ଭାରତକୁ ବିଦା କଲା ପାକିସ୍ତାନ: ୧ ୱିକେଟ୍‌ରେ ହାରିଲା ଆଫଗାନିସ୍ତାନ

ସାରଜା: ଆଫ୍‌ଗାନିସ୍ତାନ ପାରୁପର୍ଯ୍ୟନ୍ତ ଲଢ଼ିଲା। ୧୩୦ ରନ୍‌ର ଛୋଟିଆ ବିଜୟ ଲକ୍ଷ୍ୟ ଦେବା ସତ୍ତ୍ବେ ଊନ୍ନବିଂଶ ଓଭର ପର୍ଯ୍ୟନ୍ତ ମ୍ୟାଚ୍‌କୁ ନିଜ ନିୟନ୍ତ୍ରଣରେ ରଖିଥିଲା। ମାତ୍ର ଗୋଟିଏ ୱିକେଟ୍ ହାତରେ ଥିଲା ବେଳେ ଫଜଲହକ୍ ଫାରୁକିଙ୍କ ଶେଷ ଓଭରର ପ୍ରଥମ ଦୁଇ ବଲ୍‌କୁ ପାକିସ୍ତାନର ଦଶମ ସ୍ଥାନ ବ୍ୟାଟର୍‌ ନସୀମ ସାହ ଲଗାତାର ଦୁଇଟି ଛକା ମାରିବା ପରେ ଆଫଗାନିସ୍ତାନର ପ୍ରଥମ ସୁପର-୪ ବିଜୟ ଏବଂ ଭାରତର ଫାଇନାଲ୍ ଖେଳିବାର ଛୋଟିଆ ଆଶା ସଂପୂର୍ଣ୍ଣ ମଉଳି ଯାଇଥିଲା। ଶେଷ ଓଭରରୁ ବିଜୟ ପାଇଁ ୧୧ ରନ୍‌ର ଦରକାର ଥିଲା ବେଳେ ପାକିସ୍ତାନ ୪ ବଲ୍ ପୂର୍ବରୁ ୯ ୱିକେଟ୍ ବିନିମୟରେ ରୋମାଞ୍ଚକର ବିଜୟ ହାସଲ କଲା। ତା’ ସହ ଆଫଗାନିସ୍ତାନ ଓ ଭାରତୀୟ ପ୍ରଶଂସକଙ୍କ ହୃଦୟ ଭାଙ୍ଗିଯାଇଥିଲା। ଆଫଗାନିସ୍ତାନର ଏହି ପରାଜୟ ପରେ ଶ୍ରୀଲଙ୍କା ଏବଂ ପାକିସ୍ତାନ ମଧ୍ୟରେ ଫାଇନାଲ୍ ଖେଳହେବା ସ୍ପଷ୍ଟ ହୋଇଗଲା। ସଦାବ ଖାନ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଲେ।

ବୁଧବାରର ଏହି ଉତ୍କଣ୍ଠାପୂର୍ଣ୍ଣ ମୁକାବିଲାରେ ଆଫଗାନିସ୍ତାନର ତିନି ବୋଲର ଫଜଲହକ୍ ଫାରୁକି, ଫରିଦ ଅହମ୍ମଦ ଓ ରସିଦ ଖାନ୍ ପାକିସ୍ତାନର ନିୟମିତ ୱିକେଟ୍ ଝାଡ଼ି ବାରମ୍ବାର ମ୍ୟାଚ୍‌ରେ ରୋମାଞ୍ଚ ଓ ନାଟକୀୟ ମୋଡ଼ ଭରିଥିଲେ। ଏପରିକି ପାକିସ୍ତାନର ଶେଷ ୫ ୱିକେଟ୍‌ର ପତନ ମାତ୍ର ୨୧ ରନ୍‌ରେ ହୋଇଥିଲା। ହେଲେ ଶେଷରେ ଦଶମ ୱିକେଟ୍ ଯୋଡ଼ି ହିଁ ପାକିସ୍ତାନକୁ ସ୍ମରଣୀୟ ବିଜୟ ଉପହାର ଦେବା ସହ ଆଫଗାନିସ୍ତାନ ପଞ୍ଝାରୁ ମ୍ୟାଚ୍ ଛଡ଼ାଇ ନେଇଥିଲେ। ଏହା ପୂର୍ବରୁ ପାକିସ୍ତାନ ଟସ୍‌ ଜିତି ଆଫଗାନିସ୍ତାନକୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଥିଲା। ଆଫଗାନିସ୍ତାନ ଇବ୍ରାହିମ ଜଦ୍ରାନଙ୍କ ୩୫ ଏବଂ ହଜରତୁଲ୍ଲା ଜଜାଇଙ୍କ ୨୧ ରନ୍‌ ବଳରେ ୬ ୱିକେଟ୍‌ ହରାଇ ୧୨୯ ରନ କରିଥିଲା। ଯାହାକୁ ସାରଜା ଭଳି ପଡ଼ିଆରେ ଆଦୌ ବଡ଼ ସ୍କୋର କୁହାଯାଇ ନପାରେ। ହେଲେ ଆଫଗାନିସ୍ତାନ ବୋଲରମାନେ ଅତ୍ୟନ୍ତ ମାପଚୁପ ବୋଲିଂ କରି ପାକିସ୍ତାନକୁ ୧୩୦ ରନ୍‌ର ବିଜୟ ଲକ୍ଷ୍ୟକୁ ଅତ୍ୟନ୍ତ କଷ୍ଟକର କରିଦେଇଥ‌ିଲେ। ଶେଷ ୩୨ ବଲ୍‌ରେ ୫ ୱିକେଟ୍‌ର ପତନ ସହ ୫ଟି ଛକା ଆଜି ମ୍ୟାଚ୍‌ର ଅନ୍ୟତମ ଆକର୍ଷଣ ଥିଲା।

ସମ୍ବନ୍ଧିତ ଖବର