୧୪ ବର୍ଷ ପରେ ପାକିସ୍ତାନ ଗସ୍ତ‌ କରିବ ଦକ୍ଷିଣ ଆଫ୍ରିକା

କରାଚି: ଆସନ୍ତା ବର୍ଷ ଜାନୁଆରିରେ ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ଦଳ ୧୪ ବର୍ଷର ବ୍ୟବଧାନ ପରେ ପ୍ରଥମ ଥର ପାକିସ୍ତାନ ଗସ୍ତ କରିବ। ଏହି ଗସ୍ତରେ ଘରୋଇ ଦଳ ବିପକ୍ଷରେ ଦକ୍ଷିଣ ଆଫ୍ରିକା ୨ ଟେ‌ଷ୍ଟ୍‌ ଓ ୩ ଟି-୨୦ ମ୍ୟାଚ୍‌ ଖେଳିବ। ଟେଷ୍ଟ୍‌ ଦୁଇଟି ଯଥାକ୍ରମେ କରାଚି ଓ ରାୱଲପିଣ୍ଡିରେ ଏବଂ ୩ଟି ଯାକ ଟି-୨୦ ଲାହୋରରେ ଖେଳାଯିବ। ଭ୍ରମଣକାରୀ ଦଳ ଜାନୁଆରି ୧୬ ତାରିଖରେ କରାଚିରେ ପହଞ୍ଚିବ। ଏଠାରେ ପହଞ୍ଚିବା ପରେ ଖେଳାଳିମାନେ କିଛିଦିନ ସଂଗରୋଧରେ ରହି ଅଭ୍ୟାସକୁ ଓହ୍ଲାଇବେ। କରାଚିର ନ୍ୟାସ୍‌ନାଲ ଷ୍ଟାଡିୟମରେ ୨୬-୩୦ ତାରିଖ ପର୍ଯ୍ୟନ୍ତ ପ୍ରଥମ ଟେ‌ଷ୍ଟ‌ ଖେଳାଯିବ। ଏହାପରେ ଦ୍ବିତୀୟ ଟେଷ୍ଟ୍‌ ଫେବ୍ରୁଆରି ୪ରୁ ୮ ଏବଂ ଟି-୨୦ ଯଥାକ୍ରମେ ଫେବ୍ରୁଆରି ୧୧, ୧୩ ଓ ୧୪ରେ ଖେଳାଯିବ। ଶେଷ ଥର ଲାଗି ଦକ୍ଷିଣ ଆଫ୍ରିକା ୨୦୦୭ରେ ପାକିସ୍ତାନ ଗସ୍ତରେ ଆସିଥିଲା ଏବଂ ୧-୦ରେ ଟେଷ୍ଟ୍‌ ଶୃଙ୍ଖଳା ଜିତିଥିଲା। ଏହା ପରେ ଉଭୟ ଦେଶ ୟୁଏଇରେ ୨୦୧୦ ଓ ୨୦୧୩ରେ ଖେଳିଥିଲେ। ଉଭୟ ଦେଶ ମଧ୍ୟରେ ୧୯୯୫ ପରଠୁ ୧୧ ଟେଷ୍ଟ୍‌ ଖେଳାଯାଇଥିଲା ବେଳେ ଦକ୍ଷିଣ ଆଫ୍ରିକା ୭ ଓ ପାକିସ୍ତାନ ଗୋଟିଏ (୨୦୦୩)ରେ ଜିତିଥିଲା।

ସମ୍ବନ୍ଧିତ ଖବର