ଚା’ ବିକୁଛନ୍ତି ୬ଥର ଜାତୀୟ ବିଜେତା ରାଖାଲ : ଖେଳ ଉପକରଣ ଖଣ୍ଡେ ନାହିଁ

୨୦ ଥର ରକ୍ତ ଦାନ: ପ୍ରୋତ୍ସାହନ ସମୁଦ୍ରକୁ ଶଙ୍ଖେ

ଭୁବନେଶ୍ୱର (ପ୍ରଫୁଲ୍ଲ କିଶୋର ସାହୁ): ଆର୍ଥିକ ଅଭାବ ହେଉ କିମ୍ବା ଶାରୀରିକ ଅକ୍ଷମତା, ସଫଳତା କାହାର ବାଟ ଓଗାଳି ପାରେନା। ଏହି ସବୁକୁ ପ୍ରତିହିତ କରି ସଫଳତାର ପାହାଚ ଚଢ଼ି ଚାଲିଛନ୍ତି ଭଦ୍ରକ ଜିଲ୍ଲା ତେସିଙ୍ଗା ଗାଁର ଦିବ୍ୟାଙ୍ଗ ପୁଅ ରାଖାଲ କୁମାର ସେଠୀ। ପୋଲିଓ ଯୋଗୁଁ ଠିକ୍‌ ଭାବେ ଚାଲି ପାରୁନଥିବା ରାଖାଲଙ୍କ ପାଖରେ ମଧ୍ୟ ସେପରି ଅର୍ଥ ନାହିଁ। ଏହା ଭିତରେ ହ୍ଵିଲ୍‌ଚେୟାର ଫେନ୍‌ସିଂ (ଅସୀଚାଳନା) ପରି ଦାମି ଖେଳକୁ ସେ ଆପଣେଇଛନ୍ତି। ଏହି ଖେଳରେ ମଧ୍ୟ ସେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି। ସଦ୍ୟ ଇମ୍ପାଲ୍‌ରେ ଶେଷ ହୋଇଥିବା ଜାତୀୟ ହୁଇଲ୍‌ ଚେୟାର ଫେନ୍‌ସିଂ ପ୍ରତିଯୋଗିତାରେ ୪ (୩ ସ୍ୱର୍ଣ୍ଣ, ୧ ରୌପ୍ୟ) ପଦକ ଜିତି ଲଗାତାର ଷଷ୍ଠ ଥର ଲାଗି ବିଜେତା ହେବାର ଗୌରବ ଅର୍ଜନ କରିଥିଲେ। ଚଳିତ ବର୍ଷ ଅକ୍ଟୋବରରେ ହେବାକୁଥିବା ଏସୀୟ କ୍ରୀଡ଼ାକୁ ଯୋଗ୍ୟତା ଅର୍ଜନ କରିବାର ନିକଟତର ହୋଇଛନ୍ତି। ଏଥିସହ ୨୦୨୦ ପରାଲିମ୍ପିକ୍ସରେ ଅଂଶଗ୍ରହଣ କରିବା ଲକ୍ଷ୍ୟ ରଖିଛନ୍ତି ଏହି ଦିବ୍ୟାଙ୍ଗ କ୍ରୀଡ଼ାବିତ୍‌।
ଆଗକୁ ଏତେ ବିଶ୍ୱସ୍ତରୀୟ ପ୍ରତିଯୋଗିତା ଖେଳିବାର ଲକ୍ଷ୍ୟ ରଖିଥିବା ରାଖାଲଙ୍କ ନିକଟରେ ଅଧିକ ପ୍ରସ୍ତୁତି ପାଇଁ ଅନ୍ତର୍ଜାତୀୟସ୍ତରୀୟ ଖେଳ ଉପକରଣ ନାହିଁ। ଖାଲି ସେତିକି ବି ନୁହେଁ, ପାଖରେ ମଧ୍ୟ ଫେନ୍‌ସିଂ ପାଇଁ ଆବଶ୍ୟକ ଉପକରଣର ଅଭାବ ରହିଛି। ଫଳରେ ଗତ ଜାତୀୟ ପ୍ରତିଯୋଗିତାରେ ସାଥୀ ଖେଳାଳିଙ୍କଠୁ ମାଗି ଖେଳିଥିଲେ। ଅଭ୍ୟାସ ବେଳେ ମଧ୍ୟ ଅନ୍ୟଠୁ ମାଗି ଅଭ୍ୟାସ କରୁଛନ୍ତି। ଭୁବନେଶ୍ୱର ଲକ୍ଷ୍ମୀସାଗର ଛକରେ ଏକ ଛୋଟିଆ ଚା’ ଦୋକାନଟିଏ କରି ଚଳୁଥିବା ରାଖାଲଙ୍କ ପାଇଁ ଏହି ସବୁ ବିଶ୍ୱସ୍ତରୀୟ ପ୍ରତିଯୋଗିତା ଲାଗି ଦରକାର ପଡ଼ୁଥିବା ସରଞ୍ଜାମ କିଣିବା କାଠିକର ପାଠ ହୋଇଛି। ଖେଳ ବେଳେ ଦୋକାନ ବନ୍ଦ ହୋଇଯିବାରୁ ଘର ଚଳିବା ବି କଷ୍ଟକର ହୋଇପଡ଼େ। ପତ୍ନୀ ଶୈଳବାଳା ଘରେ ପିଲାଙ୍କୁ ଗୀତ ସିଖାଇ କିଛି ରୋଜଗାର କରିନିଅନ୍ତି। ଏହି ରୋଜଗାର ପେଟକୁ ଦାନା ଯୋଗାଇ ଦେଉଛି। କିନ୍ତୁ ଖେଳକୁ ଆଗକୁ ବଢ଼ାଇବାରେ ସହାୟତା କରୁନାହିଁ। ସରକାର କିମ୍ବା ବେସରକାରୀ ସ୍ତରରେ ଯଦି ତାଙ୍କୁ କିଛି ସହଯୋଗ ମିଳିଯାଏ ତେବେ ସେ ଦେଶ ଏବଂ ରାଜ୍ୟ ପାଇଁ ଆହୁରି ଅଧିକରୁ ଅଧିକ ପଦକ ଜିିତିପାରିବେ ବୋଲି କହିଛନ୍ତି ରାଖାଲ।

କ୍ରୀଡ଼ା ସହ ରାଖାଲ ସାମାଜିକ କାର୍ଯ୍ୟରେ ମଧ୍ୟ ନିଜକୁ ସାମିଲ କରିଛନ୍ତି। ‘ପରିବର୍ତନ’ ନାମକ ଏକ ଏନ୍‌ଜିଓର ସେ ସମ୍ପାଦକ ରହିଛନ୍ତି। ବିଭିନ୍ନ ସାମାଜିକ କାର୍ଯ୍ୟ କରିବା ସହ ୨୦ ଥର ରକ୍ତ ଦାନ ମଧ୍ୟ କରି ସାରିଲେଣି।

ଭଲିଖେଳରୁ କ୍ରୀଡ଼ା ଜୀବନ ଆରମ୍ଭ କରିଥିବା ରାଖାଲ ଫେନ୍‌ସିଂ କ୍ରୀଡ଼ାରେ ନିଜକୁ ସୀମିତ ରଖିନାହାନ୍ତି। ଓଡ଼ିଶା ଦିବ୍ୟାଙ୍ଗ କ୍ରିକେଟ୍‌ ଦଳର ଅଧିନାୟକ ମଧ୍ୟ ରହିଛନ୍ତି। ମୁଁ ପିଲା ବେଳୁ ଗାଁରେ ଖେଳାଖେଳି କରେ। କିନ୍ତୁ ଜାଣିନଥାଏ ଯେ ଦିବ୍ୟାଙ୍ଗମାନଙ୍କ ପାଇଁ କ୍ରୀଡ଼ାରେ ଆଗକୁ ବଢ଼ିବାର ସୁଯୋଗ ରହିଛି। ୨୦୦୮ରେ ଏକ ଖବର କାଗଜରେ ଦିବ୍ୟାଙ୍ଗ କ୍ରୀଡ଼ା ଉପରେ ବିଜ୍ଞାପନ ବାହରିଥିଲା। ଏହାକୁ ଦେଖି ମୁଁ ଦିବ୍ୟାଙ୍ଗ କ୍ରୀଡ଼ା ସଂଘର ସମ୍ପାଦକ ବିଷ୍ଣୁ ଚରଣ ସାହୁଙ୍କ ସହ ଦେଖାକଲି। ପ୍ରଥମେ ଭଲିବଲ୍‌ ଖେଳିଲି ଏବଂ ଶ୍ରୀଲଙ୍କା ବିପକ୍ଷରେ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବାର ସୁଯୋଗ ମଧ୍ୟ ପାଇଲି। ଭଲିବଲ୍‌ରେ ଜାତୀୟ ଦଳରେ ସ୍ଥାନ ମିଳିବା ଆଶା କମ୍‌ ଥିବାରୁ ୨୦୧୦ରେ ହ୍ଵିଇଲ୍‌ ଚେୟାର ଫେନ୍‌ସିଂ ଆରମ୍ଭ କଲି। ସଫଳତା ସହ ଏ ପର୍ଯ୍ୟନ୍ତ ଜାତୀୟ ପ୍ରତିଯୋଗିତାରେ ୨୯ (୧୫ ସ୍ୱର୍ଣ୍ଣ, ୭ ରୌପ୍ୟ, ୭ କାଂସ୍ୟ) ପଦକ ଜିତିପାରିଛି ବୋଲି କହିଛନ୍ତି ବିଶ୍ୱ ମାନ୍ୟତାରେ ୩୪ତମ ସ୍ଥାନରେ ଥିବା ରାଖାଲ। ସଂପ୍ରତି ଭାରତର ଦୁଇ ନମ୍ବର ଏବଂ ଏସୀୟ ମାନ୍ୟତାର ଷଷ୍ଠ ସ୍ଥାନରେ ରହିଥିବା ଏହି ଅସୀଚାଳକ ନିଜ ଉଦ୍ୟମରେ ଆଜି ପର୍ଯ୍ୟନ୍ତ ଏସବୁ ହାସଲ କରିବାରେ ସଫଳ ହୋଇଥିଲେ ବି ସରକାରୀ ସ୍ତରରେ ସେମିତି କିଛି ସହାୟତା କିମ୍ବା ପ୍ରୋତ୍ସାହନ ମିଳିନାହିଁ। ଯାହା ପାଇଁ ଆଗକୁ ବଢ଼ିବାରେ ବାଧକ ହେଉଛି। ସରକାରଙ୍କ ପକ୍ଷରୁ ଗୋଟିଏ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଖେଳିଲେ ୫୦,୦୦୦ ଟଙ୍କାର ପୁରସ୍କାର ମିଳୁଥିଲା ବେଳେ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଭାଗ ନେବାକୁ ପାଖାପାଖି ୨ ଲକ୍ଷରୁ ୨.୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ଯାଉଛି ବୋଲି ରାଖାଲ କହିଛନ୍ତି। ରାଜ୍ୟ ସରକାର ପକ୍ଷରୁ କୌଣସି ପ୍ରଶିକ୍ଷକ ମଧ୍ୟ ଯୋଗାଇ ଦିଆଯାଉନି। ଏଥିପାଇଁ ଓଡ଼ିଶା ବାହାରେ ଅଭ୍ୟାସ କରିବାକୁ ପଡୁଛି। ଏଥି ସହ ନିଜସ୍ୱ ଉଦ୍ୟମରେ ବିଦେଶରୁ ପ୍ରଶିକ୍ଷଣ ନେଉଛୁ। ସଂପ୍ରତି ଲଣ୍ଡନ୍‌ର ବଲ୍‌ଦୀପ ସହତା ତତ୍ୱାବଧାନରେ ପ୍ରଶିକ୍ଷଣ ନେଉଛି।

ସମ୍ବନ୍ଧିତ ଖବର