ସୁପ୍ରିମ୍‌ କୋର୍ଟରେ ୨ ନୂଆ ବିଚାରପତି ନିଯୁକ୍ତ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ନିର୍ଦ୍ଧାରିତ ବିଚାରପତି ପଦବି ସଂଖ୍ୟା ଖୁବ୍‌ ଶୀଘ୍ର ପୂରଣ ହେବାକୁ ଯାଉଛି। ଶନିବାର ଦିନ ୨ ନୂଆ ବିଚାରପତି ସୁପ୍ରିମକୋର୍ଟରେ ନିଯୁକ୍ତ ହୋଇଛନ୍ତି। ଗୌହାଟୀ ହାଇକୋର୍ଟ ମୁଖ୍ୟ ବିଚାରପତି ସୁଧାଂଶୁ ଧୁଲିଆ ଏବଂ ଗୁଜରାଟ ହାଇକୋର୍ଟ ବିଚାରପତି ଜଷ୍ଟିସ ଜା‌ମଶେଦ ବି ପର୍ଦିୱାଲାଙ୍କ ପଦୋନ୍ନତି ପାଇଁ ପ୍ରଧାନ ବିଚାରପତି ଏନ୍‌ଭି ରମଣାଙ୍କ ନେତୃତ୍ବାଧୀନ କଲେଜିୟମ୍‌ ନିକଟରେ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଥିଲେ।

କେନ୍ଦ୍ର ସରକାର ଶନିବାର ଦିନ ଏହି ସୁପାରିସକୁ ସ୍ବୀକୃତି ଦେଇଛନ୍ତି। ଉପରୋକ୍ତ ୨ ବିଚାରପତିଙ୍କ ନିଯୁକ୍ତି ସଂକ୍ରାନ୍ତରେ କେନ୍ଦ୍ର ଆଇନ ମନ୍ତ୍ରାଳୟ ଆଜି ୨ଟି ପୃଥକ ବିଜ୍ଞପ୍ତି ଜାରି କରିଛନ୍ତି। ଉକ୍ତ ୨ ବିଚାରପତି ଚଳିତ ସପ୍ତାହରେ ଶପଥ ନେବାପରେ ସୁପ୍ରିମକୋର୍ଟ ଏହାର ପୂର୍ଣ୍ଣ ଦକ୍ଷତା (୩୪) ହାସଲ କରିପାରିବ। ବର୍ତ୍ତମାନ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୨ ଅଛି। ତେଣୁ ସଦ୍ୟ ନିଯୁକ୍ତି ପରେ ସୁପ୍ରିମକୋର୍ଟରେ ମୋଟ୍‌ ବିଚାରପତିଙ୍କ ସଂଖ୍ୟା ୩୪କୁ ବୃଦ୍ଧି ପାଇବ। ଅବଶ୍ୟ ମେ’ ୧୦ ଏବଂ ଜୁନ୍‌ ୧ରେ ଅନ୍ୟ ୨ ବିଚାରପତି ଅବସର ନେବାକୁ ଥିବାରୁ ପୁଣି ୨ ଆସନ ଖାଲି ପଡ଼ିବ।

ସମ୍ବନ୍ଧିତ ଖବର