୧୮ଟି ଜିଲ୍ଲାରେ ପ୍ରତିଷ୍ଠା ହେବ ସ୍ପେଶାଲିଟି ଡାକ୍ତରଖାନା

ପିପିପି ମୋଡରେ ୧୧୫୦ କୋଟିର ପୁଞ୍ଜି ନିବେଶ
ଚିକିତ୍ସା ଦର ନିର୍ଧାରଣ କରିବେ ରାଜ୍ୟ ସରକାର

ଭୁବନେଶ୍ୱର : ରାଜ୍ୟର ସ୍ପେଶାଲିଟି ଡାକ୍ତରଖାନା ନ ଥିବା ୧୮ଟି ଜିଲ୍ଲାରେ ଉଚ୍ଚମାନର ସୁଲଭର ଡାକ୍ତରଖାନା ପ୍ରତିଷ୍ଠା ହେବ। ଏସବୁ ଜିଲ୍ଲାର ୧୯ଟି ସ୍ଥାନରେ ପିପିପି ମୋଡରେ ଏହି ଡାକ୍ତରଖାନାକୁ ନିର୍ମାଣ କରାଯିବ। ଏଥିରେ ୧୧୫୦ କୋଟି ଟଙ୍କାର ପୁଞ୍ଜି ନିବେଶ ହେବ। ଏଥିପାଇଁ ରାଜ୍ୟ ସରକାର ରହିତି ମୂଲ୍ୟରେ ଜମି ଯୋଗାଇ ଦେବେ। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଭିତ୍ତିଭୂମି ସଂପର୍କିତ କ୍ଷମତା ସଂପନ୍ନ କମିଟି ବୈଠକରେ ଏହି ପ୍ରକଳ୍ପକୁ ନୀତିଗତ ଅନୁମୋଦନ ଦିଆଯାଇଛି।

ଆଜି ସଚିବାଳୟରେ ଅନୁଷ୍ଠିତ ଏହି ବୈଠକରେ ପିପିପି ସେଲର ପ୍ରମୁଖ ଶାସନ ସଚିବ ପ୍ରଦୀପ କୁମାର ଜେନା ପ୍ରକଳ୍ପ ପ୍ରସ୍ତାବ ଅଗାତ କରିଥିଲେ। ପିପିପି ମୋଡରେ ପ୍ରତିଷ୍ଠା ହେବାକୁ ଥିବା ଏହି ଡାକ୍ତରଖାନା ଗୁଡ଼ିକ ୧୦୦ ଓ ୨୦୦ଶଯ୍ୟା ବିଶିଷ୍ଟ ହେବ। ୩ଟି ପର୍ଯ୍ୟାୟରେ ଶେଷ ହେବାକୁ ଥିବା ଏହି ଡାକ୍ତରଖାନା ଗୁଡ଼ିକରେ ସମୁଦାୟ ୨୬୦୦ ଶଯ୍ୟାର ସୁବିଧା ସୃଷ୍ଟି କରାଯିବ। ରାସ୍ତା, ବିଜୁଳି ଓ ପାଣି ଆଦି ସର୍ବନିମ୍ନ ଭିତ୍ତିଭୂମି ସୁବିଧା ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବ। ତେବେ ଡାକ୍ତରଖାନାରେ ଚିକିତ୍ସା ପାଇଁ ଦର ନିର୍ଧାରଣର କ୍ଷମତା ରାଜ୍ୟ ସରକାରଙ୍କ ନିକଟରେ ରହିବ। ଘରୋଇ ସହଭାଗୀତ ଅଧିକ ସଂଖ୍ୟକ ବିଶେଷଜ୍ଞ ଡାକ୍ତର ଓ କ୍ଲିନିକାଲ ବୃତ୍ତିଧାରୀଙ୍କୁ ଆଣି ଏହି ଡାକ୍ତରଖାନାରେ ନିଯୁକ୍ତି ଦେବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ବିସ୍ତତ ପ୍ରକଳ୍ପ ପ୍ରସ୍ତାବ ପ୍ରସ୍ତୁତ କରି ସରକାରଙ୍କ ଅନୁମୋଦନ ନିମନ୍ତେ ଉପସ୍ଥାପନ କରିବା ପାଇଁ ଶ୍ରୀ ପାଢ଼ୀ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦେଶ ଦେଇଛନ୍ତି।

ବୈଠକରେ ଉନ୍ନୟନ କମିସନର ଆର.ବାଲକ୍ରୀଷ୍ଣନ୍‌, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଅର୍ଥ ବିଭାଗ ପ୍ରମୁଖ ସଚିବ ତୁହିନ୍‌ କାନ୍ତ ପାଣ୍ଡେ, ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ସଚିବ ଚନ୍ଦ୍ର ଶେଖର କୁମାର, ଶକ୍ତି ବିଭାଗ ଶାସନ ସଚିବ ହେମନ୍ତ କୁମାର ଶର୍ମା, ଜାତୀୟ ସ୍ୱାସ୍ଥ୍ୟ ମିସନ ନିର୍ଦେଶକ ଶାଳିନୀ ପଣ୍ଡିତଙ୍କ ସମେତ କମିଟିର ବରିଷ୍ଠ ସଦସ୍ୟମାନେ ଆଲୋଚନାରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର