ବିସିସିଆଇ ଫାଷ୍ଟ୍ ଟ୍ରାକ୍‌ କୋଚିଂରେ ୪ ଓଡ଼ିଆ

ଭୁବନେଶ୍ବର: ବିସିସିଆଇ ପକ୍ଷରୁ ପ୍ରଥମ ଥର ପାଇଁ ଆୟୋଜିତ ଦୁଇଟି ଫାଷ୍ଟ୍ ଟ୍ରାକ୍‌ ଲେବୁଲ୍‌-୨ ପ୍ରଶିକ୍ଷଣ ପାଠ୍ୟକ୍ରମରେ ୪ ଜଣ ଓଡ଼ିଆ ଖେଳାଳିଙ୍କୁ ସୁଯୋଗ ପ୍ରଦାନ କରାଯାଇଛି। ଭାରତୀୟ ଦଳ ତଥା ପ୍ରଥମ ଶ୍ରେଣୀ କ୍ରିକେଟରେ ୭୫ରୁ ଊର୍ଧ୍ବ ମ୍ୟାଚ୍‌ ଖେଳିଥିବା ମୋଟ ୨୦ ଜଣଙ୍କୁ ଏଥିଲାଗି ଡକରା ମିଳିଥିଲା। ସେମା‌ନଙ୍କ ମଧ୍ୟରେ ଓଡ଼ିଶାରୁ ବର୍ତମାନର ବିସିସିଆଇ ଚୟନକର୍ତା ଦେବାଶିଷ ମହାନ୍ତିଙ୍କ ସହ ପୁର୍ବତନ ଟେଷ୍ଟ୍‌ କ୍ରିକେଟର୍‌ ଶିବସୁନ୍ଦର ଦାସ, ଓଡ଼ିଶା ରଣଜୀ ଦଳର ପ୍ରଶିକ୍ଷକ ରଶ୍ମିରଂଜନ ପରିଡ଼ା ଏବଂ ଦ୍ରୁତ ବୋଲର ବସନ୍ତ ମହାନ୍ତି ରହିଥିଲେ।

କୋଭିଡ୍‌-୧୯ ପାଇଁ ପ୍ରଥମ ପର୍ଯ୍ୟାୟ ଅନ୍‌ଲାଇନ୍‌ ଜରିଆରେ କରାଯାଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ୍‌ ଏକାଡେମି (ଏନସିଏ)ରେ ମାର୍ଚ ୧୬ରୁ ୧୯ ତାରିଖ ମଧ୍ୟରେ ସମ୍ପନ୍ନ ହୋଇଛି। ଭାରତ ପକ୍ଷରୁ ଖେଳିଥିବା ଲକ୍ଷ୍ମୀପତି ବାଲାଜୀ, ରବିନ୍ ଉଥପ୍ପା, ହୃଷିକେଶ କାନିତକର, ଅଭିନବ ମୁକୁନ୍ଦ, ରମେଶ ପାୱାର, ଶରଣଦୀପ ସିଂହ, ୱାସିମ୍ ଜାଫର ଏବଂ ବିନୟ କୁମାର ପ୍ରମୁଖ ଏହି ପାଠ୍ୟକ୍ରମରେ ସାମିଲ ହୋଇଥିଲେ। ‘ପ୍ରଥମ ଶ୍ରେଣୀ ଏବଂ ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳିବାରୁ ମିଳିଥିବା ଅଭିଜ୍ଞତା ସହିତ ବୈଷୟିକ ଜ୍ଞାନର ମିଶ୍ରଣ ପ୍ରଶିକ୍ଷକଙ୍କ ପାଇଁ ଭଲ ସମନ୍ବୟ ଆଣିବ’ ବୋଲି କହିଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି।

ସମ୍ବନ୍ଧିତ ଖବର