ସଚିନଙ୍କ ବ୍ୟାଟ୍‌ରେ ଆଫ୍ରିଦିଙ୍କ ଦ୍ରୁତତମ ଶତକ

ଲାହୋର: ଅନ୍ତର୍ଜାତୀୟ କ୍ରିକେଟ୍‌କୁ ପାକିସ୍ତାନର ପୂର୍ବତନ ଅଧିନାୟକ ସାହିଦ ଆଫ୍ରିଦିଙ୍କର ଧମାକାଦାର ପ୍ରବେଶ ହୋଇଥିଲା। ନିଜ ଦ୍ବିତୀୟ ଦିନିକିଆରେ ହିଁ ଛକା, ଚୌକାର ବର୍ଷା କରି ଦ୍ରୁତତମ ଦିନିକିଆ ଶତକ ହାସିଲ କରିବାର ବିରଳ କୀର୍ତ୍ତିମାନ କରି ନେଇଥିଲେ ସେ। ବୁମ୍ ବୁମ୍ ଆଫ୍ରିଦିଙ୍କ ସେହି ୩୭ ବଲ୍ ଶତକ କୀର୍ତ୍ତିମାନ ଦୀର୍ଘ ୧୮ ବର୍ଷ ଧରି ଅତୁଟ ରହିଥିଲା। ନାଇରୋବିଠାରେ ଆଫ୍ରିଦି ଖେଳିଥିବା ଉକ୍ତ ଅବିଶ୍ବସନୀୟ ପାଳିକୁ ଶେଷରେ ନ୍ୟୁଜିଲାଣ୍ଡ ଅଲରାଉଣ୍ଡର୍‌ କୋରି ଆଣ୍ଡରସନ୍ ଟପିଥିଲେ। ୨୦୧୪ ମସିହାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ମାତ୍ର ୩୬ ବଲ୍‌ରୁ ଶତକ ହାସଲ କରିଥିଲେ ଆଣ୍ଡରସନ୍। ଆଫ୍ରିଦିଙ୍କ ଅସାଧାରଣ ପାଳି (୪୦ ବଲ୍‌ରୁ ୧୦୪ ରନ୍) ପଛରେ କିନ୍ତୁ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ହାତ ଥିଲା। ଯେଉଁ ବ୍ୟାଟ୍‌ରେ ଆଫ୍ରିଦି ସେହି ବିସ୍ଫୋରକ ପାଳି ଖେଳିଥିଲେ, ତାହା ପ୍ରକୃତରେ ସଚିନଙ୍କର ଥିଲା ବୋଲି ଜଣାପଡ଼ିଛି।

ସଚିନ ଏହି ବ୍ୟାଟ୍‌ଟିକୁ ପାକିସ୍ତାନୀ ବୋଲର ୱାକର ୟୁନିସଙ୍କୁ ଉପହାର ଆକାରରେ ଦେଇଥିଲେ ଏବଂ ୟୁନିସଙ୍କ ପାଖରୁ ଏହା ଯାଇ ଆଫ୍ରିଦିଙ୍କ ହାତରେ ଲାଗିଥିଲା। ଆଫ୍ରିଦିଙ୍କ ପୁରୁଣା ସାଥୀ ତଥା ପୂର୍ବତନ ଅଲରାଉଣ୍ଡର ଆଝାର ମେହମ୍ମୁଦ ଏହି କଥା ଉପରୁ ପରଦା ଉଠାଇଛନ୍ତି। ବୋଲିଂ ଅଲରାଉଣ୍ଡର ଭାବେ ଦଳରେ ସ୍ଥାନ ପାଇଥିଲେ ମଧ୍ୟ ଆଫ୍ରିଦି କିଭଳି ତୃତୀୟ ସ୍ଥାନରେ ବ୍ୟାଟିଂ କରିବାର ସୌଭାଗ୍ୟ ଲାଭ କରିଥିଲେ ସେ କାହାଣୀ କହିଛନ୍ତି। ‘‘ଆଫ୍ରିଦି ୧୯୯୬ ମସିହାରେ ନାଇରୋବିଠାରେ ଅନ୍ତର୍ଜାତୀୟ ଖେଳ ଜୀବନ ଆରମ୍ଭ କରିଥିଲେ। ସେହି ଶୃଙ୍ଖଳାର ଠିକ୍‌ ପୂର୍ବରୁ ମୁସ୍ତାକ ଅହମ୍ମଦ ଆହତ ହୋଇଥିଲେ। ଏଣୁ ପାକିସ୍ତାନ ଏ’ ଦଳ ସହ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଥିବା ଆଫ୍ରିଦିଙ୍କୁ ଆମ ଜାତୀୟ ଦଳକୁ ଡାକରା ମିଳିଥିଲା। ମୁସ୍ତାକଙ୍କ ସ୍ଥାନରେ ସେ ଦଳରେ ସ୍ଥାନ ପାଇଥିଲେ। ସେତେବେଳେ ଶ୍ରୀଲଙ୍କାର ପ୍ରାରମ୍ଭିକ ଯୋଡ଼ି ସନଥ ଜୟସୁରିୟା ଓ ରମେଶ କାଲୁବିତରଣା ଆରମ୍ଭରୁ ଆକ୍ରମଣ କରୁଥିଲେ। ଏଣୁ ଆମେ ମଧ୍ୟ ତୃତୀୟ ସ୍ଥାନରେ ବଡ଼ ସଟ୍ ଖେଲିବାର ଦକ୍ଷତା ରଖୁଥିବା ଜଣେ ଖେଳାଳିଙ୍କୁ ଖୋଜୁଥିଲୁ। ସେଥିପାଇଁ ୱାସିମ (ୱାସିକ ଆକ୍ରମ) ଆମକୁ ନେଟ୍ସରେ ଯାଇ ଅଭ୍ୟାସ କରିବାକୁ କହିଥିଲେ। ମୁଁ ଦାୟିତ୍ବବାନ ଭାବେ ବ୍ୟାଟିଂ କରୁଥିଲି। ଆଫ୍ରିଦି କିନ୍ତୁ ସବୁ ସ୍ପିନରଙ୍କୁ ନିର୍ଧୁମ ଛେଚୁଥିଲେ। ସେଥିପାଇଁ ଶ୍ରୀଲଙ୍କା ବିପକ୍ଷ ସେହି ମୁକାବିଲାରେ ଆମ ସ୍କୋର ୬୦/୧ ଥିଲା ବେଳେ ଆଫ୍ରିଦି ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଯାଇ ଇତିହାସ ରଚିଥିଲେ। ପରେ ଜଣାପଡ଼ିଥିଲା ଯେ ଆଫ୍ରିଦି ଯେଉଁ ବ୍ୟାଟ୍‌ରେ ୧୧ ଛକା ଓ ୬ ଚୌକା ମାରି ସେହି ଅଭୁଲା ଶତକ ହାସଲ କରିଥିଲେ , ତାହା ପ୍ରକୃତରେ ସଚିନ ତେନ୍ଦୁଲକରଙ୍କର ଥିଲା। ଏହା ପରେ ଆଫ୍ରିଦି ଆଉ ପଛକୁ ଫେରି ଚାହିଁ ନଥିଲେ। ୨୦୧୧ ବିଶ୍ବକପ୍‌ରେ ଦଳର ନେତୃତ୍ବ ନେବାର ସୌଭାଗ୍ୟ ମଧ୍ୟ ସେ ପାଇଥିଲେ। ମହାନ ଅବଦୁଲ କାଦିରଙ୍କଠାରୁ ଆଫ୍ରିଦି ବୋଲିଂ ଅନେକ କଳା କୌଶଳ ଶିଖି ସଫଳ ହୋଇଥିଲେ। ମୋଟ ଉପରେ କହିବାକୁ ଗଲେ ପାକିସ୍ତାନ କ୍ରିକେଟ୍ ଦଳ ପାଇଁ ଆଫ୍ରିଦି ଏକ ସମ୍ପଦ ହୋଇ ପାରିଥିଲେ।

ସମ୍ବନ୍ଧିତ ଖବର