ହକି ପାଇଁ ୨୦୨୨ ନୂଆ ସମ୍ଭାବନା ଓ ସୁଯୋଗର ବର୍ଷ

ଦୀର୍ଘ ୪୧ ବର୍ଷ ଅପେକ୍ଷାର ଅନ୍ତ ଘଟାଇ ଭାରତୀୟ ପୁରୁଷ ହକି ଦଳ ଟୋକିଓ ଅଲମ୍ପିକ୍ସରେ କାଂସ୍ୟ ପଦକ ଜିତି କୋଟି କୋଟି ଭାରତୀୟଙ୍କ ମୁହଁରେ ହସ ଫୁଟାଇବା ସହ ଦେଶର ଅଗଣିତ ହକି ପ୍ରଶଂସକଙ୍କ ସ୍ବପ୍ନକୁ ସାକାର କରିଛି। ବର୍ଷ ବର୍ଷ ଧରି ଦଳର ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କ ଅକ୍ଲାନ୍ତ ପରିଶ୍ରମର ଫଳ ମିଳିଛି ୨୦୨୧ରେ। କାରୋନା ମହାମାରୀର କଠିନ ସମୟରେ ସବୁଆଡେ ଦୁଃଖ ଓ ହତାଶାର ମାହୋଲ ଭିତରେ ଭାରତୀୟ ହକି ଦଳର ଏହି ଐତିହାସିକ ସଫଳତା ସମସ୍ତଙ୍କୁ ଖୁସି ମନାଇବାର ସୁଯୋଗ ଦେଇଛି। କରୋନା ମହାମାରୀ ଯୋଗୁଁ ୨୦୨୦ ମସିହାରେ ଆୟୋଜନ ହେବାକୁ ଥିବା ଟୋକିଓ ଅଲମ୍ପିକ୍ସ ୨୦୨୧ରେ ଅନିଶ୍ଚିତତା ଭିତରେ ଅୟୋଜନ ହୋଇଥିଲା। ପୂର୍ବ ଅଲମ୍ପିକ୍ସ ତୁଳନାରେ ଏଥର ଆମ ଖେଳାଳି ଜୈବବଳୟ ଯୋଗୁଁ ଅଧିକ ଚାପରେ ଥିଲେ। ଅଲମ୍ପିକ୍ସ ପୂର୍ବରୁ ଅନେକ ଖେଳାଳି କରୋନା ସଂକ୍ରମିତ ହୋଇଥିଲେ। ତଥାପି ଆମ ଖେଳାଳି ଚମତ୍କାର ପ୍ରଦର୍ଶନ କରି ପଦକ ଜିତିବାରେ ସଫଳ ହୋଇଥିଲେ।

ସେହିପରି ଆମ ମହିଳା ହକି ଦଳ ମଧ୍ୟ ଗତବର୍ଷ ଟୋକିଓ ଅଲମ୍ପିକ୍ସରେ ଦମ୍‌ଦାର ପ୍ରଦର୍ଶନ କରିଛି। ଯଦିଓ ଆମ ମହିଳା ଖେଳାଳିମାନେ ପଦକ ଜିତିପାରିନାହାନ୍ତି; କିନ୍ତୁ ନିଜର କ୍ରୀଡାକୌଶଳ ମଧ୍ୟମରେ କୋଟିକୋଟି ଦେଶବାସୀଙ୍କ ହୃଦୟ ଜିତିବା ସହ ଭବିଷ୍ୟତର ଖେଳାଳିଙ୍କୁ ପ୍ରେରଣା ଦେଇଛନ୍ତି। ୨୦୧୬ ମସିହା ପୂର୍ବରୁ ଭାରତ ମହିଳା ହକିରେ ଅଲମ୍ପିକ୍ସରେ ଭାଗ ନେବା ଏକ ସ୍ବପ୍ନ ଥିଲା। ଦୀର୍ଘ ୩ ଦଶନ୍ଧିର ଅପେକ୍ଷା ପରେ ଆମ ମହିଳା ଦଳ ରିଓ ଅଲମିକ୍ସକୁ ଯୋଗ୍ୟତା ହାସଲ କରିଥିଲା ଓ ଟୋକିଓ ଅଲମ୍ପିକ୍ସରେ ପ୍ରଥମ ଥର ପାଇଁ ସେମିଫାଇନାଲ ପ୍ରବେଶ କରିଥିଲା। ମହିଳା ହକି ଦଳର ପ୍ରଦର୍ଶନ ଦେଶବାସୀଙ୍କୁ ଗୌରବାନ୍ବିିତ କରିଛି।

ଅଲମ୍ପିକ ସଫଳତା ପାଇଁ ଖେଳାଳି, ପ୍ରଶିକ୍ଷକ, ସପୋର୍ଟ ଷ୍ଟାଫଙ୍କ ବ୍ୟତୀତ ଭାରତୀୟ ହକିର ପୃଷ୍ଠପୋଷାକ ତଥା ପ୍ରାୟୋଜକ ଓଡ଼ିଶା ସରକାରଙ୍କୁ ଶ୍ରେୟ ଦିଆଯାଇଥିଲା। ସବୁଆଡେ ଛୁଟିଥିଲା ଶୁଭେଚ୍ଛାର ସୁଅ। ଗଣମାଧ୍ୟମ ଓ ସାମାଜିକ ମିଡିଆରେ ହକି ପ୍ରତି ଓଡ଼ିଶାର ଆକୁଣ୍ଠ ସମର୍ଥନ ଚର୍ଚ୍ଚାର ବିଷୟ ଥିଲା, ଯାହା ଓଡ଼ିଶାବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ଅଲମ୍ପିକ୍ସ ସଫଳତାକୁ ବାଦ ଦେଇ ମଧ୍ୟ ୨୦୨୧ ମସିହା ଭାରତୀୟ ହକି ପାଇଁ ଆହୁରି ସ୍ମରଣୀୟ ହୋଇପାରିଥା’ନ୍ତା ଯଦି ଉଭୟ ଦଳ ଏସୀୟ ଚମ୍ପିଅନ୍ସ ଟ୍ରଫି ଜିତିଥାଆନ୍ତେ। ଢାକାରେ ଆୟୋଜିତ ଏସୀୟ ଚମ୍ପିଅନ୍ସ ଟ୍ରଫିରେ ଭାରତୀୟ ପୁରୁଷ ଦଳ ତୃତୀୟ ସ୍ଥାନରେ ରହିଥିବା ବେଳେ ମହିଳା ଦଳ ଡୋଂଘାଇରେ ଆୟୋଜିତ ଏସୀୟ ଚମ୍ପିଅନ୍ସ ଟ୍ରଫିରେ ଗୋଟିଏ ମ୍ୟାଚ୍‌ ଖେଳିବା ପରେ କୋଭିଡ ସଂକ୍ରମଣ ଜନିତ ସମସ୍ୟା ଯୋଗୁଁ ପ୍ରତିଯୋଗିତାରୁ ବିଦାୟ ନେଇଥିଲା।

ଆନ୍ତର୍ଜାତିୟ ସ୍ତରରେ ଉନ୍ନତ ପ୍ରଦର୍ଶନ ଭାରତ ପାଇଁ ଯେତିକି ଗୁରୁତ୍ବପୂର୍ଣ୍ଣ ଥିଲା; କୋଭିଡ କଟକଣା ମଧ୍ୟରେ ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜନ କରିବା ସେତିକି ଗୁରୁତ୍ବପୂର୍ଣ୍ଣ ଥିଲା। ସଫଳତାର ସହ କଳିଙ୍ଗ ଷ୍ଟାଡିୟମରେ କନିଷ୍ଠ ହକି ବିଶ୍ବକପ ଆୟୋଜନ କରି ଓଡ଼ିଶା ତଥା ଭାରତ କ୍ରିଡ଼ା ଜଗତରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ପୂର୍ବ ସଂସ୍କରଣ ତୁଳନାରେ ଆୟୋଜକ ଭାରତୀୟ ଦଳର ପ୍ରଦର୍ଶନ ଭଲ ରହିନଥିଲେ ମଧ୍ୟ ଦଳର ପ୍ରଦର୍ଶନ ପ୍ରଭାବଶାଳୀ ରହିଥିଲା। ଫ୍ରାନ୍ସ ବିପକ୍ଷ ଦୁଇଟି ମ୍ୟାଚ୍‌କୁ ଛାଡିଦେଲେ ଦଳର ପ୍ରଦର୍ଶନ ସନ୍ତୋଷଜନକ ରହିଥିଲା। କୋଭିଡର ଭୟାବହତା ଯୋଗୁଁ ଦକ୍ଷିଣ ଆଫ୍ରିକାରେ କନିଷ୍ଠ ମହିଳା ହକି ବିଶ୍ବକପ ଆୟୋଜନ ହୋଇପାରିନାହିଁ। ଏଣୁ ଭାରତୀୟ କନିଷ୍ଠ ମହିଳା ହକି ଦଳର ଖେଳ ଦେଖିବାର ସୁଯୋଗ ମିଳିଲା ନାହିଁ। କରୋନା ମହାମାରୀ ଯୋଗୁଁ ବିଗତ ଦୁଇ ବର୍ଷ ମଧ୍ୟରେ ହକି ପ୍ରଶଂସକଙ୍କୁ ଅନ୍ତର୍ଜାତୀୟ ହକି ଦେଖିବାର ଭଲ ସୁଯୋଗ ମିଳିନଥିବା ବେଳେ ଖେଳାଳିଙ୍କୁ ମଧ୍ୟ ଖେଳିବାର ବିଶେଷ ସୁଯୋଗ ମିଳିନାହିଁ। ତେବେ ୨୦୨୨ ଭାରତ ତଥା ବିଶ୍ବ ହକି ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ବର୍ଷ ହେବାକୁ ଯାଉଛି। ଏ ବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସାଙ୍ଗକୁ ଏସୀୟ କ୍ରୀଡ଼ା‌ ଭଳି ଗୁରୁତ୍ବପୂର୍ଣ୍ଣ କ୍ରୀଡ଼ା ମହାକୁମ୍ଭ ଆୟୋଜନ ହେବାକୁ ଅଛି। ଭାରତୀୟ ମହିଳା ଓ ପୁରୁଷ ଦଳକୁ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତି ପ୍ୟାରିସ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିବାର ସୁବର୍ଣ୍ଣ ସୁଯୋଗ ମିଳିବ।

ମହିଳା ହକି ପାଇଁ ୨୦୨୨ ବର୍ଷ ଅତି ଗୁରୁତ୍ବପୂର୍ଣ୍ଣ। ଚଳିତ ଜାନୁଆରିରେ ଓମାନରେ ମହିଳା ଏସିଆ କପ୍‌ ଏବଂ ଜୁଲାଇ ମାସରେ ନେଦରଲାଣ୍ଡ ଓ ସ୍ପେନ୍‌ରେ ମହିଳା ହକି ବିଶ୍ବକପ ଭଳି ଗୁରୁତ୍ବପୂର୍ଣ୍ଣ ପ୍ରତିଯୋଗିତା ଆୟୋଜନ ହେବାକୁ ଅଛି। ଏହାଛଡ଼ା ଭାରତୀୟ ମହିଳା ହକି ଦଳ ପ୍ରଥମ ଥର ପାଇଁ ହକି ପ୍ରୋ-ଲିଗରେ ଭାଗ ନେବ। ପ୍ରୋ-ଲିଗ୍‌ରେ ଜାନୁଆରିରୁ ଜୁନ ମାସ ମଧ୍ୟରେ ଦଳ ଚୀନ୍‌, ନେଦରଲଣ୍ଡ, ସ୍ପେନ୍‌, ଜର୍ମାନି, ଇଂଲଣ୍ଡ, ବେଲଜିୟମ, ଅର୍ଜେଣ୍ଟିନା ଓ ଆମେରିକା ଭଳି ଶକ୍ତିଶାଳୀ ଦଳ ବିରୋଧରେ ଦୁଇଟି ଲେଖାଏଁ ମ୍ୟାଚ୍‌ ଖେଳିବ। ଅନ୍ତର୍ଜାତୀୟ ହକିରେ ନିଜର ଦବ୍‌ଦବା ଜାହିର କରିବା ପାଇଁ ମହିଳା ହକି ଦଳ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି। ମୋର ବିଶ୍ବାସ ଆମ ଖେଳାଳି ୨୦୨୨ରେ ୨୦୨୧ର ଉନ୍ନତ ପ୍ରଦର୍ଶନ ଧାରାକୁ ବଜାୟ ରଖିବେ। ଭୁବନେଶ୍ବର ଓ ରାଉରକେଲାରେ ୨୦୨୩ ଜାନୁଆରି ମାସରେ ପୁରୁଷ ହକି ବିଶ୍ବକପ ଆୟୋଜନ ହେବ। ବିଶ୍ବକପ ପ୍ରସ୍ତୁତି ପାଇଁ କେବଳ ଏକ ବର୍ଷର ସମୟ ରହିଛି। ଦଳ ୨୦୨୨ ମସିହାରେ ହକି ପ୍ରୋ-ଲିଗରେ ଭାଗ ନେବ। ଫେବ୍ରୁଆରିରୁ ଜୁନ ମାସ ମଧ୍ୟରେ ଦଳ କାନାଡା, ଦକ୍ଷିଣ ଆଫ୍ରିକା, ସ୍ପେନ୍‌, ଜର୍ମାନି, ଆର୍ଜେଣ୍ଟିନା, ଇଂଲଣ୍ଡ, ବେଲ୍‌ଜିୟମ, ନେଦରଲାଣ୍ଡ ବିରୋଧରେ ଦୁଇଟି ଲେଖାଏଁ ମ୍ୟାଚ୍‌ ଖେଳିବ। ଆଗାମୀ ବିଶ୍ବକପ୍‌ ପ୍ରସ୍ତୁତି ପାଇଁ ପ୍ରୋ-ଲିଗ ମ୍ୟାଚ୍‌ଗୁଡିକ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ମୋର ବିଶ୍ବାସ ଦଳ ୨୦୨୧ର ସଫଳତାକୁ ୨୦୨୨ରେ ଦୋହରାଇବାକୁ ସଫଳ ହେବ।

ହକି ଖେଳାଳିଙ୍କୁ ଅନ୍ତର୍ଜାତିୟ ସ୍ତରରେ ଭଲ ପ୍ରଦର୍ଶନ କରିବାର ସୁଯୋଗ ସାଙ୍ଗକୁ ହକି ଇଣ୍ଡିଆ ଓ ଓଡ଼ିଶା ସରକାରଙ୍କୁ ଅନ୍ତର୍ଜାତିୟ ମ୍ୟାଚ୍‌ଗୁଡିକର ସଫଳ ଆୟୋଜନର ସୁଯୋଗ ମଧ୍ୟ ରହିଛି। ଫେବ୍ରୁଆରିରୁ ଅପ୍ରେଲ ମାସ ମଧ୍ୟରେ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଉଭୟ ପୁରୁଷ ଓ ମହିଳା ଦଳର ପ୍ରୋ-ଲିଗ ମ୍ୟାଚ୍‌ଗୁଡିକ ଆୟୋଜନ ହେବ। ଏହାଛଡା ରାଜ୍ୟ ସରକାରଙ୍କ ତତ୍ତ୍ବାବଧାନରେ ରାଉରକେଲାରେ ନିର୍ମାଣାଧୀନ ଦେଶର ସର୍ବବୃହତ ହକି ଷ୍ଟାଡିୟମ ବୀର୍ସା ମୁଣ୍ଡା ହକି ଷ୍ଟାଡିୟମ ୨୦୨୨ ମସିହାରେ ପ୍ରସ୍ତୁତ ହୋଇଯିବ ଯାହା ୨୦୨୩ ହକି ବିଶ୍ବକପ୍‌ର ଅନେକ ମ୍ୟାଚ୍‌ ଆୟୋଜନ କରିବ। ୨୦୨୨ ମସିହା ଭାରତୀୟ ହକି ପାଇଁ ଏକ ସଫଳତମ ବର୍ଷ ହେବ ବୋଲି ମୁଁ ଆଶା କରୁଛି।

-ପଦ୍ମଶ୍ରୀ ଦିଲୀପ ତିର୍କି

ସମ୍ବନ୍ଧିତ ଖବର