ଭାରତରେ ୨୦୨୨ ମହିଳା ଏସିଆ କପ୍‌: ଦଳ ସଂଖ୍ୟା ୧୨କୁ ବଢ଼ିଲା; ୧୮ ଦିନରେ ମୋଟ ୨୫ ମ୍ୟାଚ୍‌

ନୂଆଦିଲ୍ଲୀ: ଆଗାମୀ ୨୦୨୨ ମହିଳା ଏସିଆ କପ୍‌ ଫୁଟ୍‌ବଲ୍‌ ଭାରତରେ ଆୟୋଜିତ ହେବ। ଏସିଆର ସବୁଠୁ ସମ୍ମାନଜନକ ଏହି ପ୍ରତିଯୋଗିତା ଜାନୁଆରି ୨୦ରୁ ଫେବ୍ରୁଆରି ୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ଗୁରୁବାର ଏସୀୟ ଫୁଟ୍‌ବଲ୍‌ ମହାସଂଘ (ଏଏଫ୍‌ସି) ଏବଂ ସ୍ଥାନୀୟ ଆୟୋଜନ କମିଟି (ଏଲ୍‌ଓସି) ସ୍ପଷ୍ଟ କରିଛନ୍ତି। ତେବେ ଆଗାମୀ ସଂସ୍କରଣ ପାଇଁ ଦଳ ସଂଖ୍ୟା ବୃଦ୍ଧି କରାଯାଇଛି। ପୂର୍ବ ସଂସ୍କରଣରେ ୮ ଦଳ ଅଂଶଗ୍ରହଣ କରିଥିଲା ବେଳେ ଭାରତରେ ଆୟୋଜିତ ସଂସ୍କରଣରେ ଏହି ସଂଖ୍ୟା ୧୨କୁ ବଢ଼ାଯାଇଛି। ୪ ଲେଖାଏଁ ଦଳକୁ ୩ଟି ଗ୍ରୁପ୍‌ରେ ଭାଗ କରାଯିବ। ଏହି ୧୮ ଦିନିଆ ପ୍ରତିଯୋଗିତା‌ରେ ମୋଟ ୨୫ ମ୍ୟାଚ୍‌ ସ୍ଥାନ ପାଇବ। ସେଥିରୁ ୮ ଦଳ ନୂଆ କରି ପ୍ରଚଳିତ କ୍ବାର୍ଟର ଫାଇନାଲ୍‌କୁ ଯୋଗ୍ୟତା ହାସଲ କରିବେ ବୋଲି ଏଏଫ୍‌ସି ସାଧାରଣ ସଂପାଦକ ଦାତୋ ୱିଣ୍ଡ୍‌ସର ଜନ୍‌ କହିଛନ୍ତି। ତେବେ ୨୦୨୨ ମହିଳା ଏସିଆ କପ୍‌ ପାଇଁ ଯୋଗ୍ୟତାପର୍ଯ୍ୟାୟ ଚଳିତ ବର୍ଷ ସେପ୍ଟେମ୍ବର ୧୩ରୁ ୨୫ ତାରିଖ ମଧ୍ୟରେ ଗୋଟିଏ ଭେନ୍ୟୁରେ ଖେଳାଯିବ। ଏଥିରୁ ୮ ଦଳ ଯୋଗ୍ୟତା ଅର୍ଜନ କରିବେ। ଏହି ୮ ଦଳ ଏସିଆ କପ୍‌କୁ ଯୋଗ୍ୟତା ହାସଲ କରିସାରିଥିବା ଭାରତ (ଆୟୋଜକ ଭାବେ), ଜାପାନ, ଅଷ୍ଟ୍ରେଲିଆ ଓ ଚୀନ୍‌ (ଗତ ସଂସ୍କରଣର ସର୍ବୋଚ୍ଚ ତିନି ମାନ୍ୟତା ଭିତ୍ତିରେ) ସହ ଯୋ‌ଗଦେବେ।

ଏସିଆ କପ୍‌ ପ୍ରତିଯୋଗିତା ମଧ୍ୟ ୨୦୨୩ ଫିଫା ମହିଳା ବିଶ୍ବକପ୍‌ ପାଇଁ ଯୋଗ୍ୟତାପର୍ଯ୍ୟାୟ ପ୍ରତିଯୋଗିତା ରହିବ। କାରଣ ମହିଳା ଏସିଆ କପ୍‌ ଜରିଆରେ ୫ ଏସୀୟ ଦଳ ଅଷ୍ଟ୍ରେଲିଆରେ ଆୟୋଜିତ ୩୨ ଦଳୀୟ ବିଶ୍ବକପ୍‌କୁ ଟିକେଟ ହାସଲ କରିବେ। ଏଠାରେ ସୂଚନାଯୋଗ୍ୟ କରୋନା ମହାମାରୀ ଯୋଗୁଁ ୨୦୨୦ ମହିଳା ଏସିଆ କପ୍‌ ବାତିଲ ହୋଇଯିବା ପରେ ଫିଫା ୨୦୨୨ ୧୭ ବର୍ଷରୁ କମ୍‌ ମହିଳା ବିଶ୍ବକପ୍‌ ଆୟୋଜନ ଅଧିକାର ଭାରତକୁ ହସ୍ତାନ୍ତର କରାଯାଇଛି। ଫଳରେ ୨୦୨୨ରେ ଦୁଇଟି ବୃହତ୍‌ ପ୍ରତିଯୋଗିତା ଭାରତରେ ଆୟୋଜିତ ହେବାକୁ ଯାଉଥିବାରୁ ମହିଳା ଫୁଟ୍‌ବଲ୍‌ ପାଇଁ ଏହା ସ୍ମରଣୀୟ ବର୍ଷ ରହିବ।

ସମ୍ବନ୍ଧିତ ଖବର