ଗାଙ୍ଗୁଲିଙ୍କ ‘ମନୋହର’ ଚିନ୍ତା, ପୁଣି ମୁହାଁମୁହିଁ ହୋଇ ପାରନ୍ତି ବିସିସିଆଇ-ଆଇସିସି

ନୂଆଦିଲ୍ଲୀ: ବିସିସିଆଇ ସଭାପତି ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବା ପରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଅନେକ ସଂସ୍କାରମୂଳକ ପଦକ୍ଷେପ ହାତକୁ ନେଇଛନ୍ତି। ପ୍ରଥମ ଶ୍ରେଣୀ କ୍ରିକେଟରଙ୍କ ପାଉଣା ବଢ଼ାଇବାଠାରୁ ଆରମ୍ଭ କରି ଭାରତରେ ଦିବା/ରାତ୍ର ଟେଷ୍ଟ୍‌ ଆୟୋଜନ ପର୍ଯ୍ୟନ୍ତ, ଗାଙ୍ଗୁଲି ଗୋ‌ଟେ ପରେ ଗୋଟେ ସ୍ବାଗତଯୋଗ୍ୟ ପଦକ୍ଷେପ ହାତକୁ ନେଇଛନ୍ତି। ତେବେ ଆଇସିସିରେ କମି କମି ଆସୁଥିବା ବିସିସିଆଇ ପ୍ରଭାବ ତାଙ୍କ ପାଇଁ ମୁଖ୍ୟ ଚିନ୍ତା ଏବଂ ଆହ୍ବାନଭରା ବିଷୟ ହୋଇ ରହିଛି। ଆଇସିସି ଅଧ୍ୟକ୍ଷ ପଦରେ ବିସିସିଆଇର ଜଣେ ପୂର୍ବତନ ସଭାପତି ଥିଲା ବେଳେ ବିସିସିଆଇ ଏଭଳି ସମସ୍ୟାର ସମ୍ମୁଖୀନ ହେବା ଆଶ୍ଚର୍ଯ୍ୟଜନକ ବୋଲି ଅନେକ କ୍ରିକେଟ୍ ସଂଗଠକ କହିଛନ୍ତି। ତେବେ ସଂପ୍ରତି ଆଇସିସିର ଅଧ୍ୟକ୍ଷ ଥିବା ଶଶାଙ୍କ ମନୋହର କେତେକ କର୍ମକର୍ତାଙ୍କ ଉପରେ ରାଗ ଶୁଝାଇବାକୁ ଯାଇ ବିସିସିଆଇ ବିରୋଧୀ ପଦକ୍ଷେପ ନେଇ ଆସୁଛନ୍ତି ବୋଲି ଆଲୋଚନା ହେଉଛି। ଗାଙ୍ଗୁଲି ଓ ମନୋହର ଅତୀତରେ ଅନେକ ଥର ମୁହାଁମୁହିଁ ହୋଇଥିବାର ଆଗକୁ ବିସିସିଆଇ ଓ ଆଇସିସି ସଂପର୍କ ଆହୁରି ଖରାପ ହେବାର ଆଶଙ୍କା ସୃଷ୍ଟି ହୋଇଛି।

ପୁରୁଣା ବିରୋଧୀ
ଜଗମୋହନ ଡାଲମିଆଙ୍କ ନିଧନ ପରେ ୨୦୧୫ ମସିହା ଅକ୍ଟୋବର ମାସରେ ମନୋହର ଦ୍ବିତୀୟ ଥର ପାଇଁ ବିସିସିଆଇର ସଭାପତି ପଦ ଗ୍ରହଣ କରିଥିଲେ। ମାତ୍ର କିଛି ମାସ ପରେ ଅର୍ଥାତ୍ ମେ ୨୦୧୬‌ରେ ସେ ନିଜ ପଦରୁ ଇସ୍ତଫା ଦେଇଥି‌ଲେ। ଉଚ୍ଚତମ ନ୍ୟାୟାଳୟରେ ବିସିସିଆଇ ଆଇନଯୁଦ୍ଧ ଲଢ଼ୁଥିଲା ବେଳେ ମୋନହର ହଠାତ୍ ସଭାପତି ପଦରୁ ଓହରି ଯାଇଥିଲେ। ଏହା ପୂର୍ବରୁ ୨୦୦୮ରୁ ୨୦୧୧ ପର୍ଯ୍ୟନ୍ତ ୩ ବର୍ଷ ଧରି ସେ ବିସିସିଆଇର ସଭାପତି ଥିଲେ। ସେତେବେଳେ ତାଙ୍କୁ ଅନ୍ୟ କର୍ମକର୍ତାମାନେ ବିଶେଷ ପସନ୍ଦ କରୁ ନଥିଲେ। ବିଶେଷ କରି ଏନ୍ ଶ୍ରୀନିବାସନ ଗୋଷ୍ଠୀଙ୍କ ସହ ମନୋହରଙ୍କର ଆଦୌ ପଡ଼ୁ ନଥିଲା। ବିସିସିଆଇ ସଭାପତି ପଦ ଛାଡ଼ି ଆଇସିସି ଅଧ୍ୟକ୍ଷ ହେବା ପରେ ମନୋହର ଲଗାତାର ବିସିସିଆଇ କ୍ଷମତାଙ୍କୁ ସଙ୍କୁଚିତ କରିବାକୁ ଚେଷ୍ଟା ଚଳାଇଛନ୍ତି। ଗତ କିଛି ବର୍ଷ ମଧ୍ୟରେ ମନୋହରଙ୍କ ଆଚରଣ ବିସିସିଆଇ ବିରୋଧୀ ଥିଲା ବେଳେ ଗାଙ୍ଗୁଲି ସଭାପତି ହେବା ମାମଲାକୁ ଆହୁରି ଜଟିଳ କରିଦେଇଛି। ୨୦୦୪ରେ ମନୋହର ବିଦର୍ଭ କ୍ରିକେଟ୍ ସଂଘର ସଭାପତି ଥିଲା ବେଳେ ଗାଙ୍ଗୁଲିଙ୍କ ସହ ତାଙ୍କର ଝଗଡ଼ା ହୋଇଥିଲା। ନାଗପୁରରେ ସେହିବର୍ଷ ଖେଳିଥିବା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ୍‌ ଲାଗି ଗାଙ୍ଗୁଲି ସ୍ପିନ୍ ଉପଯୋଗୀ ପିଚ୍ ଦାବି କରିଥିଲେ। ହେଲେ ମନୋହର କ୍ୟୁରେଟରଙ୍କୁ ସବୁଜ ପିଚ୍ ପ୍ରସ୍ତୁତ କରିବାକୁ କହିଥିଲେ। ଫଳରେ ୧-୦ରେ ଆଗୁଆ ଥିବା ଅଷ୍ଟ୍ରେଲିଆ ନାଗପୁର ଟେଷ୍ଟ୍‌କୁ ସହଜରେ ଜିତି ନେଇ ୩୪ ବର୍ଷ ପରେ ଭାରତରେ ଶୃଙ୍ଖଳା ଜିତିଥିଲା। ସେତେବେଳେ ବିସିସିଆଇରେ ମନୋହର-ଶରଦ ପାୱାର-ରାଜ ସିଂହ ଡୁଙ୍ଗରପୁର-ଆଇଏସ୍ ବିନ୍ଦ୍ରା‌ ଗୋଷ୍ଠୀ ଗାଙ୍ଗୁଲିଙ୍କ ମାର୍ଗଦର୍ଶକ ତଥା ଦୃଢ଼ ସମର୍ଥକ ଜଗମୋହନ ଡାଲମିଆଙ୍କ ମଧ୍ୟରେ ଟଣାଓଟରା ଲାଗି ରହିଥିଲା। ଏନ୍ ଶ୍ରୀନିବାସନ୍ ଆଇପିଏଲ୍ ସ୍ପଟ୍ ଫିକ୍ସି ମାମଲାରେ ବିବାଦୀୟ ହେବା ପରେ ବିସିସିଆଇ କର୍ମକର୍ତା ବହୁଳ ଭୋଟ ଦେଇ ମନୋହରଙ୍କୁ ବିସିସିଆଇ ସଭାପତି ପଦକୁ ଫେରାଇ ଆଣିଥିଲେ। ହେଲେ ଆଇସିସି ଅଧ୍ୟକ୍ଷ ହେବା ଲୋଭରେ ସେ ବିସିସିଆଇର ମଝି ନଈରେ ଛାଡ଼ି ଚାଲି ଯାଇଥିଲେ।

ପୁଣି ମୁହାଁମୁହିଁ ହୋଇ ପାରନ୍ତି ବିସିସିଆଇ-ଆଇସିସି
ଏନ୍ ଶ୍ରୀନିବାସନ୍ ଆଇସିସି ସଭାପତି ଥିଲା ବେଳେ ଆଇସିସି ରାଜସ୍ବ ବଣ୍ଟନ ଲାଗି ସେ ‘ ବିଗ୍ ଥ୍ରି’ ନିୟମ ଲାଗୁ କରିଥିଲେ। ତଦନୁଯାୟୀ ଭାରତ, ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ଆଇସିସିର ଅନ୍ୟ ସଦସ୍ୟ ରାଷ୍ଟ୍ରଙ୍କଠାରୁ ଯଥେଷ୍ଟ ଅଧିକ ରାଜସ୍ବ ପାଉଥିଲେ। ଭାରତ ଏହି କ୍ଷେତ୍ରରେ ସର୍ବାଗ୍ରେ ଥିଲା। ଶଶାଙ୍କ ମନୋହର ଆଇସିସିର ପ୍ରଥମ ନିରପେକ୍ଷ ଅଧ୍ୟକ୍ଷ ହେବା ପରେ ‘ବିଗ୍ ଥ୍ରି’ ରାଜସ୍ବ ବଣ୍ଟନ ପ୍ରଣାଳୀକୁ ବଦଳାଇ ଦେଇଛନ୍ତି। ବିସିସିଆଇର ତୀବ୍ର ବିରୋଧ ସତ୍ତ୍ବେ ଆଇସିସି ରାଜସ୍ବ ବଣ୍ଟନର ନୂଆ କୌଶଳ ଲାଗୁ କରିଛି। ଫଳରେ ଆଇସିସି ରାଜସ୍ବରେ ବିସିସିଆଇର ଭାଗ ୫୭୦ ନିୟୁତ ଡଲାରରୁ ୨୯୦ ନିୟୁତ ଡଲାରକୁ କମି ଆସିଛି। ଏଥିନେଇ ଗାଙ୍ଗୁଲି ଚିନ୍ତା ଜାହିର କରି ସାରିଛନ୍ତି। ଭାରତରୁ ଆଇସିସି ତା’ ମୋଟ ରାଜସ୍ବର ୭୦ରୁ ୭୫ ପ୍ରତିଶତ ପାଉଥିବାରୁ ବିସିସିଆଇ ହକ୍ ପାଇଁ ଆଗମୀ ସମୟରେ ଲଢ଼େଇ ‌ହେବ ବୋଲି ଗାଙ୍ଗୁଲି ସ୍ପଷ୍ଟ ସଙ୍କେତ ଦେଇଛନ୍ତି। ଆତଙ୍କବାଦକୁ ସମର୍ଥନ ଦେଉଥିବାରୁ ପାକିସ୍ତାନକୁ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ବାସନ୍ଦ କରିବାକୁ ବିସିସିଆଇ କରିଥିବା ଆହ୍ବାନକୁ ମଧ୍ୟ ଆଇସିସି ଅଗ୍ରାହ୍ୟ କରି ଦେଇଥିଲା। ଏସବୁ ପଛରେ ମନୋହରଙ୍କ ହାତ ରହିଛି ବୋଲି ବିସିସିଆଇ ଭିତରେ ଚର୍ଚା ହେଉଛି। ଅନ୍ୟପକ୍ଷରେ ଆଇସିସି ଭାରତରେ ଆୟୋଜନ କରୁଥିବା ବିଭିନ୍ନ ପ୍ରତିଯୋଗିତା ଲାଗି କର ରିହାତି ଦାବି କରୁଛି। ଭାରତ ସରକାରଙ୍କୁ କର ରହା‌ତି ଦେବାକୁ ରାଜି କରି ପାରି ନଥିବାରୁ ବିସିସିଆଇ ରାଜସ୍ବ ଅଂଶକୁ କମାଇ ଦେବାକୁ ମଧ୍ୟ ଆଇସିସି ଧମକ ଦେଇଛି। ସେହିଭଳି ଆଇସିସି ମଧ୍ୟ ୨୦୨୩ରୁ ୨୦୨୮ର ଫ୍ୟୁଚର ଟୁର୍ ପ୍ରୋଗ୍ରାମକୁ ବଦଳାଇ ଅଧିକ ବିଶ୍ବସ୍ତରୀୟ ପ୍ରତିଯୋଗିତା ଖେଳିବାକୁ ନିଷ୍ପତ୍ତି ନେଇଛି। ଦ୍ବିପାକ୍ଷିକ ଶୃଙ୍ଖଳା ପରିବର୍ତେ ଆଇସିସି ପ୍ରତିଯୋଗିତା ଖେଳିବାକୁ ବିସିସିଆଇ ଉପରେ ଚାପ ପକାଇଛି। ଗାଙ୍ଗୁଲି ଓ ମନୋହର ମୁହାଁମୁହିଁ ହେବାର ଏହା ଆଉ ଏକ କାରଣ ହୋଇପାରେ। ବିସିସିଆଇର କ୍ଷମତା କମାଇବାକୁ ଆଇସିସି ମଧ୍ୟ ସଦସ୍ୟ ରାଷ୍ଟ୍ର ସଂଖ୍ୟା ବଢ଼ାଇ ଦେଇଛି। ଫଳରେ ମନୋହରଙ୍କୁ ଆଇସିସି ଅଧ୍ୟକ୍ଷ ପଦରୁ ହଟାଇବା ବିସିସିଆଇ ପାଇଁ ପୂର୍ବାପେକ୍ଷା କଷ୍ଟକର ହୋଇଯାଇଛି। ଆଇସିସି ପରିଚାଳନା ସମିତିରେ ବିସିସିଆଇକୁ ନରଖି ଭବିଷ୍ୟତ ଲଢ଼େଇ ପାଇଁ ଯେ ସେ ପୂରା ପ୍ରସ୍ତୁତ ମନୋହର ତାହା ମଧ୍ୟ ଜଣାଇ ଦେଇଛନ୍ତି। ତେବେ ଜଣେ ଭାରତୀୟ ହୋଇ ଭାରତୀୟ କ୍ରିକେଟ୍ ବିରୋଧରେ ସେ ଯିବାକୁ ଅନେକ ପସନ୍ଦ କରୁ ନାହାନ୍ତି।

ସମ୍ବନ୍ଧିତ ଖବର