ଭାରତକୁ ଆଉ ୩ ପଦକ

ମେରିୟାପନଙ୍କୁ ରୌପ୍ୟ: ଅଦାନା, କୁମାର ଜିତିଲେ କାଂସ୍ୟ

ଟୋକିଓ: ଟୋକିଓ ପାରାଲିମ୍ପିକ୍ସରେ ଭାରତୀୟ ପ୍ରତିଯୋଗୀଙ୍କ ସଫଳ ପ୍ରଦର୍ଶନ ଜାରି ରହିଛି। ମଙ୍ଗଳବାର ଉଚ୍ଚ ଡିଆଁରୁ ଦୁଇଟି ପଦକ ସହ ମୋଟ ତିନିଟି ପଦକ ଜିତି ନେଇଛି ଟିମ୍ ଇଣ୍ଡିଆ। ଫଳରେ ଦିବ୍ୟାଂଗ କ୍ରୀଡ଼ାର ଏହି ସର୍ବବୃହତ୍ ମହାକୁମ୍ଭରେ ଭାରତର ପଦକ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି। ସେଥିମଧ୍ୟରେ ରହିଛି ୨ ସ୍ବର୍ଣ୍ଣ, ୫ ରୌପ୍ୟ ଓ ୩ କାଂସ୍ୟ। ଭାରତ ରବିବାର ଦୁଇଟି ପଦକ ଜିତି ଖାତା ଖୋଲିଥିଲା। ସୋମବାର କିନ୍ତୁ ନିଜ ଇତିହାସର ସର୍ବଶ୍ରେଷ୍ଠ ପ୍ରଦର୍ଶନ ସହ ପାଞ୍ଚଟି ପଦକ ଜିତି ନେଇଥିଲା। ମଙ୍ଗଳବାର ଆଉ ଗୋଟିଏ ରୌପ୍ୟ ଓ ଦୁଇଟି କଂସ୍ୟ ପାଇବା ପରେ ଭାରତୀୟ ଦଳ ନିଜ ୫୩ ବର୍ଷର ପାରାଲିମ୍ପିକ୍ସ ଇତିହାସରେ ଜିତିଥିବା ସର୍ବମୋଟ ୧୨ ପଦକକୁ ଚଳିତ ସଂସ୍କରଣରେ ହିଁ ଟପି ଯିବାର ସମ୍ଭାବନା ଢେର ଗୁଣା ବଢ଼ିଯାଇଛି। ଭାରତ ପାଇଁ ଆଜି ସିଂଘରାଜ ଅଦାନା, ଥଙ୍ଗଭେଲୁ ମେରିୟାପନ୍ ଓ ଶରଦ କୁମାର ପଦକ ଜିତିଥିଲେ।

୩୯ ବର୍ଷୀୟ ପୋଲିଓ ଆକ୍ରାନ୍ତ ସିଂଘରାଜ ଅଦାନା ବନ୍ଧୁକ ଚାଳନାରୁ ଭାରତକୁ ସପ୍ତମ ଦିନର ପ୍ରଥମ ପଦକ ଉପହାର ଦେଇଥିଲେ। ଏସ୍‌ଏଚ୍-୧ ଇଭେଣ୍ଟର ୧୦ ମିଟର ଏୟାର ପିସ୍ତଲରେ ତୃତୀୟ ସ୍ଥାନ ଅଧିକାର କରିଥିଲେ ସେ। ୨୧୬.୮ ପଏଣ୍ଟ ଅର୍ଜନ କରି ପୋଡିୟମ୍ ଫିନିସ୍ ପାଇଥିଲେ। ଯୋଗ୍ୟତା ପର୍ଯ୍ୟାୟ‌ରେ ଷଷ୍ଠ ସ୍ଥାନ‌ରେ ରହି ଫାଇନାଲକୁ ଯିବା ପରେ ସେଠାରେ ଚମତ୍କାର ପ୍ରଦର୍ଶନ କରି ପଦକ ବିଜେତାଙ୍କ ମଧ୍ୟରେ ରହିଥିଲେ ଅଦାନା। ୫୭୫ ପଏଣ୍ଟ୍‌ ସହ ଯୋଗ୍ୟତାପର୍ଯ୍ୟାୟର ଶୀର୍ଷ ସ୍ଥାନରେ ରହି ଫାଇନାଲକୁ ଯାଇଥିବା ଅନ୍ୟତମ ଭାରତୀୟ ମନୀଷ ଅଗ୍ରୱାଲ କିନ୍ତୁ ଅବିଶ୍ବସନୀୟ ଭାବେ ସପ୍ତମ ସ୍ଥାନରେ ଅଭିଯାନ ଶେଷ କରିଥିଲେ।

ଚଳିତ ପାରାଲିମ୍ପିକ୍ସରେ ବନ୍ଧୁକ ଚାଳନାରୁ ଭାରତର ଏହା ଦ୍ବିତୀୟ ପଦକ ଥିଲା। ସୋମବାର ମହିଳା ୧୦ ମିଟର ଏୟାର ରାଇଫଲ୍‌ରେ ଅବନୀ ଲେଖରା ଭାରତ ପାଇଁ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଏହା ପରେ ଟି-୬୩ ଉଚ୍ଚ ଡିଆଁରେ ଥଙ୍ଗଭେଲୁ ମେରିୟାପନ୍ ଏବଂ ଶରଦ କୁମାର ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହି ରୌପ୍ୟ ଓ କାଂସ୍ୟ ପଦକ ଜିତିଥିଲେ। ୨୦୧୬ ରିଓ ଅଲିମ୍ପିକ୍ସରେ ମେରିୟାପନ୍ ଏହି ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଏଥର କିନ୍ତୁ ଅଳ୍ପକେ ଆମେରିକାର ସାମ୍ ଗ୍ରିୱିଙ୍କ ପଛରେ ରହି ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଥିଲେ। ଉଭୟ ମେରିୟାପନ୍ ଓ କୁମାର ପ୍ରଥମ କିଛି ପ୍ରୟାସରେ ଆଗୁଆ ରହିଥିଲେ। ହେଲେ ୧.୮୮ ମିଟର ଉଚ୍ଚତାକୁ ଅତିକ୍ରମ କରି ନପାରି ଉଭୟ ସ୍ବର୍ଣ୍ଣ ‌ଦୌଡ଼ରୁ ବାଦ ପଡ଼ିଥିଲେ। ମେରିୟାପନ୍ ୧.୮୬ ମିଟର ଏବଂ କୁମାର ୧.୮୩ ମିଟର ଉଚ୍ଚତା ଅତିକ୍ରମ କରିଥିଲା ବେଳେ ୧.୯୦ ମିଟର ସହ ଗ୍ରିୱି ସ୍ବର୍ଣ୍ଣ ପଦକ ଜିତି ନେଇଥିଲେ।

ଆଜି ଓହ୍ଲାଇବେ ପ୍ରମୋଦ

ଭୁବନେଶ୍ବର: ଟୋକିଓ ପାରାଲିମ୍ପିକ୍ସରେ ଓଡ଼ିଶାର ପ୍ରମୋଦ ଭଗତ ବୁଧବାର କୋର୍ଟକୁ ଓହ୍ଲାଇବେ। ଉଭୟ ମିଶ୍ରିତ ଯୁଗଳ ଏବଂ ଏକକ ବର୍ଗ ବ୍ୟାଡମିଣ୍ଟନ‌୍‌ରେ ଆସନ୍ତାକାଲି ନିଜ ଅଭିଯାନ ଆରମ୍ଭ କରିବେ ସେ। ପ୍ରମୋଦ ଓ ପଲକ କୋହଲିଙ୍କ ଯୋଡ଼ି ଟୋକିଓ ସମୟ ସଂଧ୍ୟା ୬ଟାରେ ଫ୍ରାନ୍ସର ଲୁକାସ ମାଜୁର ଓ ‌ନୋଏଲ ଫଷ୍ଟିନଙ୍କୁ ଭେଟି‌ବେ। ସେହିଭଳି ରାତି ୯ଟା ୨୦ରେ ନିଜ ପୁରୁଷ ଯୁଗଳ ସାଥୀ ତଥା ଅନ୍ୟତମ ଭାରତୀୟ ପଦକ ଦାବିଦାର ମନୋଜ ସରକାରଙ୍କ ମୁକାବିଲା କରିବେ। ପ୍ରମୋଦ ସଂପ୍ରତି ବିଶ୍ବ ଏକକ ପାରା ବ୍ୟାଡମିଣ୍ଟନ୍ ମାନ୍ୟତାର ପ୍ରଥମ ସ୍ଥାନରେ ରହିଛନ୍ତି। ସେହିଭଳି ମିଶ୍ରିତ ଯୁଗଳରେ ପଲକ ଓ ତାଙ୍କ ପ୍ରଦର୍ଶନ ବେଶ୍ ଉଚ୍ଚକୋଟୀର ରହିଛି। ସେହିଦୃଷ୍ଟିରୁ ପ୍ରମୋଦ ଏଥର ବ୍ୟକ୍ତିଗତ ଭାବେ ଦୁଇଟି ପଦକ ଜିତିବେ ବୋଲି ଆଶା କରାଯାଉଛି। ଭାରତୀୟ ପୁରୁଷ ହକି ଦଳର ଦୁଇ ଓଡ଼ିଆ ସଦସ୍ୟ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ରାଜ୍ୟକୁ ପ୍ରଥମ ଅଲିମ୍ପିକ୍ସ ପଦକ ଆଣିଥିଲା ବେଳେ ପ୍ରମୋଦ ପ୍ରଥମ ପାରାଲିମ୍ପିକ୍ସ ପଦକ ଆଣିବେ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର