍ ଚେସ୍, ହେଡେନ୍ ଓ୍ଵାଲ୍ସ୍ ଓ ଡୋମିନିକ୍ ଡ୍ରେକ୍ସ୍ ଗୋଟିଏ ଲେଖାଏ ଓ୍ଵିକେଟ ଅକ୍ତିଆର କରିଥିଲେ। ଆଜି ଭାରତୀୟ ଦ୍ରୁତ ବୋଲର୍ ଆଭେଶ୍ ଖାନ୍ ଭାରତ ପାଇଁ ତାଙ୍କର ପଦାର୍ପଣ ଟି-୨୦ ମ୍ୟାଚ୍ ଖେଳୁଛନ୍ତି।

ସମ୍ବନ୍ଧିତ ଖବର