ଏଆଇଏଫ୍‌ଏଫ୍‌ ନିର୍ବାଚନ ସେପ୍ଟେମ୍ବର ୨ରେ: ନିଲମ୍ବନ ପ୍ରତ୍ୟାହାର ପାଇଁ ଫିଫାକୁ ଚିଠି ଲେଖିଲା ଏଆଇଏଫ୍‌ଏଫ୍‌

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ସଂଶୋଧିତ ଆଦେଶ ପରେ ସର୍ବଭାରତୀୟ ଫୁଟ୍‌ବଲ୍ ମହାସଂଘ (ଏଆଇଏଫ୍‌ଏଫ୍‌)ର ନିର୍ବାଚନ ଏବେ ଅଗଷ୍ଟ ୨୮ ପରିବର୍ତେ ସେପ୍ଟେମ୍ବର ୨ ତାରିଖରେ ଅନୁଷ୍ଠିତ ହେବ। ଏହି ତାରିଖରେ ଏଆଇଏଫ୍‌ଏଫ୍‌ର କାର୍ଯ୍ୟକାରୀ ସମିତି ଗଠନ ସହିତ ନୂଆ କର୍ମକର୍ତା ନିର୍ବାଚନ ସମ୍ପନ୍ନ ହେବ। ଅଗଷ୍ଟ ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ନୂଆ ପ୍ରାର୍ଥିପତ୍ର ଦାଖଲ ଲାଗି ଦିନ ଧାର୍ଯ୍ୟ ହୋଇଛି। ଅଗଷ୍ଟ ୨୮ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ହେବ। ଯେଉଁମାନଙ୍କ ପ୍ରାର୍ଥିପତ୍ର କାଏମ ରହିବ ସେମାନେ ଅଗଷ୍ଟ ୨୯ ତାରିଖରେ ଏହାକୁ ପ୍ରତ୍ୟାହାର କରିବାର ସୁଯୋଗ ପାଇବେ। ଅଗଷ୍ଟ ୩୦ ତାରିଖରେ ଏଆଇଏଫ୍‌ଏଫ୍‌ ୱେବସାଇଟ୍‌ରେ ନିର୍ବାଚନ ମଇଦାନରେ ଥିବା ପ୍ରାର୍ଥୀଙ୍କ ନାମ ପ୍ରକାଶ ପାଇବ ବୋଲି ରିଟର୍ଣ୍ଣିଂ ଅଫିସର ଘୋଷଣା କରିଛନ୍ତି। ଅଗଷ୍ଟ ୨୮ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନକୁ ସୋମବାର ସପ୍ତାହେ ଘୁଞ୍ଚାଇବାକୁ ସୁପ୍ରିମକୋର୍ଟ ଆଦେଶ ଦେଇଥିଲେ। ଭାରତରେ ହେବାକୁ ଥିବା ୧୭ ବର୍ଷରୁ କମ୍‌ ଫିଫା ବିଶ୍ବକପ୍‌ ସମ୍ଭାବନାକୁ କାଏମ ରଖିବା ଲାଗି ସୁପ୍ରିମକୋର୍ଟ ଏହାର ପୂର୍ବ ଆଦେଶରେ ସଂଶୋଧନ କରିଥିଲେ। ସେହିଭଳି ସୁପ୍ରିମକୋର୍ଟଙ୍କ ଦ୍ବାରା ନିଯୁକ୍ତ ପ୍ରଶାସନିକ ସମିତି (ସିଓଏ)କୁ ରଦ୍ଦ କରିଦେଇଥିଲେ। ଫିଫା ଦାବି ଅନୁସାରେ ଏଆଇଏଫ୍‌ଏଫ୍‌ ଭୋଟର ତାଲିକାରେ ୩୬ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ପ୍ରତିନିଧି ରହିବେ। କାର୍ଯ୍ୟକାରୀ ସମିତିରେ ୨୩ ଜଣ ରହିବେ ଏବଂ ସେମାନଙ୍କ ମଧ୍ୟରୁ ୨ ମହିଳାଙ୍କ ସହ ୬ ଜଣ ପ୍ରମୁଖ ଖେଳ‌ାଳି ହୋଇଥିବା ଆବଶ୍ୟକ।

ଫିଫାର ଦାବି ମୁତାବକ ପ୍ରଶାସନିକ ସମିତି (ସିଓଏ)କୁ ସୁପ୍ରିମକୋର୍ଟ ରଦ୍ଦ କରିଦେବା ପରେ ଏବେ ନିଲମ୍ବନ ଉଠାଇ ଦେବାକୁ ଫୁଟ୍‌ବଲ୍‌ର ସର୍ବୋଚ୍ଚ ପରିଚାଳନା ସଂସ୍ଥା ଫିଫା ନିକଟରେ ଦାବି କରିଛି ଏଆଇଏଫ୍‌ଏଫ୍। କାମଚଳା ସାଧାରଣ ସମ୍ପାଦକ ସୁନନ୍ଦୋ ଧର ଏହି ନିଲମ୍ବନର ପୁନଃର୍ବିଚାର କରିବାକୁ ଅନୁରୋଧ କରିଛନ୍ତି। ସୋମବାର ସୁପ୍ରିମକୋର୍ଟ ସିଓଏକୁ ବନ୍ଦ ‌କରିଦେବାକୁ ଆଦେଶ ଦେଇଥିଲେ ଏବଂ କାମଚଳା ସାଧାରଣ ସମ୍ପାଦକ ଏଆଇଏଫ୍‌ଏଫ୍‌ର ଦୈନଦିନ କାର୍ଯ୍ୟକଳାପକୁ ବୁଝିବାକୁ ଏହାର ସଂଶୋଧିତ ଆଦେଶରେ ଉଲ୍ଲେଖ କରିଥିଲେ। ‌ଫିଫାର ନୀତି ନିୟମ ଅନୁସାରେ ସେପ୍ଟେମ୍ବର ୨ ତାରିଖରେ ନିର୍ବାଚନ କରିବାକୁ ମଧ୍ୟ ଦିନ ଧାର୍ଯ୍ୟ ହୋଇଛି। ଏବେ ଏଆଇଏଫ୍‌ଏଫ୍‌ର ସୁପରିଚାଳନା ପାଇଁ ପଥ ପରିଷ୍କାର ହୋଇଥିବାରୁ ଫିଫା ତା’ର ନିଲମ୍ବନକୁ ପ୍ରତ୍ୟାହାର କରିଦେବା ଉଚିତ ବୋଲି ମତ ପ୍ରକାଶ ପାଇଛି। ଏହା ଦ୍ବାରା ଅକ୍ଟୋବର ୧୧ରୁ ୩୦ ପର୍ଯ୍ୟନ୍ତ ଭାରତରେ ଖେଳାଯିବାକୁ ଥିବା ୧୭ ବର୍ଷରୁ କମ୍‌ ଫିଫା ବିଶ୍ବକପ୍‌ ଆୟୋଜନ ସମ୍ଭବ ହେବ ବୋଲି ଆଶା ପ୍ରକଟ କରାଯାଇଛି।

ସମ୍ବନ୍ଧିତ ଖବର