ଅଭିଷେକଙ୍କ ପ୍ରଥମ ଶତକ: ଓଡ଼ିଶା ଆଗୁଆ

କଟକ: ପ୍ରଥମ ଦିନରେ ବୋଲରଙ୍କ ଘାତକ ବୋଲି˚ ପରେ ରବିବାର ବ୍ୟାଟ୍ସମ୍ୟାନଙ୍କ ଚମତ୍କାର ପ୍ରଦର୍ଶନ ଜମ୍ମୁ କାଶ୍ମୀର ବିପକ୍ଷରେ ଓଡ଼ିଶାକୁ ପାଳି ଅଗ୍ରଣୀ ଦେବାରେ ସହାୟକ ହୋଇଛି। ଶନିବାର ଅଭିଷେକ ରାଉତଙ୍କ ପ୍ରଥମ ଶତକ ସହ ଦେବାଶିଷ ସାମନ୍ତରାୟଙ୍କ ଶ୍ରେଷ୍ଠ ପ୍ରଦର୍ଶନ ଓ ଅନୁରାଗ ଷଡ଼ଙ୍ଗୀଙ୍କ ଅର୍ଧଶତକୀୟ ପାଳି ଯୋଗୁଁ ଜମ୍ମୁଠାରେ ଚାଲିଥିବା ରଣଜୀ ଟ୍ରଫିରେ ଓଡ଼ିଶା ପ୍ରଥମ ପାଳିରେ ୧୯୬ ରନ୍‌ର ମହତ୍ବପୂର୍ଣ୍ଣ ଅଗ୍ରଣୀ ପାଇଛି। ଜମ୍ମୁର ପ୍ରଥମ ପାଳି ୧୨୭ ରନ୍‌ ଜବାବରେ ଓଡ଼ିଶା ଦ୍ବିତୀୟ ଦିନ ୩୨୩ ରନ୍‌ରେ ପ୍ରଥମ ପାଳି ଶେଷ କରିଛି। ଷ୍ଟମ୍ପ୍‌ସ ଅପସାରଣ ବେଳକୁ ଜମ୍ମୁ ଦ୍ବିତୀୟ ପାଳିରେ କୌଣସି ଵିକେଟ ନହରାଇ ୨୭ ରନ୍‌ କରିଛି। ଫଳରେ ଏବେ ବି ଜମ୍ମୁ କଶ୍ମୀର ଓଡ଼ିଶାଠୁ ୧୬୯ ରନ୍‌ ପଛରେ ରହିଛି। ପୂର୍ବଦିନ ସ୍କୋର୍‌ରେ ଆଉ ୧ ରନ୍‌ ଯୋଡ଼ିବା ପରେ ଅନୁରାଗ ଷଡ଼ଙ୍ଗୀ ଦ୍ବିତୀୟ ଦିନର ଦ୍ବିତୀୟ ଓଭରରେ ହିଁ ଆଉଟ ହୋଇଯାଇଥିଲେ। ତାଙ୍କ ପଛକୁ ଶୁଭ୍ରା˚ଶୁ ସେନାପତି, ଗୋବିନ୍ଦ ପୋଦ୍ଦାର ଓ ବିପ୍ଲବ ସାମନ୍ତରାୟ ଓଡ଼ିଶାକୁ ନିରାଶ କରି ପାଭିଲିୟନ୍‌ ଫେରି ଯାଇଥିଲେ। ୧୧୫ ରନ୍‌ରେ ଓଡ଼ିଶାର ୫ ଵିକେଟର ପତନ ହେବା ପରେ ଦେବାଶିଷଙ୍କ ସହ ଅଭିଷେକ ରାଉତ ପାଳି ବଞ୍ଚାଇବା ପାଇଁ ରକ୍ଷଣାତ୍ମକ ଖେଳିବା ଆରମ୍ଭ କରିଥିଲେ। ଉଭୟ ଷଷ୍ଠ ଵିକେଟରେ ୧୦୩ ରନ୍‌ର ଭାଗୀଦାରି କରିଥିଲେ। ମଧ୍ୟାହ୍ନବିରତି ପୂର୍ବରୁ ଦେବାଶିଷ ପ୍ରତିଯୋଗିତାର ଦ୍ବିତୀୟ ଅର୍ଧଶତକ ଅର୍ଜନ କରିଥିଲା ବେଳେ ଓଡ଼ିଶା ପାଳି ଅଗ୍ରଣୀ ପାଇସାରିଥିଲା। ଓଡ଼ିଶାକୁ ୨୦୦ ରନ୍‌ ପାର‌୍‌ କରାଇବା ପରେ ଅଭିଷେକ ମଧ୍ୟ ତାଙ୍କର ଅର୍ଧଶତକ ହାସଲ କରିଥିଲେ। ତେବେ ଶତକ ଆଡ଼କୁ ଅଗ୍ରସର ହେଉଥିବା ଦେବାଶିଷଙ୍କୁ ପରଭେଜ ରସୁଲ ବୋଲ୍ଡ କରିଦେବାରୁ ଓଡ଼ିଶା ବିଳମ୍ବିତ ଝଟ୍‌କା ପାଇଥିଲା। ଆଉଟ୍‌ ହେବା ବେଳକୁ ଦେବାଶିଷ ୧୯୦ ବଲ୍‌ରୁ ୭ ଚୌକା ଓ ୨ ଛକା ସହାୟତାରେ ୮୫ ରନ୍‌ କରିଥିଲେ। ତାଙ୍କ ସ୍ଥାନରେ ଆସିଥିବା ରୋଶନ କୁମାର ରାଓ ମଧ୍ୟ ନିରାଶ କରିଥିଲେ। ତେବେ ନିମ୍ନକ୍ରମରେ ସୂର୍ଯ୍ୟକାନ୍ତ ପ୍ରଧାନ (୧୭), ବସନ୍ତ ମହାନ୍ତି (୧୩)ଙ୍କ ଛୋଟଛୋଟ ଭାଗୀଦାରିକୁ ପାଥେୟ କରି ଅଭିଷେକ ପ୍ରଥମ ଶତକ କରିବା ସହ ଓଡ଼ିଶାକୁ ୩୦୦ ପାର‌୍‌ କରାଇଥିଲେ। ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିବା ଅଭିଷେକ ୨୧୨ ବଲ୍‌ରୁ ୧୧ ଚୌକା ଓ ୩ ଛକା ସହାୟତାରେ ୧୧୬ ରନ୍‌ କରିଥିଲେ। ଏହି ପାଳିରେ ଇର୍ଫାନ୍‌ ପଠାନ୍‌ ୪, ମହମ୍ମଦ ମୁଧାସିର‌୍‌ ୨, ଉମର ନାଜିର‌୍‌ ୩ ଓ ପରଭେଜ ରସୁଲ ୧ ଵିକେଟ ଅକ୍ତିଆର କରିଥିଲେ।

ଅଭିଷେକ, ଦେବାଶିଷଙ୍କ ଶ୍ରେଷ୍ଠ ପ୍ରଦର୍ଶନ
ଜମ୍ମୁ କାଶ୍ମୀର ବିପକ୍ଷରେ ଅଭିଷେକ ରାଉତ ଓ ଦେବାଶିଷ ସାମନ୍ତରାୟ ତାଙ୍କର ପ୍ରଥମ ଶ୍ରେଣୀ ଶ୍ରେଷ୍ଠ ପ୍ରଦର୍ଶନ ଦେଇଛନ୍ତି। ଅଭିଷେକ ଏହି ମ୍ୟାଚ୍‌ରେ ୧୧୬* ରନ୍‌ କରିଥିଲେ। ଏଥିପୂର୍ବରୁ ଚଳିତ ଋତୁରେ ତ୍ରିପୁରା ବିପକ୍ଷରେ ଡ୍ରିମ୍ସ ପଡ଼ିଆରେ ଖେଳିଥିବା ମ୍ୟାଚ୍‌ ବିଜୟୀ ୮୩* ରନ୍‌ର ପାଳି ତାଙ୍କର ସର୍ବାଧିକ ଥିଲା। ଏଥିସହିତ ଅଭିଷେକ ପ୍ରଥମ ଶ୍ରେଣୀ କ୍ରିକେଟରେ ୫୦୦ ରନ୍‌ ଅତିକ୍ରମ କରିଛନ୍ତି। ଏହି ମ୍ୟାଚ୍‌ ପୂର୍ବରୁ ସେ ମୋଟ ୪୦୨ ରନ୍‌ କରିଥିଲା ବେଳେ ଏବେ ତାଙ୍କର ମୋଟ ରନ୍‌ ୫୧୮ରେ ପହଞ୍ଚିଛି। ସେହିପରି ରାଜସ୍ଥାନ ବିପକ୍ଷ ପଦାର୍ପଣ ମ୍ୟାଚ୍‌ରେ ଅର୍ଧଶତକ ଅର୍ଜନ କରି ପ୍ରତିଭାର ପରିଚୟ ଦେଇଥିବା ଦେବାଶିଷ ଏହି ମ୍ୟାଚ୍‌ରେ କରିଥିବା ୮୫ ରନ୍‌ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ।

ସମ୍ବନ୍ଧିତ ଖବର