୩୦ ବର୍ଷର ଜାତୀୟ କୀର୍ତ୍ତିମାନ ଭାଙ୍ଗିଲେ ଅବିନାଶ

୫୦୦୦ ମିଟରକୁ ନେଲେ ୧୩ ମିନିଟ୍‌ ୨୫.୬୫ ସେକେଣ୍ଡ

ନୂଆଦିଲ୍ଲୀ: ଭାରତୀୟ ଲମ୍ବ ଦୂରତ୍ବ ଧାବକ ଅବିନାଶ ସାବ୍‌ଲେ ଆମେରିକାରେ ଚାଲିଥିବା ସାଉଣ୍ଡ୍‌ ରନିଙ୍ଗ୍‌ ଟ୍ରାକ୍‌ ପ୍ରତିଯୋଗିତା‌ ଅବସରରେ ୩୦ ବର୍ଷ ତଳର ୫୦୦୦ ମିଟର ଜାତୀୟ କୀର୍ତ୍ତିମାନକୁ ଭାଙ୍ଗି ଦେଇଛନ୍ତି। କାଲିଫର୍ଣ୍ଣିଆର ସାନ୍‌ ଜୁଆନ କାପିଷ୍ଟ୍ରାନୋଠାରେ ଚାଲିଥିବା ଏହି ପ୍ରତିଯୋଗିତାର ୫୦୦୦ ମିଟର ରେସ୍‌କୁ ୧୩ ମିନିଟ୍‌ ୨୫.୬୫ ସେକେଣ୍ଡ ଟାଇମିଂରେ ଶେଷ କରି ଅବିନାଶ ଦ୍ବାଦଶ ସ୍ଥାନରେ ରହିଥିଲେ। ହେଲେ ଏହି ଟାଇମିଂ ବଳରେ ସେ ୧୯୯୨ ମସିହାରେ ବର୍ମିଙ୍ଗହାମ୍‌ରେ ବାହାଦୂର ପ୍ରସାଦ ପ୍ରତିଷ୍ଠା କରିଥିବା‌ ୧୩:୨୯.୭୦ ଟାଇମିଂକୁ ପଛରେ ପକାଇ ଭାରତୀୟ ଭାବେ ନୂଆ ଜାତୀୟ କୀର୍ତ୍ତିମାନ ରଚିଥିଲେ। ନରୱେର ଟୋକିଓ ଅଲିମ୍ପିକ୍ସ ୧୫୦୦ ମିଟର ସ୍ବର୍ଣ୍ଣ ବିଜେତା ଜାକୋବ ଇଞ୍ଜେବ୍ରିଗ୍‌ଷ୍ଟେନ୍‌ (୧୩:୦୨.୦୩ ସେକେଣ୍ଡ) ଏହି ରେସ୍‌ ଜିତିଥିଲେ।

୨୭ ବର୍ଷ ବୟସ୍କ ମହାରାଷ୍ଟ୍ର ଧାବକ ଅବିନାଶ ଏହା ପୂର୍ବରୁ ତାଙ୍କ ସର୍ବାଧିକ ପସନ୍ଦ ଇଭେଣ୍ଟ ୩୦୦୦ ମିଟର ଷ୍ଟିପଲ‌ଚେଜ୍‌ରେ ମଧ୍ୟ ଜାତୀୟ କୀର୍ତ୍ତିମାନ ରଚିଥିଲେ। ସେ ମଧ୍ୟ ୩୦୦୦ ମିଟର ଷ୍ଟିପଲ‌ଚେଜ୍‌ ଜାତୀୟ କୀର୍ତ୍ତିମାନକୁ ଏକାଧିକବାର ଭାଙ୍ଗିଥିଲେ। ଗତ ମାର୍ଚରେ ତିରୁଅନନ୍ତପୁରମ୍‌ଠାରେ ଆୟୋଜିତ ଇଣ୍ଡିଆନ୍‌ ଗ୍ରାଁ ପ୍ରି-୨ ଅବସରରେ ଅବିନାଶ (୮:୧୬.୨୧ ସେକେଣ୍ଡ) ସପ୍ତମ ଥର ନିଜ କୀର୍ତ୍ତିମାନକୁ ଭାଙ୍ଗିଥିଲେ। ଗତ ଟୋକିଓ ଅଲିମ୍ପିକ୍ସରେ ପ୍ରତିନିଧିତ୍ବ କରି ଜାତୀୟ କୀର୍ତ୍ତିମାନ ପ୍ରତିଷ୍ଠା କରିଥିଲେ। ଟୋକିଓରେ ତାଙ୍କ ଟାଇମିଂ ଥିଲା ୮:୧୮.୧୨ ସେକେଣ୍ଡ। ସେ ମଧ୍ୟ ଆସନ୍ତା ଜୁଲାଇ ୧୫ରୁ ୨୪ ତାରିଖ ପର୍ଯ୍ୟନ୍ତ ଆମେରିକାରେ ଆୟୋଜିତ ହେବାକୁ ଥିବା ବିଶ୍ବ ଚାମ୍ପିଅନ୍‌ସିପ୍‌ ପାଇଁ ଯୋଗ୍ୟତା ହାସଲ କରିସାରିଛନ୍ତି।

କେବଳ ସେତିକି ନୁହେଁ ଅବିନାଶ ମଧ୍ୟ ୪୪ ବର୍ଷ ତଳର ଅନ୍ୟ ଏକ ଜାତୀୟ କୀର୍ତ୍ତିମାନକୁ ପଛରେ ପକାଇ ଦେଇଥିଲେ। ୧୯୭୮ ମସିହାରେ ମାରାଥନରେ ଶିବନାଥ ସିଂହ (୨:୧୨.୦୦ ସେକେଣ୍ଡ)ଙ୍କ ନାମରେ ରହିଥିବା ଲମ୍ବା ସମୟର ଜାତୀୟ କୀର୍ତ୍ତିମାନକୁ ଅବିନାଶ ଭାଙ୍ଗି ଦେଇଥିଲେ। ୨୦୨୦ରେ ଆୟୋଜିତ ଏୟାରଟେଲ୍‌ ଦିଲ୍ଲୀ ହାଫ୍‌ ମାରାଥନ୍‌ରେ ଅବିନାଶ (୧:୦୦.୩୦ ସେକେଣ୍ଡ) ସ୍ବର୍ଣ୍ଣ ପଦକ ଜିତିବା ସହିତ ଶିବନାଥଙ୍କ କୀର୍ତ୍ତିମାନକୁ ଟପି ଯାଇଥିଲେ। ଅବିନାଶ ପଦକ ଜିତିବାର ସମ୍ଭାବନା ଅଧିକ ଥିବାରୁ ଆମେ ତାଙ୍କୁ ଆଗାମୀ ଏସୀୟ କ୍ରୀଡ଼ାରେ ଉଭୟ ୩୦୦୦ ମିଟର ଷ୍ଟିପଲଚେଜ୍‌ ଏବଂ ୫୦୦୦ ମିଟରରେ ଅଂଶଗ୍ରହଣ କରିବାର ଯୋଜନା ରଖିଛୁ ବୋଲି କହିଛନ୍ତି ଭାରତୀୟ ଦୌଡ଼କୁଦର ମୁଖ୍ୟ ପ୍ରଶିକ୍ଷକ ରାଧାକୃଷ୍ଣ ନାଏର।

ସମ୍ବନ୍ଧିତ ଖବର